Unknown

 

 

 

 

 

 

 

 

 

 

ବିପ୍ଳବୀ ଦ୍ଵିବେଦୀ

ଶ୍ରୀ କମଳଲୋଚନ ମହାନ୍ତି

 

ଏକ

 

ଇତସ୍ତତ ହୋଇ କଲେକ୍‌ଟର ସାହେବ କହିବାକୁ ଲାଗିଲେ “ସେ କହି ଯାଇଛି ଆମଲୋକ ଯାହା ସହିତ ସାମାଜିକ ଓ ରକ୍ତର ସମ୍ପର୍କ ରଖିଛନ୍ତି, ସେମାନେ ତମକୁ ଟ୍ରେଚରସ ବୋଲି ନ କହନ୍ତୁ । ଥରେ ଭାବିନିଅ ଭବିଷ୍ୟତକୁ ଅନାଅ । କି ଉଜ୍ଜ୍ୱଳ ଭବିଷ୍ୟତ ତମର….. ।”

 

ଆରେ ! କଣ ପାଗଳଙ୍କ ପରି ଗପୁଛ ? ସାହାବାଣୀ କହିଲେ ।

 

ମୁଁ ପାଗଳ ! ଆରେ ତମେ କଣ ଉଜ୍ଜ୍ୱଳ ଭବିଷ୍ୟତ ଦେଖିପାରୁନା ? ସେ ପରା କହି ଯାଇଛି ସ୍ଵାଧୀନତା ପରେ ହୁଏତ ଆମେ ଠିକ୍ ଏମିତି ରହିବୁ…..କିନ୍ତୁ ଆପଣ….

 

ସାହାବାଣୀ ଉତ୍କଣ୍ଠିତ ହୋଇଉଠିଲେ । “କି’ଏ କହିଲା ?”

 

“ସେ…..ସେ…..ଫେରାର ଦ୍ଵିବେଦୀ…. ।”

 

ଏତିକିବେଳେ ଫୋନ କ୍ରିଙ୍ଗ….କ୍ରିଙ୍ଗ ଚିତ୍କାର କରିଉଠିଲା । କଲେକ୍‌ଟର ସାହେବଙ୍କର ସେଥିପ୍ରତି ଦୃଷ୍ଟି ନାହିଁ । ସାହାବାଣୀ ବାରଂବାର ତାକିଦ୍ କରିବା ସତ୍ତ୍ୱେ, ସେ ନିଶ୍ଚଳ । କେବଳ ପୂର୍ବ କଥାର ପୁନରାବୃତ୍ତି ।

 

ସାହାବାଣୀ ଫୋନକୁ ଆଟେଣ୍ଡକରି କହିଲେ, “ହଁ, ମୁଁ ମିସେସ୍ ଦାସ କହୁଛି । ଆପଣ କିଏ ?

 

ଜିଜ୍ଞାସୁ ନୟନରେ ଅନାଇଁ ରହିଲେ ।

 

ଉତ୍ତର ଆସିଲା “ ରବଟସନ ମୁଁ କହୁଛି । ମିଷ୍ଟର ଦାସ କଣ ନାହାନ୍ତି ?”

 

“ଅସୁସ୍ଥ ।”

 

ବଡ଼ ଜରୁର କାମ ଅଛି । ଟିକିଏ ମି. ଦାସଙ୍କୁ କହନ୍ତୁ । ଫେରାର ଦ୍ଵିବେଦୀ…. ।”

 

ସାହାବାଣୀ ଚିତ୍କାର କରିଉଠିଲେ “ଫରାର ଦ୍ଵିବେଦୀ.... ।

 

କଲେକ୍‌ଟର ସାହେବ ଲମ୍ପ ଦେଇ ଆସି ଡାକିଲେ “ହଁ, ଫେରାର ଦ୍ଵିବେଦୀ- ତମେ ମି. ରବଟସନ୍ କୁହ କୁହ, କ’ଣ ହେଲା ?

 

କିଛି ଉତ୍ତର ନାହିଁ ।

 

ଟେଲିଫୋନ ଲାଇନ କଟାହୋଇ ସରିଛି । ଆଉ ଉପାୟ ନାହିଁ ।

 

ସାହେବ ବ୍ୟସ୍ତହୋଇ କକ୍ଷଚ୍ୟୁତ ହୋଇ ଧୁମକେତୁ ପରି ନିଜେ ଗାଡ଼ିରେ ଉଠିଲେ ।

 

ସତେଅବା ଗାଡ଼ି ଅଶି ମାଇଲ ଗତିରେ ଛୁଟିବ । ଗାଡ଼ିର ଚକତଳେ ଛୁଆପିଲା ବାଟି ହୋଇଯିବେ । ରକ୍ତ ମାଂସର ଆକର୍ଷଣରେ ଫେରାର ଦ୍ଵିବେଦୀ ଆତ୍ମସମର୍ପଣ କରିବେ ।

 

ସାହେବ ସୁଇଚି ଦେଇ ସେଲ୍‍ଫ ଦବାଇଲେ ଗାଡ଼ି ଭୀଷଣ ଗତିରେ ଛୁଟିବ ।

 

ସାହେବଙ୍କ ଚେଷ୍ଟା ବିଫଳ ହେଲା । ଗାଡ଼ି ଷ୍ଟାଟ୍ ଦେଉନି । ସାହେବଙ୍କ ଜରୁରି ତାକିଦ୍‍ରେ ହେଣ୍ଡାଲ ଦିଆଗଲା । କିଛି ଫଳ ହେଲାନାହିଁ ।

 

ସାହେବଙ୍କୁ ବୁଝିବାକୁ ବେଶି ସମୟ ଲାଗିଲା ନାହିଁ । ବେଟେରୀ ଠିକ୍ ଅଛି । ବେଟେରୀର ସମସ୍ତ ସଞ୍ଜୋଜକ ତାର ବି ଠିକ୍ ଅଛି ।….ତେବେ ? ତେବେ କ’ଣ ଫେରାର ଦ୍ଵିବେଦୀ କଟ୍ଆଉଟ୍ କନେକସନ୍… । ଟେଲିଫୋନ ଲାଇନ୍ ଆକସ୍ମିକ ଭାବରେ କାଟିବା ଓ ମଟରଗାଡ଼ିଟିକୁ ଅଚଳକରି ଛାଡ଼ିଦେଇ ଯିବା ପଛରେ ଯେ ଗୋଟାଏ ଭୟଙ୍କର ବିପ୍ଳବର ସୂଚନା ଅଛି, ତାହା ବୁଝିବାକୁ ସାହେବଙ୍କୁ ଆଉ ବେଶି ସମୟ ଲାଗିଲା ନାହିଁ ।

 

ଏତିକିବେଳେ ପୁଲିସ ସାହେବ ମି.ରବଟସନ୍, ସି.ଆ.ଡ଼ି.ଆଇଜି ମି.ରେନରଙ୍କ ଗାଡ଼ି କଲେକ୍‌ଟର ସାହେବଙ୍କ ହତା ଭିତରେ ପ୍ରବେଶ କଲା ।

 

ଦେଖାସାକ୍ଷାତରେ ସମସ୍ତେ ସମସ୍ତଙ୍କ ମୁହଁକୁ ବକ୍ ବକ୍ କରି ଚାହିଁଲେ ।

 

ବିସ୍ଫୋରଣ ଉନ୍ମୁଖ ଗୋଟିଏ ସୁପ୍ତ ଆଗ୍ନେୟଗିରିର ଉଷ୍ମଲାଭ ସ୍ରୋତର ଅପେକ୍ଷାରେ ସମସ୍ତେ ଯେପରି ଭିତତ୍ରସ୍ତ ।

 

ପଳାୟନର ଉପାୟ ନାହିଁ ।

 

ପୁଲିସସାହେବ ନିରବତା ଭଙ୍ଗକରି କହିବାକୁ ଲାଗିଲେ, ଚାରିଆଡ଼େ ବିପ୍ଳବର ନିଆଁ ଜଳିଉଠୁଛି । ଛାତ୍ର, ଶିକ୍ଷକ, କୃଷକ, ଶ୍ରମିକ କଟକ ଜିଲ୍ଲାର ସର୍ବତ୍ର ସ୍ଵାଧୀନ ଗ୍ରାମ ପଞ୍ଚାୟତ ସଙ୍ଗଠନ କାମକରି ଗଲେଣି । ଏରସମା ଥାନା ଦଖଲ କରି ଜନତା ପୁଲିସଥାନାକୁ କରଗତ କରିଗଲେଣି । ସ୍ଥାନୀୟ ପୋଷ୍ଟ ଅଫିସ୍ ଦଖଲ କରି…
 

ନିରାଶ ସ୍ଵରରେ କଲେକ୍‌ଟର ସାହେବ କହିଲେ “ଶାସନକଳ କ’ଣ ପଙ୍ଗୁ, ଅର୍ଥବ ପାଲଟି ଯିବ… ?”

 

ଡି, ଆ, ଜି ରେନର ସାହେବ କହିଲେ ”କେନ୍ଦ୍ରୀୟ ଅନୁଷ୍ଠାନ ଓ ପରିଚାଳକ ଦ୍ଵିବେଦୀଙ୍କୁ ଗିରଫ ନ କରାଗଲେ ଅବସ୍ଥା ଅସମ୍ଭାଳ ହୋଇଉଠିବ…. ।”

 

“ଦ୍ଵିବେଦୀ…”ଭିତ କଣ୍ଠରେ କଲେକ୍‌ଟର ସାହେବ ଚିତ୍କାର କଲେ ।

 

ଏତିକିବେଳେ ଖବର ଆସି ପହଞ୍ଚିଲା ୩୦ହଜାର ଜନତା ଯାଜପୁର ଥାନା ଆକ୍ରମଣ କରି, ଯାଜପୁର ସବଟ୍ରେଜେରୀ ଲୁଟ କରିବା ପାଇଁ କୃତ ସଂକଳ୍ପ ହୋଇଛନ୍ତି ।

 

ଆଉ ଦ୍ଵିବେଦୀଙ୍କ ନେତୃତ୍ଵରେ ଜନତା ସଙ୍ଗଠିତ ହୋଇଛନ୍ତି ବୋଲି ବୁଝିବାକୁ ଆଉ ବେଶୀ ସମୟ ଲାଗିଲା ନାହିଁ ।

 

କାଳବିଳମ୍ବ ନ କରି ଚାରିବାଟିଆ ସୈନ୍ୟଛାଉଣୀରୁ ୫୦୦ସଶସ୍ତ୍ର ଫୌଜ ଯାଜପୁର ଅଭିମୁଖରେ ଯିବାର ସ୍ଥିରିକୃତ ହେଲା ।

 

ରେନର ସାହେବ ବିପ୍ଳବୀ ଦ୍ଵିବେଦୀଙ୍କୁ ଶୀଘ୍ର ଧରିବାର ଦାୟିତ୍ଵ ନିଜ ହାତରେ ନେଲେ-

 

ବିଭିନ୍ନ ପୁରପଲ୍ଲୀରେ ସଶସ୍ତ୍ର ପୁଲିସ୍ ବ୍ୟବସ୍ଥାକରି ସରକାରୀ କୋଠାବାଡ଼ି ଓ ସରକାରୀ ଅଫିସରଙ୍କ ଧନ ଜୀବନ ରକ୍ଷା କରିବା ପାଇଁ ପୁଲିସ ସାହେବଙ୍କୁ ପରାମର୍ଶ ଦିଆଗଲା ।

***

 

ଦୁଇ

 

ଯାଜପୁର ସହର ।

 

ଚିର ସ୍ମରଣୀୟ ଅଗଷ୍ଟ ବିପ୍ଳବ । ପଦ୍ମନାଭ ରାୟଙ୍କ ନେତୃତ୍ଵ । ୩୦ହଜାର ଜନତା । ନିର୍ଦ୍ଦେଶ ଆସିଛି ଯାଜପୁର ସବ୍‍ଡ଼ିଭିଜନରେ ପ୍ରତ୍ୟେକ ପୁରପଲ୍ଲୀରେ ସ୍ଵାଧୀନ ପଞ୍ଚାୟତ ରାଜ୍ୟ ପ୍ରତିଷ୍ଠା ହେବ ।

 

ପ୍ରାନ୍ତୀୟ ଅଗଷ୍ଟ ବିପ୍ଳବୀ ନେତା ଦ୍ଵିବେଦୀ ନିରୁଦ୍ଦେଶ କଲେକ୍‌ଟରଙ୍କ ଘରୁ । ତଥାପି ନିର୍ଦ୍ଦେଶ ଯଥା ସମୟରେ ପହଞ୍ଚିଛି ।

 

ଜନତାର ଆମରଣ ପଣ । ଲୁହ ଲହୁରେ କଳଙ୍କିତ ବ୍ରିଟିଶ ଶାସନ ଲୋପକରି ଗଢ଼ିବ ଆଜାଦ ଭାରତ ।

 

୫୦୦ ସୁସଜ୍ଜିତ ସୈନ୍ୟ ୪୫ମିନିଟ ପରେ ଯାଜପୁରରେ ପହଞ୍ଚିଯିବେ ।

 

ଉତ୍କଣ୍ଠିତ ଭାବେ ଯାଜପୁର ସବ୍‍ଡ଼ିଭିଜନାଲ ଅଫିସର ସେମାନଙ୍କୁ ଅପେକ୍ଷା କରିଛନ୍ତି ।

 

ଜନତାକୁ ନିର୍ଦ୍ଦେଶ ଦିଆଗଲା ଶାନ୍ତିପୂର୍ଣ୍ଣ ଭାବରେ ଯେ ଯେଉଁଠି ଅଛନ୍ତି, ବସିପଡ଼ିବାକୁ ।

 

ବିରାଟ ସଭାରେ ପ୍ରସ୍ତାବ ଗୃହିତ ହେଲା । ସବ୍‍ଡ଼ିଭିଜନାଲ ଅଫିସରଙ୍କୁ ଚାକିରି ଛାଡ଼ିବାକୁ ଅନୁରୋଧ କରାଯିବ । ପୋଷ୍ଟ ଅଫିସ୍ ଜଳକର ଅଫିସ୍, ଥାନା, ସବ୍‍ଡ଼ିଭିଜନ ଅଫିସ, ସବ୍‌ଟ୍ରେଜେରୀ ସମସ୍ତ ଶାନ୍ତିପୂର୍ଣ୍ଣ ଭାବରେ ଦଖଲ କରାଯିବ ।

 

ଦେଖୁ ଦେଖୁ ବେଳ ଗଡ଼ିଗଲା । ସୈନ୍ୟ ଫୌଜର ଦେଖାନାହିଁ । ଶାନ୍ତିପ୍ରିୟ ଜନତା ସବ୍‌ଡିଭିଜନାଲ ଅଫିସରଙ୍କ କୋଠିଆଡ଼କୁ ଧାବମାନ ହେଲେ ।

 

୨୦୦ଗଜ ଦୂରରେ ପୁଲିସ ଫୌଜଙ୍କ ସହିତ ଇନ୍‌ସପେକ୍ଟର ସାହେବ ଜନତାକୁ ଅପେକ୍ଷା କରିବାକୁ ଅନୁରୋଧ କଲେ ।

 

ମୁଷ୍ଟିମେୟ ସରକାରୀ କର୍ମଚାରୀ ଏ ପ୍ରକାଣ୍ଡ ଜନସ୍ରୋତକୁ ବାଧା କ’ଣ ବା ଦେବେ ? ଆତ୍ମ ସମର୍ପଣ ବିଧେୟ ବୋଲି ଚତୁର ଇନ୍‌ସପେକ୍ଟର ବେଶ୍‌ ବୁଝି ପାରିଥିଲେ ।

 

ପୁଲିସ କର୍ମଚାରୀମାନେ ସମସ୍ଵରରେ ”ଇଂରେଜ ଭାରତ ଛାଡ଼” “ଭାରତ ମାତାକୁ ଜୟ” ଧ୍ଵନିରେ ଦିଗ୍‌ବିଦିଗ କମ୍ପାଇ ଦେଲେ ।

 

ସୁଚତୁର ଏସ୍‍ଡ଼ିଓ ସାହେବ ନିରାଶହୋଇ ଜନତାକୁ ସ୍ଵାଗତମ୍‌ କରିବା ନିମନ୍ତେ ସେଠାରେ ଆସି ପହଞ୍ଚିଲେ ।

 

ଜନତା ତାଙ୍କୁ ବିଜୟମାଳା ପିନ୍ଧାଇଦେଇ ଆଜାଦ୍‌ ଭାରତ ମୁକ୍ତି ସଂଗ୍ରାମର ନେତୃତ୍ଵ ଦେବାପାଇଁ ଅନୁରୋଧ କଲେ ।

 

ଏସ୍‍ଡିଓ, ସାହେବଙ୍କୁ ଅଭିନନ୍ଦନ କରି, ଜଣେ ସୁସ୍ଥକାୟ ମୁସଲମାନ ଯୁବକ ଭାଷଣ ଦେଲେ ।

 

“ବିଶ୍ଵ ସଭ୍ୟତା ଧ୍ଵଂସ ପାଇଯାଉଥିଲାବେଳେ ଭାରତର ସ୍ଵାଧୀନତା ଯେ କେତେ ପ୍ରୟୋଜନ, ତାର ଆବଶ୍ୟକତା ସାମ୍ରାଜ୍ୟବାଦୀ, ସ୍ଵାର୍ଥପ୍ରିୟ ଇଂରେଜ ସରକାରଙ୍କ ବ୍ୟତିରେକେ ସମସ୍ତେ ସ୍ଵୀକାର କରିବେ । ଦୁଇଶତ ବର୍ଷ ହିଂସ୍ର ବ୍ରିଟିଶ ଶାସନର ନିର୍ଯାତନା ଚକତଳେ ପେଶିତହୋଇ, ଆଜି ଇଂରେଜ ସାମ୍ରାଜ୍ୟ ଧ୍ଵଂସ ପାଉଥିଲାବେଳେ ପୁଣି ଜାପାନୀ ବା ଜର୍ମାନ ସାମ୍ରାଜ୍ୟକୁ ଆମକୁ ଅର୍ପଣକରି ଇଂରେଜ ସରକାର ଚାଲିଯିବ, ଆମେ ୪୦କୋଟି ଜନତା ସହ୍ୟ କରିପାରିବା ନାହିଁ । ଚୀନ, ରୁଷର ବହୁମୂଲ୍ୟ ସ୍ଵାଧୀନତା ରକ୍ଷା କରିବାକୁ ହେଲେ ଭାରତ ଆଗ ସ୍ଵାଧୀନ ହେବା ଦରକାର । ନିଖିଳ ଭାରତ କଂଗ୍ରେସ କମିଟି ତାର ଏ ସ୍ପଷ୍ଟ ଦାବିକୁ ଉପସ୍ଥାପିତ କରି ମଧ୍ୟ କିଛି ଫଳ ହେଲା ନାହିଁ । ତେଣୁ ଆଜି ନିଶ୍ଚିତ ହୋଇସାରିଛି ”କର ବା ମର” ଜନତା ଶପଥ ନେଇ ୨୨ବର୍ଷ ଶାନ୍ତି ପୂର୍ଣ୍ଣ ସଂଗ୍ରାମରେ ଅର୍ଜିତ ଅହିଂସା ଶକ୍ତିକୁ ପ୍ରଧାନ ଅସ୍ତ୍ରରୂପେ ବ୍ୟବହାରକରି ୪୦କୋଟି ଜନତା ତଥା ବିଶ୍ଵର ଦଳିତ, ଶୋଷିତ ମାନବ ଜାତିର ଅଶେଷ କଲ୍ୟାଣକର ପରମ ଧନ ସ୍ଵାଧୀନତା ଅର୍ଜନ କରିବ ।

 

ଦୁଃଖର କଥା ବିପ୍ଳବର ନେତା ଗାନ୍ଧିଜୀ, ଜବାହାରଲାଲ ଆଦି ନେତୃତ୍ଵ ଦେବାପାଇଁ ଆମ ପାଖରେ ନାହାନ୍ତି । ତଥାପି ଆମେ ନିରୁତ୍ସାହ ହୋଇନୁ । ମୁକ୍ତିକାମୀ ଭାରତର ଜନତା ନିଜେ ନିଜର ବିପ୍ଳବର ମାର୍ଗଧରି ନେବ ।

 

କୌଣସି ଭାରତୀୟ କିମ୍ବା ଅଭାରତୀୟର ରକ୍ତ ଆମେ ଚାହୁଁନା, ଆମେ ଚାହୁଁ ସ୍ଵାଧୀନତା-ନିଜ ରକ୍ତର ବିନିମୟରେ, ସେ ଅମୂଲ୍ୟ ରତ୍ନ ଯେବେ ମିଳେ ଛାର ଜୀବନ କ’ଣ ହେବ-? ଧୀର ଶାନ୍ତ ଭାବରେ ବ୍ରିଟିଶ ଶାସନକୁ ଭାଙ୍ଗି ନୂଆ ଶୃଙ୍ଖଳିତ ଶାସନ ଆମେ ଗଢ଼ିବୁ । ପ୍ରତିରୋଧ ଯେ କରିବେ ତାଙ୍କର ହୃଦୟ ପରିବର୍ତ୍ତନ କରି ଆମଆଡ଼କୁ ଟାଣି ଆଣିବାକୁ ହେବ ।

 

ଆଜି ଯାଜପୁରବାସୀ ଏହି ଅପୂର୍ବ କୌଶଳ ଦ୍ଵାରା ଯେପରି ଏସ୍‍ଡ଼ିଓ, ସାହେବଙ୍କ ଚିତ୍ତ ଜୟ କରିଛନ୍ତି ତାହା ଇତିହାସର ବିଜୟ ମାଲ୍ୟ ହୋଇରହିବ । ବିଚକ୍ଷଣ କୁଶଳ ଏସ୍‍ଡ଼ିଓ ସାହେବ-ଡାକ, ସ୍ଵାଧୀନତା ମାଦକତାରେ ଯେପରି ବିହ୍ଵଳ ହୋଇ ଆମ ସାଙ୍ଗକୁ କାନ୍ଧ ମିଳାଇ ଦେଇଛନ୍ତି, ସେ ଘଟଣା ଗୀତା ଭାଗବତଠାରୁ ଆହୁରି ପୁଣ୍ୟବନ୍ତ ହୋଇ ଜାତୀୟ ଜୀବନ ଇତିହାସରେ ଚିରକାଳ ଝଟକି ଉଠିବ ।

 

ଏସ୍‍ଡ଼ିଓ, ସାହେବ, ଆଜିର ଏ ଶୁଭ ଦିନରେ ଆପଣଙ୍କୁ ଅଭିନନ୍ଦନ ନିଜେ ନ କରି ରହିପାରିଲି ନାହିଁ- ତେଣୁ ଫେରାର ଦ୍ଵିବେଦୀ ଉପସ୍ଥିତିରେ ଆଜି ।

 

ଜନତା ଅଧୀରହୋଇ ଚିତ୍କାର କରିଉଠିଲେ “ଫେରାର ଦ୍ଵିବେଦୀଙ୍କୁ ଜିନ୍ଦାବାଦ୍ ।”

 

ବିଦ୍ୟୁତ ବେଗରେ ଅପୂର୍ବ ସିହରଣ ପ୍ରତ୍ୟେକଙ୍କ ଶିରା ପ୍ରଶିରାରେ ଖେଳିଗଲା ।

 

ପୁଣି ଆରମ୍ଭ କଲେ “୫୦୦ସଶସ୍ତ୍ର ପୁଲିସ ହୁଏତ ଏଠି ପହଞ୍ଚିଥିଲେ ୩୦ହଜାର ଜନତାର ଲୁହ ଲହୁରେ ସାରା ଯାଜପୁର ସହର ପ୍ଳାବିତ ହୋଇଥାଆନ୍ତା । ଭଗବାନ ସାହାଯ୍ୟ କରିଛନ୍ତି । ଆମ ଅଭିଷ୍ଟ କର୍ମଯୋଜନା ଅକ୍ଷରେ ଅକ୍ଷରେ ବିନା ରକ୍ତପାତରେ ପାଳିତ ହୋଇଛି । ସାରାଦୁନିଆ, ଶଠ ବ୍ରିଟିଶ ସରକାର ବୁଝୁ, ଅହିଂସାବ୍ରତୀ ଭାରତ କିପରି ଶାନ୍ତିପୂର୍ଣ୍ଣ ବାୟୁମଣ୍ଡଳ ଭିତରେ ସ୍ଵାଧୀନତା ସଂଗ୍ରାମ ଚଳାଇ ଯଶସ୍ଵୀ ହୋଇଛି ।

 

ଆଉଥରେ କହିରଖୁଛି ଏସ୍‍ଡ଼ିଓ, ସାହେବ-ଆପଣଙ୍କ ଜିଲ୍ଲା ହାକିମଙ୍କୁ କହି ମଧ୍ୟ ଆସିଛି-ଏ ସଂଗ୍ରାମ ୪୦କୋଟି ଜନତାର ମୁକ୍ତ ସଂଗ୍ରାମ-କିନ୍ତୁ ଲାଭବାନ୍ ହେବେ କିଏ ଜାଣ ? ଆପଣ-ଆପଣମାନେହିଁ ବେଶି ଲାଭବାନ୍ ହେବେ । ଆଗରେ ଉଜ୍ଜ୍ୱଳ ଭବିଷ୍ୟତ ଆପଣଙ୍କର – ୩୦ହଜାର ସ୍ଵାଧୀନ ପାଗଳାମୀ ଜନତାର ଅବସ୍ଥା ଯାହାହେଉ ନା ନାହିଁ-ପୁରସ୍କୃତ ହେବେ ଆପଣ ବିଶେଷ-ବ୍ରିଟିଶ ଗୋଲାମି ମୋହ ଛା଼ଡ଼ – ଯାହାଙ୍କ ସହିତ ସାମାଜିକ ଓ ରକ୍ତର ସମ୍ପର୍କ ସେମାନଙ୍କୁ ଅନାଅ-ଜାତିର ସ୍ଵାଧୀନତା ସକାଶେ ପାଗଳ ହୋଇଯାଅ, ସ୍ଵାଧୀନତା ବନ୍ଦାପନାକରି ଆଣିବେ-ଯାଜପୁରର ପ୍ରଧାନ କର୍ମକର୍ତ୍ତା ବ୍ରିଟିଶ ସରକାରଙ୍କ ତରଫରୁ ଥିଲେ, ଆଜି ଆଜାଦ ଭାରତ ତରଫରୁ ଆପଣଙ୍କୁହିଁ – କାର୍ଯ୍ୟଭାର ଦିଆହେଲା ।

 

ପୁଣିଥରେ ଭାଇମାନଙ୍କୁ କହିରଖୁଛି ଆମ ଲକ୍ଷ୍ୟ ସ୍ଥାନରେ ପହଞ୍ଚିବାକୁ ଆହୁରି ଡେରି ଅଛି । ଅହିଂସା ସେନାବାହିନୀର ଯୋଗ୍ୟ ସୈନ୍ୟ ହିସାବରେ ନିଜର ଯଥା ସର୍ବସ୍ଵ ଦେଇ ସ୍ଵାଧୀନ ପଞ୍ଚାୟତ ରାଜ୍ୟ କାୟମ ରଖିବାକୁ ହେବ ।

 

ରକ୍ତ ! ରକ୍ତ ଲୋଡ଼ା ହେଲେ ରକ୍ତ ଦିଅ । ତା ବିନିମୟରେ ସ୍ଵାଧୀନତା ନିଶ୍ଚୟ ମିଳିବ ।

 

ଜୟ ହିନ୍ଦ୍

 

ଜନତା ବିଶୃଙ୍ଖଳିତ ହୋଇ ଦ୍ଵିବେଦୀଙ୍କ ଦର୍ଶନ ନିମନ୍ତେ ଅସ୍ଥିର ହୋଇଉଠିଲେ ।

 

କିନ୍ତୁ କାହିଁ ? କୁମ୍ଭାରଶାଳର ଅଗ୍ନିସ୍ଫୁଲିଙ୍ଗ ପରି ବିଦ୍ୟୁତ ଗତିରେ ସେଠାରୁ ସେ ଅନ୍ତରର୍ଦ୍ଧାନ ହୋଇଗଲେ ।

 

ସମସ୍ତେ ବିସ୍ମୟାଭୋଳ ।

 

ଜଣେ ନିଚ୍ଚଦରର ଗୁଇନ୍ଦା ଖବରଦାତା ଆଉଜଣେ ସହକର୍ମୀକୁ କହୁଛି-”ଦ୍ଵିବେଦୀଙ୍କୁ ଧରାଇଦେଲେ ପରା ୧୦,୦୦୦ହଜାର ଟଙ୍କା ପୁରସ୍କାର ।

 

ମିଲିଟେରୀ ସ୍ପେଶାଲ ଟ୍ରେନ୍‍ଟି ଜେନାପୁର ଷ୍ଟେସନର ୩ମାଇଲ ପଛକୁ ଭୋର ୪ଟା ବେଳୁ ପଡ଼ିଛି । ଆସି ଦିନ ୧୦ଟା ବାଜିଲାଣି । ଆସୋନସୋଲ ଟ୍ରେନ, କେତେକ ମାଲଗାଡ଼ି ବି ପଡ଼ିରହିଛି ।

 

ଯାଜପୁରର ବିଦ୍ରୋହ ଦମନ ନିମନ୍ତେ ଫୌଜ ଆସିଛନ୍ତି ବେଳ ଗଡ଼ିଗଲାଣି । ଯାଜପୁର ସବ୍‌ଡ଼ିଭିଜନ ତେବେ ବ୍ରିଟିଶଶାସନରୁ ଅଲଗା ହୋଇଗଲା । କମାନଡେଣ୍ଟ ବ୍ୟତିବ୍ୟସ୍ତ ହୋଇଉଠିଲେଣି ।

 

କ’ଣ କରିବେ ?

 

କୋଇଲା, ପାଣି, ଧୂଆଁର ସଂଯୋଜକ ତାର ଓ ଯନ୍ତ୍ରପାତିଗୁଡ଼ିକ ଠିକ୍ କାମ କରୁଛି । ତେବେ ଗାଡ଼ି ଚଳୁନି କିପରି ? ଡ୍ରାଇଭରମାନେ ସମସ୍ତେ ଲାଗିପଡ଼ି ପ୍ରତି ଅଂଶ ପୁନଃ ପୁନଃ ପରୀକ୍ଷା କରି ବ୍ୟତିବ୍ୟସ୍ତ ହୋଇଗଲେଣି । ତଥାପି କୌଣସିମତେ ଫୁଟେ ସୁଦ୍ଧା ଗାଡ଼ି ଆଗକୁ କିମ୍ବା ପଛକୁ ଘୁଞ୍ଚୁନାହିଁ ।

 

ତାଜିବ୍ କଥା । ଦୁନିଆରେ କେବେ ଏପରି ଘଟିନାହିଁ । ସୈନ୍ୟ ଫଉଜ, ସାଧାରଣ ଯାତ୍ରୀ, ଡ୍ରାଇଭର ପ୍ରଭୃତି ବିଭିନ୍ନ ରେଳବାୟୀ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇ କିଂକର୍ତ୍ତବ୍ୟବିମୂଢ଼ ହୋଇ ଗଲେଣି । ମେନ୍ ଲାଇନ୍ ଉପରେ ଗାଡ଼ି ଅଟକିଛି ।

 

ଅଗଷ୍ଟ ବିପ୍ଳବୀଙ୍କର କ’ଣ ହାତ ଅଛି ? ସେମାନେ ଚାହିଁଥିଲେ ତ ରେଳଲାଇନ ଦୁଇତିନି ମାଇଲ ଉଠାଇ ଦେଇ ସ୍ପେଶାଲ ଗାଡ଼ିଟିକୁ ଧ୍ଵଂସ କରି ପାରିଥାନ୍ତେ । ଚାରିଆଡ଼େ ରେଳଲାଇନ ଉଠାଇ ଦେବା, ଟେଲିଫୋନ ଲାଇନ୍ କାଟିଦେବା, ପୋଲ ଉଠାଇଦେବା, ତାର ଲାଇନ କାଟିବା କାମ ଲାଗିଛି ।

 

କିନ୍ତୁ ଉପସ୍ଥିତ କ୍ଷେତ୍ରରେ ଟେଲିଫୋନ ଲାଇନ୍ କାଟା ହୋଇନି । ଟେଲିଗ୍ରାଫ ଲାଇନ ଠିକ୍ ଅଛି । ନଚେତ ମାରାତ୍ମକ ଆକ୍‌ସିଡ଼େଣ୍ଟ ହୋଇ କେତେ କ’ଣ ଘଟି ଯାଆନ୍ତାଣି ।

 

ଖଡ଼ଗପୁର, ଖୋର୍ଦ୍ଧାରୋଡ଼ ପ୍ରଭୃତି ରେଳବାୟୀ ରେଳଇଞ୍ଜିନ୍‌ ବିଶେଷଜ୍ଞମାନେ ସ୍ପେସାଲ ଇଞ୍ଜିନ୍‌ ନେଇ ଏପାଖ ସେପାଖରେ ଲଗାଇ ବ୍ୟର୍ଥ ମନୋରଥ ହେଲେ । କିଛି ପ୍ରତିକାର ଦିଶିଲା ନାହିଁ ।

 

ସନ୍ଧ୍ୟାବେଳେକୁ ସ୍ଥାନଟି ଲୋକାରଣ୍ୟ ହୋଇଉଠିଲାଣି । ସମସ୍ତଙ୍କର ବିଦ୍ୟା, ବୁଦ୍ଧି, ବିଜ୍ଞାନର ବିଶେଷତ୍ଵ ପରାଜୟ ସ୍ଵୀକାର କଲାଣି ।

 

ଉପାୟ ନାହିଁ । ତେବେ କଣ ମେନ୍‍ଲାଇନ ଉପରୁ ଗାଡ଼ିଟିକୁ ଲେଉଟାଇ ପକାଇବାକୁ ହେବ ।

 

ବିଭିନ୍ନ ଡବାର ସଞ୍ଜୋଜକକୁ ଅଲଗା କରାଯାଇ ଗୋଟି ଗୋଟି କରି ଡବାଗୁଡ଼ିକୁ ଘୁଞ୍ଚାଇବାକୁ ଚେଷ୍ଟା କରାଗଲା ।

 

ସବୁ ବ୍ୟର୍ଥ ହେଲା ।

 

ଶରତ ଆକାଶର ଖଣ୍ଡ ଖଣ୍ଡ କଳାହାଣ୍ଡିଆ ମେଘ ଘନେଇ ଆସୁଥାଏ । ଦିନ ଗୋଟାକ ଉପବାସ । ଲୋକଗୁଡ଼ାକ ଭୋକରେ ଆଉଟି ପାଉଟି ହେଲେଣି ।

 

ହଠାତ୍ କେତେଜଣ ଗାଉଁଲି ଲୋକ ଆସି ରେଳଇଞ୍ଜିନ ଭିତରେ ବିଭିନ୍ନ ଚଳନଯନ୍ତ୍ର ପରୀକ୍ଷା କରୁଥିବା ଲୋକଙ୍କ ସଙ୍ଗରେ ଗାଉଁଲି ଭାଷାରେ ମସୁଧା କଲେ ।

 

ବିଶେଷଜ୍ଞ ଡ୍ରାଇଭରମାନେ ଅର୍ଦ୍ଧଲଗ୍ନ, ମୂର୍ଖ ଗାଉଁଲି ଲୋକଙ୍କୁ ଉପହାସ ଛଳରେ ନାନା ଅସାଧୁ ଭାଷାରେ କହିଲେ ।

 

ଓଡ଼ିଆ ଫାୟାରମ୍ୟାନଟି କହିଲା “ଯାଆରେ ବାପା ବଳଦଗାଡ଼ି ଚକ, ଅଖ ଟିପେଇ ପରୀକ୍ଷା କରିବୁ… ।”

 

“ନାହିଁ ବାବୁ ! ବଳଦଗାଡ଼ି ଚଳାଇବାକୁ ତ ଭଗବାନ ଜନମ ଦେଇଛନ୍ତି – ଏଥିରୁ ଆମକୁ କ’ଣ ମିଳିବ ? ଖାଲି ତମର ଦହଗଞ୍ଜ ଦେଖି-” ଜଣେ ବଳିଷ୍ଠ ଯୁବକ ଉତ୍ତର ଦେଲା ।

 

ତେଲଙ୍ଗା ଡ୍ରାଇଭର ଟିକିଏ ବିରକ୍ତ ହୋଇ ଉତ୍ତର ଦେଲା “ବଡ଼ ବଡ଼ ଇଞ୍ଜିନ କାମ ଜାଣିଥିବା ଲୋକ ତ ଗଲେଣି…..

 

“ଅନେକ ସମୟରେ ବଡ଼ ବଡ଼ ଲୋକଙ୍କଦ୍ଵାରା ଯାହା ନ ହୁଏ, ସାନ ସାନ ଲୋକଙ୍କ ଦ୍ଵାରା ହୋଇଯାଏ ।”

 

ତେବେ କ‘ଣ କହୁନା ?

 

ଇଞ୍ଜିନ୍ ଠିକ୍ ଅଛି ?

 

ଆମେ ସେଇଆ ଭାବୁଛୁ ?

 

ତେବେ ଲାଇନ ଦେଖୁନା….. ।

 

ଲାଇନ ଦେଖିବୁ ? ଡ୍ରାଇଭର କହିଲା ।

 

ହଁ, ଚୁମ୍ବକ ପଥର ଯେବେ….. ।

 

ଡ୍ରାଇଭର, ଫାୟାରମାନ, ଅନ୍ୟାନ୍ୟ ଲୋକମାନେ ହସିଉଠିଲେ । ଏତିକିବେଳେ ଖଡ଼ଗପୁରରୁ ଆସିଥିବା ଇଞ୍ଜିନବିଷାରଦ ବିଭିନ୍ନ ଚେଷ୍ଟାରେ ବିଫଳ ମନୋରଥ ହୋଇ କ୍ଳାନ୍ତି ଦୂର କରିବା ନିମନ୍ତେ ସିଗାରେଟ ଖଣ୍ଡେ ଟାଣୁଥାନ୍ତି ।

 

ସେ ଏମାନଙ୍କ କଥାବାର୍ତ୍ତା ଉପଭୋଗ କରୁଥିଲେ । ଚୁମ୍ବକ-ମ୍ୟାଗନେଟ, ହଠାତ୍ ତାଙ୍କ ଭିତରେ ଗୋଟାଏ ସିହରଣ ଖେଳିଗଲା ।

 

ଅସରାଏ ପ୍ରବଳ ମେଘ ମାଡ଼ିଆସିଲା । ନିଜର ପାଞ୍ଚସେଲ ଟର୍ଚ୍ଚଲାଇଟିକୁ ମାରିଦେଇ ଡବା ତଳେ ଥିବା ଲାଇନକୁ ପରୀକ୍ଷା କରୁ କରୁ ଚିତ୍କାର କରିଉଠିଲେ “ମ୍ୟାଗନେଟ-ଚୁମ୍ବକ ଲୁହା-।”

 

କମାଡ଼େଣ୍ଟ ପ୍ରଭୃତି ସମସ୍ତେ ଜମା ହୋଇପଡ଼ିଲେ । ପରୀକ୍ଷା କରାଯାଇ ଦେଖାଗଲା ୩ଇଞ୍ଚ ବହଳରେ ଚୁମ୍ବକ ଲୌହ ୩୦୦ଗଜ ବିସ୍ତୃତ ରେଳଲାଇନ ଉପରେ ବିଛାଇ ଦିଆଯାଇଛି ।

 

ଅଚାନକ ବର୍ଷା ହେଉଥାଏ । ବିଜୟ ଗୌରବରେ ଉନ୍ନତ ହୋଇ ରେଳବାୟୀ କର୍ମଚାରୀ ଓ ଫୌଜମାନେ ଲାଇନ ଉପରୁ ଚୁମ୍ବକ ଲୌହକୁ ଅପସାରିତ କରିଦେଲାରୁ-ରେଲଗାଡ଼ି ଚଳନଶୀଳ ହୋଇଉଠିଲା ।

 

ବ୍ରେକ ଦେଇ ଗାର୍ଡ ଓ ଡ୍ରାଇଭର କମାଡ଼େଣ୍ଟଙ୍କ ଅଡ଼ରକୁ ଅପେକ୍ଷା କଲେ ।

 

କମାଡ଼େଣ୍ଟ ଆନନ୍ଦିତ ହୋଇ ମ୍ୟାଗନେଟ୍ ହୋଇପାରେ ବୋଲି ପ୍ରସ୍ତାବ ଦେଇଥିବା ଗାଉଁଲି ଯୁବକଟିକୁ ଖୋଜିଲାବେଳକୁ ସେ ଅନ୍ତରର୍ଦ୍ଧାନ ହୋଇଗଲେଣି ।

 

ପାଞ୍ଚମିନିଟ୍ ଏଣେତେଣେ ଖୁବ୍ ଖୋଜା ଖୋଜି କରାଗଲା ।

 

କିନ୍ତୁ ସେ ଯେ ଅଗଷ୍ଟ ବିପ୍ଳବର ବିପ୍ଳବୀ ଦ୍ଵିବେଦୀ-ଓଡ଼ିଆ ଜୀବନରେ “ଭାରତ ଛାଡ଼” ଅହିଂସା ଗଣ ଆନ୍ଦୋଳନର ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ସ୍ରଷ୍ଟା…. ।

***

 

ତିନି

 

ଧରମାର ଜନ୍ମତୀର୍ଥ, ବାଜିଆର କର୍ମଭୂମି, ଚାଖି ଖୁଣ୍ଟିଆ, ବିଦ୍ରୋହୀ ବକ୍‌ସି ଜଗବନ୍ଧୁଙ୍କ ପୂର୍ଣ୍ଣ କ୍ଷେତ୍ରରେ ଅଗଷ୍ଟ ବିପ୍ଳବୀ ଦ୍ଵିବେଦୀଙ୍କ ଜନ୍ମ-ତାଙ୍କର ନେତୃତ୍ଵ, ଅହିଂସା ସଂଗ୍ରାମ ଚାଳନା କୌଶଳରେ ସାରାଜଗତ ସ୍ତମ୍ଭିଭୂତ ହୋଇ ଅନାଇଁ ରହିଲା ।

 

ସୌଭାଗ୍ୟଶାଳିନୀ ବମ୍ବେ ସହର ସର୍ଦ୍ଦାର ପଟେଲଙ୍କ ଗୁଜରାଟ, ଐତିହାସିକ ସିପାହି ବିଦ୍ରୋହର ସତରା, ବିଜୟୀ କର୍ଣ୍ଣାଟକ ସହିଦପୂର୍ଣ୍ଣ ଅସ୍ତିଚିମୂର । ଭାରତରେ ବିପ୍ଳବର ଜନ୍ମଦାତା ବଂଶଠାରୁ ବଳି ଉତ୍କଳର ଅଗଷ୍ଟ ବିପ୍ଳବ ଗୌରବାନ୍ଵିତ ହୋଇଉଠିଛି ।

 

କୋରାପୁଟ, ବାଲେଶ୍ଵର, ଭଦ୍ରକ ସବ୍‌ଡ଼ିଭିଜନ, ବିଶେଷତଃ ଭଣ୍ଡାରିପୋଖରୀ, ଇରମ, ପୁରୀଜିଲ୍ଲାର ନିମାପଡ଼ା ଥାନା, କଟକ ଜିଲ୍ଲାର ଏରସମାଥାନା, ତିରତୋଲ, ଜଗତସିଂହପୁର ଥାନା, ଯାଜପୁର ସବ୍‌ଡ଼ିଭିଜନର ସମସ୍ତ ପୁରପଲ୍ଲୀରେ ଅଗଷ୍ଟ ବିପ୍ଳବର ବିପ୍ଳବାଗ୍ନି ହୁ ହୁ ଜଳିଉଠି ବ୍ରିଟିଶ ଶାସନ ଚକ୍ରକୁ ଭାଙ୍ଗି ଚୁରମାର କରି, ସ୍ଵାଧୀନ ପଞ୍ଚାୟତ ରାଜ୍ୟ ପ୍ରତିଷ୍ଠିତ ହୋଇଛି ।

 

ଅସଂଖ୍ୟ ନିରୀହ ଅର୍ଦ୍ଧଲଗ୍ନ, ଅର୍ଦ୍ଧବୁଭୁକ୍ଷୁ ଜନତା ବିପ୍ଳବୀନେତା ଦ୍ଵିବେଦୀଙ୍କର ମୋହନମନ୍ତ୍ରରେ ମୁଗ୍‌ଧହୋଇ ନିଜର ରକ୍ତ ମାଂସ ଢାଳିଦେଇ ମାତୃଭୂମି ବକ୍ଷରେ ସ୍ଵାଧୀନତାକୁ ବନ୍ଦାଇ ଆଣିବାକୁ ବେଦିକା ପ୍ରସ୍ତୁତକରି ଦେଇଛନ୍ତି ।

 

ବାପୁଜୀର ଅହିଂସା ଅସ୍ତ୍ର ! ତା ହିଟଲରର ମାରଣାସ୍ତ୍ର, ମୁସୋଲିନର ଷଡ଼ଯନ୍ତ୍ର, ନିଆଁଗିଳା ଜାଠ ଚର୍ଚ୍ଚିଲର କୁଟିଳତାଠାରୁ ଆହୁରି ଭୟଙ୍କର ହୋଇଉଠିଛି । ୪୦କୋଟି ନିରସ୍ତ୍ରଜନତାର ଅହିଂସା ଅସ୍ତ୍ର ।

 

ବେଶ୍ ସଂଗ୍ରାମ । ରୁଷିଆର ନଭେମ୍ବର ବିପ୍ଳବଠାରୁ ଆହୁରି ଚମତ୍କାର । ୧୮୫୬ ସଶସ୍ତ୍ର ସିପାହି ବିଦ୍ରୋହଠାରୁ ଆହୁରି ପ୍ରାଣସ୍ପର୍ଶୀ ଦୁନିଆ ଇତିହାସରେ ଚିର ନୂତନ ।

 

ରେନର ସାହେବ ବିଚଳିତ ହୋଇଉଠିଲେଣି । ତାଙ୍କୁ ଦୈନିକ କାଗଜଗୁଡ଼ିକ “ଦ୍ଵିବେଦୀଙ୍କର ଯାଜପୁର ବିଚିତ୍ର କାହାଣୀ, ଟ୍ରେନ୍ ବନ୍ଦକରାଇ ଦେବାର ବୈଜ୍ଞାନିକ କୌଶଳ ଆହୁରି ଭୟଭୀତ ଓ ଆତଙ୍କିତ କରିପକାଇଲାଣି ।

 

ପ୍ରତିଦିନ ଲକ୍ଷ ଲକ୍ଷ ଲିଥୋକରା ବୁଲେଟିନମାନ କଟକରୁ ଦ୍ଵିବେଦୀଙ୍କ କତ୍ତୃତ୍ଵ ପ୍ରକାଶ କରାହୋଇ ବିଭିନ୍ନ ଜିଲ୍ଲାକୁ ପଠାଯାଉଛି । ତଥାପି……. ।

 

ଚିନ୍ତାମଗ୍ନ ହୋଇ କ’ଣ ଭାବୁ ଭାବୁ କଲିଙ୍ଗ ବେଲଟି ବଜାଇ ଦେଲେ । ସଙ୍ଗେ ସଙ୍ଗେ ପିଅନ ଆସିବାରୁ ଷ୍ଟେନୋବାବୁଙ୍କୁ ଡାକିବାକୁ ଆଦେଶଦେଇ, ଦ୍ଵିବେଦୀଙ୍କୁ ଧରିବାର ବିଭିନ୍ନ କୌଶଳ ଚିନ୍ତା କରିବାକୁ ଲାଗିଲେ ।

 

ଦ୍ୱିବେଦୀଙ୍କ ନିକଟରେ ତାଙ୍କର ୨୮ବର୍ଷ ଅର୍ଜିତ କର୍ମକୁଶଳତା ତେବେ କଣ ବିଫଳ ହେବ ? ଆଖି ଆଗରେ ଦେଖିବେ ବ୍ରିଟିଶ ସାମ୍ରାଜ୍ୟ ଖଣ୍ଡ ଖଣ୍ଡ ହୋଇ ଛିଣ୍ଡିପଡ଼ିବ ! ଗୋରାରକ୍ତ ଶିରାପ୍ରଶିରାରେ ପ୍ରବାହିତ ହୋଇ, ଗୋରାଜାତିର ଆଭିଜାତ୍ୟ, ସ୍ଵାର୍ଥ, ବିଜେତା ହିସାବରେ ଗୌରବମୟ ଇତିହାସ କଳଙ୍କିତ ହେବ !

 

କିରାନୀ କ୍ଳାଇବ୍– ଆବଧ୍ୟ କ୍ଳାଇବ୍ – ଅନୁପଯୁକ୍ତ କ୍ଳାଇବଙ୍କ ୫୦୦ସହ ଜଣ ଗୋରା ଫୌଜ ନେଇ ଆରକଟ ଦୁର୍ଗ ବିଜୟ କଥା ତାଙ୍କ ଆଖିଆଗରେ ଭାସିଉଠିଲା । ଗୋରା ଜାତିର ଗୋଟାଏ ବେପାରୀଦଳ ଯେଉଁ ଇତିହାସ ସୃଜିଯାଇଛି, ତା ଆଜି ଗୋଟାଏ ଜାତି ରଖିପାରୁନି । …ହା ହତାଶରେ ରେନରସାହେବ ଚିତ୍କାର କରିଉଠିଲେ ”ଦ୍ଵିବେଦୀର ମୁଣ୍ଡ ମୁଁ ଚାହେଁ…. ।”

 

ଷ୍ଟେନୋ ବାବୁ ପ୍ରବେଶ କରୁ କରୁ ସାହେବଙ୍କ ଚିତ୍କାରରେ ତାଙ୍କ ପଞ୍ଜରାହାଡ଼ ଭୟରେ କମ୍ପିଉଠିଲା ।

 

ଷ୍ଟେନୋ ବାବୁଙ୍କୁ ଦେଖି ପ୍ରକୃତିସ୍ଥ ହୋଇ ଜିଜ୍ଞାସୁ ନୟନରେ ଚାହିଁ ରହିଲେ ।

 

ଥରିଲା କଣ୍ଠରେ ଷ୍ଟେନୋ ବାବୁ କହିଲେ,”ବକ୍‌ସ ଷ୍ଟାର…ସରଜେଣ୍ଟ ଜେନେରାଲ….ଅପେକ୍ଷାରେ ।”

 

ଡାକି ଆଣିବାକୁ ଇଙ୍ଗିତ ଦେଲେ ସାହେବ । ବକ୍‌ସଷ୍ଟାର ଧୀରେ ପ୍ରବେଶ କରି ପୁଲିସ କାଇଦାରେ ସଲାମ କଲେ ।

 

ରେନର ସାହେବଙ୍କର ଯେପରି ସେଥିପ୍ରତି ନଜର ନାହିଁ ।

 

ବକ୍‌ସଷ୍ଟାର ସାହେବ ଥରିଲା ହାତରେ ଗୋଟିଏ ମୁଦା ଲଫାପା ଥୋଇଦେଇ ରେନର ସାହେବଙ୍କ ଦୃଷ୍ଟି ଆକର୍ଷଣ କଲେ….. ।

 

ଇତିହାସ ପ୍ରସିଦ୍ଧ ମରହଟ୍ଟା ବ୍ୟାରକ ।

 

ଏବେ ବ୍ରିଟିଶ ଅମଳରେ ରିଜର୍ଭ ପୁଲିସ ଛାଉଣୀ । ୧୨୦୦ପୁଲିସ ଫୌଜ ସବୁବେଳେ ସଜାଗ । ବିପ୍ଳବ, ବିଦ୍ରୋହ ଦମନ ପାଇଁ ଜୀବନ୍ତ ଅନୁଷ୍ଠାନ । ଗୁପ୍ତ ଭାବରେ ବିପ୍ଳବୀ ଦ୍ଵିବେଦୀଙ୍କୁ ଧରାଇଦେବାର ନିର୍ଦ୍ଦେଶ ଆସିଛି । ପୁରସ୍କାର ଟ ୧୦,୦୦୦ର ଲୋଭ ବି ଅଛି ।

 

ଶରତ ପଶ୍ଚିମ ଆକାଶରେ ସୂର୍ଯ୍ୟ ନଇଁ ଆସିଲେଣି । ୫୦ବର୍ଷର ବଳିଷ୍ଠ ବପୁ ଜଣେ କନେଷ୍ଟବଲ ପକ୍‌କା କୂଅର ମେଜିଆ ଉପରେ ନିଜର କେତେଖଣ୍ଡ ଲୁଗା ସଫା କରୁଛି ।

 

“ସାବୁନ ନେବ ବାବୁ” ଜଣେ ସାବୁନ ବିକ୍ରେତା ସାନୁନୟ କଣ୍ଠରେ କହିଲା । “ଶସ୍ତାରେ ମିଳିବ ବାବୁ । ଆମ କଟକରେ ତିଆରି । ଦେଶୀ ମାଲ ।”

 

“ବାହାର ଏଠୁ । ଶଳା ବ୍ୟାରକ୍ ଭିତରେ ପଶିଲୁ କିମିତି ?”

 

ନାହିଁ ବାବୁ ! ଭାରି ଶୋଷ ହେଲା । ବ୍ରାହ୍ମଣ ପିଲା- ଟୋପାଏ ପାଣି ।

 

ବ୍ରାହ୍ମଣ ପିଲା ! ଶୋଷ ହେଉଛି । ଆଗନ୍ତୁକର କଥାକହିବା ଭଙ୍ଗିରେ ପାଶବିକ ବିଶାରଦ୍ ବୁଢ଼ା କନେଷ୍ଟବଲ ମନରେ ବି ଦୟା ହେଲା ।

 

ଧର୍ମଭୀରୁ ହିନ୍ଦୁର ଧର୍ମ କ’ଣ ତାର କର୍ମ ପଥରୁ ତରଳାଇ ପକାଏ ନାହିଁ ? କନେଷ୍ଟବଲ ଲୁଗାଖଣ୍ଡି ଛାଡ଼ିଦେଇ ନିଜ କୋଠରୀକୁ ପଶିଗଲା । ସାବୁନବାଲା ତାକୁ ଅନୁସରଣ କଲା ।

 

ଦୁଇଇଞ୍ଚ ବହଳରେ ନାଲିମାଟି ଯୁବକଟିର ପାଦଠାରୁ ଆଣ୍ଠୁଯାଏ ପସିଯାଇଛି । ପରିଧେୟ ଖଦି ଲୁଗା । ମୁଣ୍ଡର ବାଳ ଫୁର୍‌ଫୁର୍‌ ଉଡ଼ୁଛି । ଆଖିଗୁଡ଼ିକ ଅନ୍ନାଭାବରେ କୋଟରଗତ ହୋଇଗଲାଣି ।

 

ବୃଦ୍ଧ କନେଷ୍ଟବଲ ଡବାଟି ଲଗାଇଦେଇ ସାବୁନ ବାଲାକୁ ପାଣି ଗିଲାସଟି ବଢ଼ାଇଦେଇ କହିଲା “ଘର କେଉଁଠି ବାବୁ ?”

 

“ଘର କାହିଁ ମଉସା ? ପିଲାଟିଦିନୁ ମା ବାପା ମରିଗଲେ ଏମିତି ଏଠି ସେଠି ମୁଣ୍ଡ ଗୁଞ୍ଜି ରହୁଥିଲି । ଏବେ ଆହେଦ୍ ସାହେବ କୋଠିରେ ସାବୁନ ତିଆରି ତେଲପେଡ଼ା ହେଉନି ? ସେଇଠି ରହି ସାବୁନ ବିକୁଛି ।”

 

ପାଣି ଗିଲାସଟା ପିଇଦେଇ, ତୃପ୍ତି କଣ୍ଠରେ କହିଲା “ଅଶେଷ ଧର୍ମହେବ ମଉସା । ଆଜି ଯେଉଁ ଖରା ?” ଏତେ କହୁ କହୁ ସେ ବସିପଡ଼ିଲା ।

 

କନେଷ୍ଟବଲର ଘର, ପିଲାପିଲିଙ୍କ କଥା ସାବୁନ ବିକାଳି ଜଣାଇ ଦେଲା । ଗୋଟାକ ସରି ଯେପରି କନେଷ୍ଟବଲ ତାରି… ।

 

ଷଠି ଗୋସାଇଁ ଚାରିଖଣ୍ଡି ପିଲା ଦେଇଥିଲେ ପୁଅ । ବରଷ ଦୁଇଟାରେ ଡକାଡ଼କି ହୋଇ ସମସ୍ତେ ଚାଲିଗଲେ । ଗଲାସନ ପୁଅଟିଏ ହୋଇଛି –ଦିନେ ଭଲ ହେଲେ –ଦିନେ ଭଲ ହେଉନି । ଧବଳେଶ୍ଵର ଯାହା କରିବେ । ନିସହାୟର ନିଶ୍ଵାସ ବାର ବାର ପକଇଲା ।

 

କେତେ ବଡ଼ ଠାକୁର ନା ଧଇଲ ମଉସା ।

 

କମି ଠାକୁର, ପୁଅ ! ଆଖି ପିଛୁଳାକେ ଧଳା ବଳଦ କଳା କରିଛି ଯିଏ – ବଡ଼ରୋଗୀର ରୋଗ ରାତି ରାତିକେ ଓହ୍ଲାଇ ନେଇଛି ଯିଏ ! ସେ କଣ ସହଜ ଦେବତା ପୁଅ !

 

ସେ ଦେବତା କ’ଣ ତାଙ୍କ ବଡ଼ପଣ୍ଡାଙ୍କୁ ସପନେଇଛନ୍ତି ଜାଣ ମଉସା ?

 

ଉକ୍ତିର ପ୍ରଶ୍ନବାଚକ ନେଇ ବୃଦ୍ଧ କନେଷ୍ଟବଲ ଉତ୍କଣ୍ଠିତ ହୋଇ ରହିଲା ।

 

ଆସନ୍ତା ଅମାବାସ୍ୟା ଦିନ ପଞ୍ଚଗ୍ରହ କୂଟ ହେବ । ଭୈରବୀ ଡାକିବ । ପ୍ରଳୟ ହେବ– ଏଥିରୁ ବଞ୍ଚିବା କାଠିକର ପାଠ…. ।

 

“ଭଗବାନ ପିଲାତ – ।”

 

ବ୍ୟସ୍ତ ନାହିଁ ମଉସା । ସେ ପୁଣି ସପନେଇଛନ୍ତି ଗାଁ ଗାଁ କେ ହୋମ, ଭାଗବତ ପାଠ, ସଂକୀର୍ତ୍ତନ, ହରିହାଟ ପ୍ରଭୃତି ଲାଗିଲେ ଭୈରବୀ ପଶିପାରିବେ ନାହିଁ – ପ୍ରଳୟ କେଉଁଆଡ଼େ ଉଭେଇଯିବ । ଯେ ଏହା ଶୁଣି ପରିହାସ କରିବ – ତାର ବଂଶ ବୁଡ଼ିଯିବ… ।

 

ଏତେବଡ଼ ଠାକୁରଙ୍କୁ କିଏ ପରିହାସ କରିବ ବାପା !

 

ଗୋଟିଏ ଠାକୁରଙ୍କ କାମ କରିବ ମଉସା ?

 

ଠାକୁରଙ୍କ କାମ ? କଣ କହୁନା ?

 

କେତେଖଣ୍ଡ ଆଜ୍ଞା ପତ୍ରିକା ମଉସା ! ବାଣ୍ଟିଦେବାକୁ ହେବ । ଯିଏ ଆକୁ ପଢ଼ିବ ତାକୁ ୨୦୦ଖଣ୍ଡ ନିଜ ହାତରେ ଲେଖି ବାଣ୍ଟିଦେବାକୁ ହେବ । ଯେ ପଢ଼ି ୨୦୦ଖଣ୍ଡ ନ ବାଣ୍ଟିବ ତାର କୁଳ ରହିବ ନାହିଁ – ଆଉ ଯିଏ ନିୟମ ପାଳନ କରିବ ତାର ବଂଶ ଉଜ୍ଜ୍ୱଳ ହେବ ।

 

ଏଠାକୁ ଆସିବାର କାରଣ କଣ ଜାଣ ମଉସା ? ଏଠି ତ ସମସ୍ତେ ପାଠୁଆ । ସମସ୍ତେ ଲେଖିପଢ଼ି ଜାଣନ୍ତି । ଚାରିଆଡ଼କୁ ଏମାନଙ୍କର ଗତାଗତ ଅଛି । ତେଣୁ ସହଜରେ ଠାକୁରଙ୍କ ଆଦେଶ ଚାରିଆଡ଼େ ଅମାବାସ୍ୟା ପୂର୍ବରୁ ବ୍ୟାପିଯିବ ।

 

ମୋତେ ଦେଉନା ।

 

ବୁଢ଼ା ଲୋକ ମଉସା ! ପୁଅର ତମର କୋଟି ପରମାୟୁ ହେବ । ତମେ ପଢ଼ିବ ନାହିଁ ମଉସା । ମୁଁ ଏଠି ବସିଛି । ତମେ ଆଜ୍ଞା ପତ୍ରିକାକୁ ତମ ଲାଇନ ଶେଷ ମୁଣ୍ଡରୁ ପ୍ରତି ଘରେ ଖଣ୍ଡେ ଖଣ୍ଡେ ପକାଇ ଦେଇଆସ ।

 

ପୁଣି ଏ ମୁଣ୍ଡରୁ ଯାଇ ଦେଖ କିଏ କିଏ ପଢ଼ୁଛି । ସାଙ୍ଗ ଲୋକ ତ କେହି ଅଭଲା ବୁଝିବେ ନାହିଁ । ଅଭଲା ବୁଝିଲେ ବୁଝାଇ ସୁଝାଇ ଦେଲେ ମଙ୍ଗିଯିବେ । ସାବଧାନ ତମେ ନିଜ ଆଖିରେ ପଢ଼ିବ ନାହିଁ । ପଢ଼ିଲେ ବୁଢ଼ା ବୟସରେ ୨୦୦ଖଣ୍ଡ……. ।

 

ମୁଁ ପଢ଼ିବି କାହିଁକି ପୁଅ । ଠାକୁରଙ୍କ ନାଁ ହୋଇଯାଉ ।

 

୪୦୦।୫୦୦ ଖଣ୍ଡି ଆଜ୍ଞା ପତ୍ରିକା ନେଇ ବୃଦ୍ଧ କନେଷ୍ଟବଲ ଲାଇନର ଶେଷଆଡ଼ୁ ଆରମ୍ଭ କରିବ ବୋଲି ଚାଲିଗଲା ।

 

ସାବୁନବାଲା କାଳବିଳମ୍ବ ନ କରି ଦ୍ରୁତ ଗତିରେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା ।

 

୫ମିନିଟ ମଧ୍ୟରେ ରିଜର୍ଭ ଲାଇନରେ ହୈ ଚୈ ପଡ଼ିଗଲା । ଆଜ୍ଞା ପତ୍ରିକା ନୁହେଁ । ପୁଲିସ ଚାକିରି ଛାଡ଼ିଦେବା ପାଇଁ ଫେରାର ଦ୍ଵିବେଦୀଙ୍କର ପ୍ରାଣସ୍ପର୍ଶା ରିଜର୍ଭ ପୁଲିସ କନେଷ୍ଟବଲଙ୍କୁ ନିବେଦନ ।

 

କମି ସାହସ ନୁହେଁ । ଦ୍ଵିବେଦୀ ନିଜେ ଆସି, ଲାଇନ ଭିତରେ ପ୍ରତି କନେଷ୍ଟବଲଙ୍କ ହାତରେ ବିପ୍ଳବର ପ୍ରାଣସ୍ପର୍ଶୀ ଝଙ୍କାର ତୋଳି ଯାଇଛନ୍ତି ।

 

୧୫ମିନିଟ ଭିତରେ ଆଜ୍ଞା ପତ୍ରିକା ବାଣ୍ଟିଥିବା ବୁଢ଼ା କନେଷ୍ଟବଲ ଘରକୁ ଆସି ଆସାମୀକୁ ଖୋଜିଲାବେଳକୁ – ସେ କାହିଁ ?

 

ବୁଢ଼ା କନେଷ୍ଟବଲ ହା ହତାଶରେ ପ୍ରମାଦ ଗଣିଲାଣି ? ୨୮ବର୍ଷର ଚାକିରି ଆଜି ଗଲା-? ଆକାଶ ତା ମୁଣ୍ଡରେ ଭାଜିପଡ଼ିବ– ମେଦିନୀ ତା ଗୋଡ଼ତଳେ ଫାଟିଯିବ ।

 

ଦେଖୁ ଦେଖୁ ସରଜେଣ୍ଟ, ସରଜେଣ୍ଟ ମେଜର ପ୍ରଭୃତି ରୁଣ୍ଡହୋଇ ବୁଲେଟିନଗୁଡ଼ିକ ସଂଗ୍ରହ କରିନେଲେ । ବୁଲେଟିନରେ ଲେଖାଅଛି ।

 

ଭାଇମାନେ

 

ଜୟ ଭାରତ ! ଅଗଷ୍ଟ ବିପ୍ଳବର ଆବଶ୍ୟକତା କଣ ଆପଣମାନେ ଜାଣିଥିବେ । ୪୦କୋଟି ଲୋକଙ୍କର ମୁକ୍ତି ପାଇଁ ଆଜି ଏ ଯୁଦ୍ଧ ଡାକରା ବାପୁଜୀ ଦେଇ କାରାବରଣ କଲେ ।

 

ସିପାହି ବିଦ୍ରୋହ କଥା ଅଳ୍ପେ ବହୁତେ ଆପଣମାନଙ୍କୁ ଜଣା । ଗୋରା ବେପାରୀ ଦଳଙ୍କୁ ତମପରି କେତେଜଣ ସିପାହି ଦରିଆ ସେପାରିକୁ ଠେଲି ଦେଇଥିଲେ । ଅଳ୍ପକେ ରହିଗଲେ । ସେହି ସହିଦ୍ ସିପାହିମାନଙ୍କର ଆପଣ ଉପଯୁକ୍ତ ବଂଶଧର । ସେଦିନ କେତେ ସିପାହି ଚାହିଁଥିଲେ ଦେଶକୁ ସ୍ଵାଧୀନ କରିବାକୁ । କିନ୍ତୁ ଆଜି ସମସ୍ତ ଭାଇ ବିରାଦର ଭାରତର ଆବାଳବୃଦ୍ଧବନିତା ନିଷ୍ପତ୍ତି କରିଛନ୍ତି– ଗୋରା ସରକାରଙ୍କୁ ସମାଧି ଦେବାକୁ ।

 

ଆପଣମାନେ କ’ଣ ନିରବ ରହିବେ ? ଚିରଦିନ କ’ଣ ଆପଣମାନେ, ଆପଣମାନଙ୍କର ବଂଶଧରମାନେ ବ୍ରିଟିଶ ଜାତିର ପାଦ ଝାଡ଼ୁଥିବେ । ଆପଣଙ୍କ ଜାତି କ’ଣ ଗୋଲାମି ଜାତି ବୋଲି ସବୁବେଳେ ଏମିତି ରହିବ ?

 

୩୦ଟଙ୍କାର ମୋହ ? ଗୋରା ସିପାହିମାନେ ଆପଣମାନଙ୍କ କାମକରି ୨୦୦।୩୦୦ଟଙ୍କା ପାଇଲାବେଳେ ୩୦ଟଙ୍କା ପାଇବ କାହିଁକି ? ଆମଦେଶ, ଆମେ ରକ୍ତ ମାଂସ ଦେଇ କାମ କରିବୁ । ରହିବୁ ଉପବାସ । ଆଉ ସେମାନେ ? ପ୍ରଭୁତ୍ଵ କରିବେ – କଳା ଆଦିମ ବୋଲି ଘୃଣାକରି ପାଖେ ପୁରାଇ ଦେବେନି !

 

କୁକୁରକୁ ଗୋରା ଜାତି ଆଦର କରେ । କୋଳରେ ବସାଏ । ମଟରରେ ବୁଲାଏ । ପଲାଉ ମାଂସ ଖାଇବାକୁ ଦିଏ । କିନ୍ତୁ ଆମକୁ ? ଭାବ । ଦେଖ ! କୁକୁରଠୁଁ ଆମ ଅବସ୍ଥା ଖରାପ ।

 

ଏ ଲଜ୍ଜା ! ଅପମାନ ! ଦାରିଦ୍ରତା, ଦାସତ୍ଵ ଚାହଁନା, ଗୋରା ଜାତିକୁ ନିକାଲି ଦେଇ ନିଜ ଭିଟା ମାଟିରେ ସ୍ଵାଧୀନତା ଆଣି ନିଜର ଗୌରବରେ ଗୌରବାନ୍ଵିତ ହୋଇ ଶସ୍ୟଶ୍ୟାମଳା ଚିର ହାସ୍ୟମୟୀ ମାତୃଭୂମିରୁ ଦୁଧ ମହୁର ଝରଣା ଛୁଟାଇ ଆମର ଜୀବନ ଚାହଁ ?

 

ସ୍ଵାଧୀନତା କିଏ ନ ଚାହେଁ ? ଆପଣମାନେ ଏକମତ ହେବେ । ଦେଖ ସବୁ ଶ୍ରେଣୀର ଲୋକଙ୍କର ସମର୍ଥନ ପାଇଛି । ସରକାର ବର୍ତ୍ତମାନ ଅଚଳ । ନିଶ୍ଚୟ ଭାଙ୍ଗିପଡ଼ିବ । ସେତେବେଳେ ଅବସ୍ଥା ବିଚାର କର ? ଜାପାନ ମାଡ଼ିଆସିବ ସୁବାଷଙ୍କ ନେତୃତ୍ଵରେ – ଅଗଷ୍ଟ ବିପ୍ଳବର ସତ୍ୟାନାଶୀ ବିପ୍ଳବ ଧ୍ଵଂସ କରିଦେବ ବ୍ରିଟିଶ ଶାସନ – ସେ ଚିତ୍ର ଝଲସିଉଠୁନି ଆପଣଙ୍କ ଆଖିଆଗରେ ?

 

ଜାଗ ! ଜାଗ ! ଜନତା ସଙ୍ଗରେ ହାତ ମିଶାଅ । ଜନତାର ଜୟଧ୍ଵନିରେ ନିଜର ଧ୍ଵନି ମିଶାଅ । ନିଜ ପୁଅ ଭାଇଙ୍କ ମୁଣ୍ଡରେ ପଶୁପରି ଗୁଳି ବନ୍ଧୁକ ଆଉ କାହିଁକି ?

 

ତମ ଜାତି ଚାହୁଁଛି । ନାଲ – ପଗଡ଼ି ପୋଡ଼ିଦିଅ – ଖାକି ପୋଷାକ ଜାଳିଦିଅ ! ସ୍ଵାଧୀନତା ନିଶ୍ଚୟ ।

 

ପାଗଳ ଗୋରା ଜାତି ଗୁଳି କରିବ ? କରୁ ମୁଷ୍ଟିମେୟ କେତେଜଣ ଲୋକ ? ସେ କ’ଣ କରିବେ ? ତମରି ପାଇଁ ଆଜି ପର୍ଯ୍ୟନ୍ତ ସେମାନେ ତିଷ୍ଟିଛନ୍ତି । କିନ୍ତୁ ଆଉ ତିଷ୍ଟି ରହିପାରିବେ ନାହିଁ । ଭାଇର ଡାକ-ଦେଶର ଡାକ-ମୁକ୍ତିର ଆଲୋକ ଆଗରେ ଝଲସିଉଠୁଛି ।

 

ଜାଗ – ବ୍ରିଟିଶ ଶାସନକୁ ଧ୍ଵଂସ କରିଦିଅ । ଆମର ଜୟ ସୁନିଶ୍ଚିତ ।

 

ଜୟହିନ୍ଦ୍

ନିବେଦକ

ବିପ୍ଳବୀ ଦ୍ଵିବେଦୀ

 

ଏତେବେଳକୁ ରେନରସାହେବ ଘଟଣାସ୍ଥଳରେ ବକସ୍‌ଟାର ସାହେବଙ୍କ ସଙ୍ଗରେ ପହଞ୍ଚି ଗଲେଣି । ନିଜ ହାତରେ ବିପ୍ଳବୀ ଦ୍ଵିବେଦୀର ପୁଲିସ ସିପାହିଙ୍କୁ ନିବେଦନ ପତ୍ରିକା ସହିତ ନିଜ ନାମରେ “ଭାରତ ଛାଡ଼” ଚରମ ପତ୍ରିକା ।

 

ବଡ଼ କୌଶଳରେ ରେନରସାହେବଙ୍କ ନିକଟକୁ ବକସ୍‌ଟାର ହାତରେ ପଠାଇ ଦେଇଛନ୍ତି ।

 

ବକ୍‌ସଷ୍ଟାରସାହେବ ଓ ରେନର ସାହେବ କିପରିଭାବରେ ପ୍ରତାରିତ ହୋଇଛନ୍ତି ସେ କଥା କହିବାକୁ ଯେପରି ଲଜ୍ଜିତ । ଗୋରା ଜାତି ଗୋଟାଏ କଳାଲୋକ ଦ୍ଵାରା……

***

 

ଚାରି

 

ରେନର ସାହେବ ବିଚଳିତ ହୋଇପଡ଼ିଛନ୍ତି ।

 

କାର୍ଯ୍ୟଦକ୍ଷ ବକ୍‌ସଷ୍ଟାର ସାହେବଙ୍କୁ କାବୁ ବନେଇ ଦେଇ ଦ୍ଵିବେଦୀଙ୍କୁ ଧରାଇ ଦେବେ ବୋଲି ପ୍ରଲୋଭନ ଦେଖାଇ, ନିଜେ ଦ୍ଵିବେଦୀ ତାଙ୍କ ହାତରେ ଛଦ୍ମ ବେଶରେ ରେନରସାହେବଙ୍କୁ ପ୍ରସ୍ତାବଦେବା ଛଳରେ “ଭାରତ ଛାଡ଼” ନିବେଦନଟି କୌଶଳରେ ପଠାଇ ଦେଇଛନ୍ତି ।

 

କମ୍ ଲଜ୍ଜାର କଥା ! ଲୋକ ସମାଜରେ ମୁହଁ ଦେଖାଇବେ କିପରି ? ତାଙ୍କ ପକ୍ଷରେ ଛୁଟିନେଇ ଓଡ଼ିଶାରୁ ବିଦାୟ ନେବା ଶୋଭନୀୟ ।

 

ତେବେ ଇଂରେଜ ଜାତି ଗୋଟାଏ ଓଡ଼ିଆ ଯୁବକ ନିକଟରେ– ନା, ନା, ଦ୍ଵିବେଦୀଙ୍କୁ ଧରିବାକୁ ହେବ । ଇଂରେଜ ସାମ୍ରାଜ୍ୟ ବଜାୟ ରଖିବାକୁ ହେଲେ ଦ୍ଵିବେଦୀଙ୍କର ରକ୍ତ ଲୋଡ଼ା । ଦ୍ଵିବେଦୀଙ୍କର ମୁଣ୍ଡ ଲୋଡ଼ା !

 

ଆଖି ଆଗରେ ଦ୍ଵିବେଦୀଙ୍କର ଚରମପତ୍ର ପଡ଼ିଛି । କି ମର୍ମସ୍ପଶୀ ନିବେଦନ ।

 

ଲେଖାଅଛି-

 

 

 

 

 

ମିଷ୍ଟର ରେନ୍‍ର,

 

ଆପଣଙ୍କ ଦପ୍ତରରୁ ୧୦,୦୦୦ଟଙ୍କା ପୁରସ୍କାର ଘୋଷଣା ହୋଇଥିବାରୁ ଏବଂ ଆପଣ ନିଜେ ମୋତେ ଧରିବା ନିମନ୍ତେ ପ୍ରାଣବନ୍ତ ଚେଷ୍ଟା କରୁଥିବାରୁ, ଲୋଭ ସମ୍ଭାଳି ନ ପାରି ଆପଣଙ୍କ ନିକଟକୁ ଯିବାର ଲୋଭ ସମ୍ବରଣ କରିପାରି ନ ଥିଲି । ଭଗବାନଙ୍କ ଇଚ୍ଛା ବୋଧହୁଏ, ଏତେ ନିକଟରେ ଆପଣଙ୍କର ମୋର ସାକ୍ଷାତ ହେବା ନୁହେଁ । ତେଣୁ ବକସ୍‍ଷ୍ଟାରଙ୍କ ହାତରେ କେତଟା କଥା ଜଣାଇଦେବା ଉଚିତ ମନେକରି ଲେଖୁଛି ।

 

ଆମ ସଂଗ୍ରାମର ପ୍ରତ୍ୟେକ କର୍ମପନ୍ଥା ଆପଣଙ୍କୁ ଜଣା । ସେ ବିଷୟରେ ବା କ’ଣ ଲେଖିବି ? ସଂଗ୍ରାମ ଚାଲିଛି ଓ ଶେଷ ପର୍ଯ୍ୟନ୍ତ ବି ଚାଲିବ । ୪୦କୋଟି ଲୋକ ପରାଧୀନ ହୋଇ କେତେଦିନ ରହିବେ ? ଚରମ ଉତ୍‍ଥାନ ପରେ ପତନ ଅନିବାର୍ଯ୍ୟ ।

 

ଆଜି ଆପଣଙ୍କ ଜାତି ପତନୋନ୍ମୁଖ । କୌଣସି ଶକ୍ତି ଆପଣଙ୍କୁ ବା ଆପଣଙ୍କ ଜାତିକୁ ଟେକିଧରି ପାରିବନାହିଁ ।

 

ତେବେ ଏ ବୃଥା ଚେଷ୍ଟା କାହିଁକି ? ଆପଣଙ୍କ ଜାତି ରୁଷିଆ, ଚୀନା ଦେଶର ସ୍ଵାଧୀନତା ସକାଶେ ପାଗଳ ହୋଇଉଠିଥିଲାବେଳେ ଭାରତର ସ୍ଵାଧୀନତାକୁ ଉପହାସ କରି ଉଡ଼ାଇଦେବା କ’ଣ ସହଜ ? ଆମେ ଭାରତବାସୀ ବା କିପରି ଉଦାସୀନ ରହିବୁ ?

 

ସ୍ପଷ୍ଟ ଜଣାଯାଉଛି ଏ ୨ୟ ମହାସମରରେ ଆପଣଙ୍କ ଜାତି କୌଣସି ଦେଶର ସ୍ଵାଧୀନତା ସକାଶେ ବ୍ୟାକୁଳ ନୁହେଁ । ନିଜର ସ୍ଵାର୍ଥ ସକାଶେ, ନିଜ ସାମ୍ରାଜ୍ୟର ନିରଙ୍କୁଶ ଶାସନ ବଜାଏ ରଖିବା ସକାଶେ, ବ୍ରିଟିଶ ଜାତିର ଶୋଷକତା ବିଚାର ରଖିବା ପାଇଁ ମିତ୍ର ଶକ୍ତିର ସାମୁଖ୍ୟ ଗଠନ କରାଯାଇଛି ।

 

ଆବିସିନିଆ ଆକ୍ରମଣ ହେଲାବେଳେ ଆପଣଙ୍କ ଜାତିତ ଶୋଇରହିଥିଲା । ଏବେ କାହିଁକି ? ସେ ଭଣ୍ଡାମୀ ଆପଣମାନଙ୍କୁ ଆଉ ଶୋଭାପାଏନା । ତମର କୂଟ ରାଜନୈତିକ ଚାଲବାଜି ଦୁନିଆ ବରଦାସ୍ତ କରିବ ନାହିଁ । ଆଉଥରେ କହିରଖୁଛି ଇଂରେଜ ଜାତିର ପତନ ନିଶ୍ଚୟ-

 

ଆମ ସ୍ଵାଧୀନତା ସଂଗ୍ରାମକୁ ଦମନକରିବା ପାଇଁ ଆପଣଙ୍କ ସରକାର ହତ୍ୟା, ବିଭୀଷିକା, ଅତ୍ୟାଚାର, ଷଡ଼ଯନ୍ତ୍ର, ଲୁଟତରାଜ, ଯାହାକିଛି ପାଶବିକ କାର୍ଯ୍ୟ ସମ୍ଭବ ଓ ଅସମ୍ଭବ ସବୁକିଛି କରିଗଲେଣି । ତଥାପି ଦେଖନ୍ତୁ ! ଭାବନ୍ତୁ ! ଆପଣଙ୍କ ଅତ୍ୟାଚାର ଫଳରେ ଜନତା ଆହୁରି ଦୃଢ଼ ହୋଇଛନ୍ତି । ସ୍ଵାଧୀନତା ସଂଗ୍ରାମ ଆହୁରି ଆଗେଇ ଚାଲିଛି ।

 

ଆପଣଙ୍କ ପଶୁବଳ ଆଜି ଭିତତ୍ରସ୍ତ । ଶାନ୍ତିପ୍ରିୟ ଭାରତୀୟଙ୍କୁ ଆପଣମାନେ ଯେବେ ଏପରି ଅନ୍ୟାୟରେ ଆଘାତ ଦେଇପାରନ୍ତି, ଜର୍ମାନ ଜାତି ବିଜୟ ଉଲ୍ଲାସରେ ଆପଣଙ୍କପରି ନୈତିକତାହୀନ ଜାତିପ୍ରତି ଯେ କିଛି ଅନ୍ୟାୟ ଉପାୟ ଅବଲମ୍ବନ କଲେ ପାପହେବ କାହିଁକି ?

 

ଆପଣଙ୍କର ଆଜି ଦୁର୍ଦ୍ଦିନ । ଏ ଦୁର୍ଦ୍ଦିନ ସକାଶେ ଆପଣମାନେହିଁ ଦାୟୀ । ତଥାପି ଆମର ଦୟା ଅଶେଷ ଭାବରେ ଆପଣଙ୍କ ଜାତିପ୍ରତି ଅଛି ।

 

ତେଣୁ ଅନୁରୋଧ କରେ, ଆପଣ ବିଚାର କରନ୍ତୁ । ନିସହାୟ ଇଂରେଜ ଜାତି, ଯେ ନିଜ ଦେଶକୁ ଜର୍ମାନ ଓ ଜାପାନର କବଳରୁ ରକ୍ଷା କରିପାରିନି, ଭାରତକୁ ରକ୍ଷାକରିବ କିପରି ? ଅନେକଥର କହିଛି, ଆଜି ବି କହୁଛି ୨୦୦ବର୍ଷ ଇଂରେଜ ଜାତିର ଗୋଲାମି କରି, ପୁଣି ଜାପାନ ବା ଜର୍ମାନର ଗୋଲାମି ହେବାକୁ ଏ ଜାତି ଚାହୁଁନି ।

 

ତେଣୁ ମୋର ଅନୁରୋଧ ଆପଣମାନେ ଆମମାନଙ୍କୁ ଶାସନ ଛାଡ଼ିଦେଇ, ନିଜ ଦେଶ ରକ୍ଷାକରିବା ପାଇଁ ତତ୍ପର ହୁଅନ୍ତୁ । ସମ୍ମାନ ସହିତ ନ ଗଲେ ଫଳ କଣ ହେବ ବିଚାର କରନ୍ତୁ । ୪୦କୋଟି ଲୋକ ସ୍ଵାଧୀନତା ସକାଶେ ପାଗଳ ହୋଇ ଉଠିଛନ୍ତି । ଆପଣ ବିଦ୍ଵାନ, ଅନେକ ଦେଶର ସ୍ଵାଧୀନତା ଇତିହାସ ପଢ଼ିଥିବେ । କହନ୍ତୁ ତ କେବେ କେଉଁ ଜାତି ସ୍ଵାଧୀନତା ସକାଶେ ଏମିତି ପାଗଳ ହୋଇଥିଲା ?

 

କହନ୍ତୁ ତ ଲିନ୍‌ଲିଥଗୋ କିଏ ? ଭାରତ ପାଇଁ ଜର୍ମାନ ଜାତି ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାର ହକ୍‌ ତାଙ୍କର କଣ ଅଛି ? ସେ କାହାର ପ୍ରତିନିଧି ? ଭାରତରକ୍ଷା ଆଇନ କରିଛି କିଏ ? କାହା ସ୍ଵାର୍ଥ ପାଇଁ ?

 

ଛାଡ଼ନ୍ତୁ । ଆପଣଙ୍କ ନିକଟରେ ଏ ଭାଗବତ ଗାଇବା ଉଚିତ ନୁହେଁ । ଭାବପ୍ରବଣତା ସକାଶେ ଅନେକ ସମସ୍ୟା ଉତ୍‌ଥାପନ କରିଦେଇଛୁ ।

 

ଆମର କିନ୍ତୁ ଗୋଟିଏ ସମସ୍ୟା । ଆମ ଆଗରେ ଗୋଟିଏ ମାର୍ଗ । ସ୍ଵାଧୀନତା । ସ୍ଵାଧୀନତା ପାଇଁ ଆମର ସବୁକିଛି ଉତ୍ସର୍ଗ କରିଦେଇଛୁ ।

 

ଆମେ ଚାହୁଁ, ଆପଣ, ଇଂରେଜ ଜାତିର ମିତ୍ରହୋଇ ରହିବାକୁ ଚାହୁଁଥିଲେ, ଭାରତ ଛାଡ଼ି ଚାଲିଯାଆନ୍ତୁ । ପର ଘରେ ପ୍ରଭୂତ୍ଵ କରିବାର ଅବକାଶ ନାହିଁ ।

 

ଆପଣ ଚାଲିଯାଆନ୍ତୁ ଏଠୁ । ନିଜ ଭାଇ ଛାତିରେ ଗୁଳି ଚଳାଇବାକୁ ହୁକୁମ ଦେବାରୁ ଅପସରି ଯାଆନ୍ତୁ । କଳଙ୍କମୟ ଇଂରେଜ ଶାସନ ଓ ଜାତିକୁ ଆଉ କଳଙ୍କିତ କରନ୍ତୁ ନାହିଁ ।

 

ଭାରତ ଛାଡ଼ି ଚାଲିଯାଆନ୍ତୁ ।

 

ଜୟହିନ୍ଦ୍

ଆପଣଙ୍କର ଦ୍ଵିବେଦୀ

 

“ଭାରତ ଛାଡ଼ି ଚାଲିଯାଆନ୍ତୁ” ପରଘରେ ପ୍ରଭୂତ୍ଵ କରିବାର ଅବକାଶ ନାହିଁ । ରେନର ସାହେବଙ୍କ ଛାତିରେ ଶତଶତ ବେଓନେଟ୍‌ର ତିକ୍ଷ୍‌ଣ ମୁନ ଯେପରି ବିଦ୍ଧ କଲା ।

 

ଏମିତି ଚିଠି ଲେଖିଦେଲେ କିଏ କ’ଣ କେବେ ସାମ୍ରାଜ୍ୟ ଛାଡ଼ି ଚାଲିଯାଏ ? ”ନନ୍‌ସେନସ୍‌”…..ଥରକୁ ଥର ଫିକର କରି ଖସିଯାଉଛି ବୋଲି ଦିମାକ…..

 

ଅଣନିଶ୍ଵାସ ହୋଇ ରେନର ସାହେବଙ୍କ ଅଫିସରେ ପଶି ଆସୁ ଆସୁ କହିଲେ ବକଷ୍ଟାର ସାହେବ “ସନ୍ଧାନ ମିଳିଛି ସାହେବ– ଦ୍ଵିବେଦୀର ଲିଥୋ ଅନୁଷ୍ଠାନର ସନ୍ଧାନ ମିଳିଛି ।”

 

ରେନର ସାହେବ ଆତ୍ମବିହ୍ଵଳ ହୋଇ ବକଷ୍ଟାର ସାହେବଙ୍କୁ ଅଭିନନ୍ଦିତ କରୁ କରୁ କହିପକାଇଲେ ।

 

“ସନ୍ଧାନ ମିଳିଛି ତେବେ ?”

 

“ଖବରଦାତା ବାହାରେ ଅପେକ୍ଷା କରିଛି ସାହେବ ।”

 

ବିଜୟ ଉଲ୍ଲାସରେ ଆତ୍ମହରା ହୋଇ ସାହେବ ଖବରଦାତାକୁ ସେଠାକୁ ଆସିବାକୁ ଇଙ୍ଗିତ ଦେଲେ ।

 

କିଛିସମୟ ପରେ ବକ୍‌ଷ୍ଟାରସାହେବ ଖବରଦାତାଙ୍କ ସହିତ ସାହେବଙ୍କ ନିକଟରେ ଉପସ୍ଥିତ ହେଲେ ।

 

ସାହେବ ଖବରଦାତାଙ୍କୁ ଚୌକିରେ ବସିବାକୁ ନିର୍ଦ୍ଦେଶ ଦେଲେ ।

 

ଖବରଦାତା ଚରଣ ପଟ୍ଟନାୟକ । ଚରଣ ପଟ୍ଟନାୟକ ନାମଧେୟ ଖୋର୍ଦ୍ଧାର ପାଇକମେଳିରେ ପ୍ଳେଚର ସାହେବଙ୍କର ଅନୁଗତ ହୋଇ ଓଡ଼ିଆ ଜାତିର ସର୍ବନାଶ କରିଥିଲା । ପାଇଥିଲା ନିମକହାରାମ ଜାଗିର !

 

ଏ ଚରଣ ପଟ୍ଟନାୟକ ସେ ଚରଣ ପଟ୍ଟନାୟକଙ୍କର ୨ୟ ଅବତାର ନୁହନ୍ତି ? ସେ ଖୋର୍ଦ୍ଧାରେ ଜନ୍ମ । ୟାଙ୍କର ଜନ୍ମ ପିଟିନ୍ ସାହି ଖ୍ରୀଷ୍ଟିଆନ ପଡ଼ାରେ । ସେ ଥିଲେ ହିନ୍ଦୁ । ଏ ଖିରସ୍ଥାନ-। ସେ ଥିଲେ ଜଗନ୍ନାଥ ଧର୍ମୀ ସନାତନ ହିନ୍ଦୁ – ଏ ଯୀଶୁ ଧର୍ମୀ ଖିରସ୍ତାନ…. ତାଙ୍କର ଥିଲା ପ୍ଳେଚର ପ୍ରତିଶ୍ରୁତି ପ୍ରଚୁର ଐଶ୍ଵର୍ଯ୍ୟୟାଙ୍କର ଅଛି ରେନର ପ୍ରତିଶ୍ରୁତି ୧୦୦୦୦୦ଟଙ୍କା । ରାୟ ବାହାଦୂର, ଦେବାନ ବାହାଦୂର ପଦବୀ – ସେ ଓଡ଼ିଆ ଜାତିର ସ୍ଵାଧୀନତା ରବିର ଚିରଦିନ ଅସ୍ତ ହେବାର ଦେଖି ଗୌରବାନ୍ଵିତ ହୋଇଥିଲେ – ଆଜି ହୁଏତ ଅଗଷ୍ଟ ଜନ ବିପ୍ଳବର ଓଡ଼ିଶାର ଶେଷ ଦିନ ଏ ଦେଖିବେ – ପାଇକ ନେତା ଓଡ଼ିଆ ଜାତିର ସମୁଜ୍ଵଳ ମଣି ବକ୍‌ସି ଜଗବନ୍ଧୁଙ୍କର ଛାତିରେ ଇଂରେଜର ବନ୍ଧୁକ ଗର୍ଜିବା ଦେଖି ଭୟ ବିସ୍ମିତ ହୋଇ ପଡ଼ିଥିଲେ, ସେ କିନ୍ତୁ……ଏ…. ?

 

ଦ୍ଵିବେଦୀଙ୍କର କେନ୍ଦ୍ରୀୟ ଲିଥୋ ଅନୁଷ୍ଠାନ । ଚରଣ ପଟ୍ଟନାୟକଙ୍କର ଘରର ସଂଲଗ୍ନ ପଛ ଦାଣ୍ଡିରେ ।

 

ଆସବାସପତ୍ର କିଛି ନାହିଁ । ଗଦା ଗଦା ଲେଖା ଅଲେଖା କାଗଜ । ଲିଥୋ ମେସିନ । ସେତିକି ମାତ୍ର ସମ୍ପତ୍ତି । ଓଡ଼ିଶାର ପୁର-ପଲ୍ଲୀରେ ଅଭୟ ବାଣୀ ଖେଳାଇ ଖେଳାଇ ଅଗଷ୍ଟ ବିପ୍ଳବୀଙ୍କୁ ବଞ୍ଚାଇ ରଖିବାର ଏକମାତ୍ର କାମଧେନୁ ।

 

ନିର୍ଜନତାହିଁ ସେଠାରେ ରାଜତ୍ଵ କରୁଥାଏ । ଗୋଟିଏ ମାତ୍ର ଲୋକ । ରାତି ନାହିଁ । ଦିନ ନାହିଁ । ଯେପରି ଲିଥୋ ମେସିନ ସଙ୍ଗେ ମିଶିଗଲାଣି । ଭୋକ ନାହିଁ । ଶୋଷ ନାହିଁ । ଆଖିରୁ ଯେପରି ଖାଲି ବିପ୍ଳବର ଅଗ୍ନି ସ୍ଫୁଲିଙ୍ଗ ଛୁଟି ଚାଲିଛି – ଭୋକ, ଶୋଷ, ନିଦ୍ରା ଯେପରି ଛାଡ଼ି ପଳାଇ ଯାଇଚନ୍ତି ।

 

ବେଳେବେଳେ ସେ ବି ଉଠି କେଉଁଠିକୁ ଚାଲିଯାଆନ୍ତି, ଘଣ୍ଟା ଘଣ୍ଟା ଧରି ଅନ୍ତର୍ଦ୍ଧାନ ହେବାପରେ ଯେବେ ଫେରନ୍ତି – ଫେରନ୍ତି କେତେବେଳେ କେଉଁ ବେଶରେ ତାଙ୍କୁ ଚିହ୍ନିଥିବା ଲୋକ ବି ଏପାଖ ସେପାଖ ହୋଇଯିବ ।

 

କେବେ କେବେ କାବୁଲିଓ୍ୟାଲା ବେଶରେ ତ ବେଳେବେଳେ ମୁସଲମାନ ଫକିର ବେଶରେ । ଘଣ୍ଟାକରେ ସାବୁନ ବେପାରୀ ତ ଅନ୍ୟ ଘଣ୍ଟାରେ ପକା ଇନସୁରେନ୍‌ସ ଇନ୍‌ସପେକ୍ଟର ବେଶରେ… ।

 

ତାଙ୍କୁହିଁ ଆଜି ଚାହେଁ ବ୍ରିଟିଶ ସରକାର । ଚରଣ ପଟ୍ଟନାୟକ ଠିକ୍ ଚିହ୍ନିଛି – ଠିକ୍ ବେଳେ ବି ଖବର ଦେଇଛି ।

 

ବାଜିଲାଣି ୬ଟା । ୭ଟା ବେଳକୁ ଚରଣ ପଟ୍ଟନାୟକ ଦ୍ଵିବେଦୀଙ୍କର ଉପସ୍ଥିତିର ସୁରାକ୍ ଦେବ ପୁଲିସକୁ ।

 

ହୁଏତ ୭ଟା ବେଳକୁ ସାରା ପିଟିନସାହି ଶତ ଶତ ପୁଲିସବାଲାଙ୍କର ବ୍ୟୂହ ଭିତରେ, ଗୁରୁ ଦ୍ରୋଣଙ୍କର ରଚିତ ବ୍ୟୂହ ମଧ୍ୟରେ ବାଳ ଅଭିମନ୍ୟୁ ପରି, ଦ୍ଵିବେଦୀଙ୍କର ବି ନିଚିହ୍ନ ହୋଇଯିବ– ଅଗଷ୍ଟ ବିପ୍ଳବର ଶେଷ କଳା ପରଦା ଉତ୍କଳ ଭୂମିରେ ଟଣା ହୋଇଯିବ ।

 

ସମ୍ବାଦ ଦେବା ପରେ ବୃଦ୍ଧ ଚିନ୍ତିତ । ଜନତା ଯେବେ ଦ୍ଵିବେଦୀଙ୍କୁ ପୁଲିସରେ ଧରାଇଦେବା ଅଭିଯୋଗ କରନ୍ତି ?

 

ଆଉ ବାକି ୫୫ମିନିଟ-ଏତେ ବଡ଼ ଅପକର୍ମ ପାଇଁ ଦେଶ କଣ ତାଙ୍କୁ କ୍ଷମାଦେବ ? ଶିଖି ମନାଇ ଓ ଜୟଚନ୍ଦ୍ରଙ୍କୁ ତ ଇତିହାସ ଭୁଲିନି ? ତାଙ୍କୁ କଣ ତେବେ….. ।

 

ପୁଅକୁ ତାଙ୍କର ଚାକିରି ପରି ଗୋଟାଏ ଚାକିରି ମିଳିବ ।

 

ଆଉ ବାକି ୪୦ମିନିଟ ।

 

“ଦେବେନ୍ !” ପୁଅକୁ ଡାକିଲେ ବୃଦ୍ଧ ।

 

ଦେବେନ୍‌ର ବୟସ ୩୦-୩୨ ପାଖାପାଖି । ସୁସ୍ଥ ସବଳ । ବର୍ଣ୍ଣ ଇସତ୍‌ ସାବନ । ଦେଖିଲେ ମନେହୁଏ ସେ ଜଣେ ଭାରତର ମୁକ୍ତିକାମୀ ସୈନିକ ।

 

“ବାବା !”

 

ଆଉ ୩୫ମିନିଟ ରହିଲା ବୋଧହୁଏ ।

 

କଳାହାଣ୍ଡିଆ ମେଘ ଘୋଟି ଆସିଲାଣି ।

 

“ଆଜି ଯେଉଁ ବିଜୟର ସନ୍ଧାନ ପାଇଛି ରେନର ସାହେବ– ସେ କଣ କିଛି ମାନିବ ବାବା !”

 

“ଖାଲି ଏତିକି କହିବୁ ଆସାମୀ ଠିକ୍ ଜାଗାରେ ଅଛି ।”

 

“ଲୋକେ ଯେବେ ଜାଣନ୍ତି ବାବା !”

 

“ଜାଣିବାର ଉପାୟ ନାହିଁ ତାଙ୍କର ।”

 

“ଖବର ଦେଲାବେଳେ ଯେବେ....... ।”

 

“ଖବର ଦେଇ ତୁ ତ ଚାଲିଯିବୁ ସେଠୁ ।”

 

“ପୁଲିସ ସଙ୍ଗରେ ରହି ସାହାଯ୍ୟ ଦେବାକୁ ଯେବେ ଚାହେଁ ?”

 

“କଥାହୋଇଛି ତୋର ରହିବା ଦରକାର ନାହିଁ ।”

 

ସଙ୍ଗେ ସଙ୍ଗେ ଘେରାଉ କରିଗଲେ – ଅନ୍ୟାନ୍ୟ ଆନୁସାଙ୍ଗିକ ସଙ୍କେତ ଓ ସାହାଯ୍ୟ ମୁଁ ଦେବି । ଅନ୍ଧାର ମାଡ଼ି ଆସିଲାଣି । ଆଉ ବାକି ୧୫ମିନିଟ । ତୁ ପ୍ରସ୍ତୁତ ହୋଇଯା ।

 

ଦେବେନ୍ ଉତ୍‌ଫୁଲ ମନରେ ଭଗବାନଙ୍କୁ ଡାକି ଲୁଗାପଟା ପିନ୍ଧି ଆସିବାକୁ ଗଲା ।

 

ବାପ ପୁଅଙ୍କୁ ଦେଖିଲେ ମନେହୁଏ ତାଙ୍କର ଭାଗ୍ୟ ଫେରିଆସୁଛି । ପ୍ରାଚୁର୍ଯ୍ୟରେ ସେମାନଙ୍କର ଦୁଃଖ, କଷ୍ଟ, ଅଭାବ, ଅନାଟନ ସବୁ ଯେପରି ଉଭେଇଯାଇଛି । ୧୦,୦୦୦ଟଙ୍କା । ରାୟ ବାହାଦୁର ପଦବି । ପୁଅକୁ ଗୋଟାଏ ବଡ଼ ଚାକିରି ।

 

ପ୍ରକୃତି ଏ ଅନ୍ୟାୟକୁ ସହିପାରେ ? ଆସିଲା ଅଚାନକ ବର୍ଷା । ଆକାଶ ମେଘରେ ଭାଙ୍ଗିପଡ଼ୁଛି । ପବନ, ବିଜୁଳି, ଘଡ଼ଘଡ଼ି ।

 

ତଥାପି ୫୦୦ ଶହ ପୁଲିସ କୁଣ୍ଡଳି ଆକାରରେ ସାରା ପିଟିନସାହି ଘେରାଉକରି ଗଲେଣି । ଆଉ ଉପାୟ ନାହିଁ ।

 

ପ୍ରକୃତିର ସାମାନ୍ୟ ପ୍ରତିବନ୍ଧକ କଣ ଆଜି ରେନରସାହେବ ଓ ବ୍ରିଟିଶ ଶାସନ ଭ୍ରୂକ୍ଷେପ କରେ !

 

ହଠାତ୍ ଝଡ଼ର ବେଗ ଥମିଆସିଛି । ରାସ୍ତାର ଇଲେକ୍‌ଟ୍ରିକ୍ ଆଲୁଅଗୁଡ଼ିକ ଜଳିଉଠୁଛି ।

 

ରେନର, ବକ୍‌ଷ୍ଟାର, ରବଟ୍‌ସନ, ସେନଗୁପ୍ତ ପ୍ରଭୃତି ଉଚ୍ଚ ପୁଲିସ ଅଫିସରମାନେ ଉତ୍କଣ୍ଠିତ ଭାବେ ଚରଣ ପଟ୍ଟନାୟକଙ୍କ ସଙ୍କେତକୁ ଅପେକ୍ଷା କରିଛନ୍ତି ।

 

ରେନର ସାହେବ ନିଜ ଘଣ୍ଟାକୁ ଦେଖିନେଇ କହିଲେ, “୭ଟା ବାଜିବାକୁ ଆଉ ୨ମିନିଟ ମାତ୍ର ।”

 

ଉଦ୍‌ବେଗ ବଢ଼ିଯାଇଛି ସମସ୍ତଙ୍କର । ହାତ ମୁଠାରେ ଶିକାର ପଡ଼ିଛି ।

 

ରବଟ୍‌ସନ କହିଲେ, “ଦ୍ଵିବେଦୀ କଣ ଲିଥୋ ଅନୁଷ୍ଠାନକୁ ଫେରିନି ?”

 

“ନ ଫେରିବାଯାଏଁ ତେବେ ବଡ଼ ବିପଦ” ସେନଗୁପ୍ତ କହିଲେ ।

 

“ଲିଥୋ ଅନୁଷ୍ଠାନ ତ ଏଠୁ ନିଶ୍ଚୟ ଘୁଞ୍ଚାଇନେବ–ଆଉ ଧରିବାର ଆଶା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବ ।”

 

ରେନରସାହେବ ଦୂରକୁ ଆଖିପକାଇ କହିଲେ, “ଏଇ ପ୍ରାୟ ତାର ପୁଅ ଆସୁଛି । ନ ଫେରିଥିଲେ ନିଶ୍ଚୟ ଖବର ଆମକୁ ଦେଇଥାନ୍ତା ।”

 

ପ୍ରବଳ ବେଗରେ ଚରଣ ପଟ୍ଟନାୟକଙ୍କ ପୁଅ ଅଫିସରମାନଙ୍କଆଡ଼କୁ ମାଡ଼ିଆସିଲା ।

 

ମେଘ ଘୋରା ଘୋରା ଅନ୍ଧାର ଭିତରେ ବାପାର ନିର୍ଦ୍ଦେଶ ଅନୁସାରେ ଅଫିସରମାନଙ୍କୁ ଠିକ୍ ମୋଡ଼ମୁଣ୍ଡ ବରଓସ୍ତ ଗଛମୂଳେ ଦେଖାକରି ଶୀଘ୍ର ଆକ୍ରମଣ କରିବାର ପରାମର୍ଶ ଦେଲା ।

 

ରେନରସାହେବ ଅଶେଷ ଆନନ୍ଦିତହୋଇ, ପଟ୍ଟନାୟକଙ୍କ ପୁଅର କରମର୍ଦ୍ଦନକରି କହିଲେ “ଉପଯୁକ୍ତ ଖିରସ୍ଥାନ ତୁମେ ! ସମ୍ରାଟ ପ୍ରତି ଖିରସ୍ଥାନର ଉପଯୁକ୍ତ କାମ କରିଛ-

 

ସଙ୍କେତର ଭେରୀ ବାର ବାର ବାଜିଉଠିଲା । ସାରା ପିଟିନ ସାହିକୁ ଯେପରି ଗୋଟାଏ ମସ୍ତବଡ଼ ପୁଲିସ ଫୌଜ ଗିଳି ପକାଇଛି ।

 

ଗୋଲାକାର ଭାବରେ ମି.ପଟ୍ଟନାୟକଙ୍କ ଘରକୁ ୫୦୦ସହ ପୁଲିସ ଫୌଜ ଘେରିଗଲେ । ପିମ୍ପୁଡ଼ି ଗଳି ଯିବାକୁ ବାଟ ନାହିଁ ।

 

ଦର୍ପିତ ବକ୍ଷରେ ରେନର, ବକଷ୍ଟାର, ରବଟସନ ୨୦ଜଣ ସଶସ୍ତ୍ର ପୁଲିସ ନେଇ ପଟ୍ଟନାୟକଙ୍କ ଘରେ ପ୍ରବେଶ କଲେ ।

 

ବୃଦ୍ଧ ପଟ୍ଟନାୟକ ଦ୍ଵାରା ଦେଶରେ ସାହେବମାନଙ୍କୁ ଅଭ୍ୟର୍ଥନାକରି ସଂକେତ ଦେଲେ, ଶୀଘ୍ର ପ୍ରବେଶକରି ଦ୍ଵିବେଦୀଙ୍କୁ ଗିରଫ କରିବା ପାଇଁ

 

ଭୀମ ଗତିରେ ସେମାନେ ପଟ୍ଟନାୟକଙ୍କ ନିର୍ଦ୍ଦିଷ୍ଟ ତଳ ଖଞ୍ଜାରେ ପ୍ରବେଶ କରିବା ମାତ୍ରେ – ଦ୍ଵିବେଦୀଙ୍କର କର୍ମ କ୍ଷେତ୍ରରେ ଜଳୁଥିବା ଆଲୋକଟି ଯୁବକ ଲିଭାଇଦେଲେ ।

 

ଚାରିଆଡ଼େ ଅନ୍ଧକାରର ରାଜତ୍ଵ, ରେନର ଅଟ୍ଟହାସ୍ୟ କରି କହିଲେ “ବୃଥା ଚେଷ୍ଟା ଦ୍ଵିବେଦୀ ।”

 

ପିଞ୍ଜରାବଦ୍ଧ ହେଲାପରେ ବି-ଏହା କହୁ କହୁ ସାହେବମାନଙ୍କର ଟର୍ଚ୍ଚଲାଇଟିର ଫୋକସ ତାଙ୍କ ମୁହଁରେ କେନ୍ଦ୍ରୀଭୂତ ହୋଇଉଠିଲା ।

 

ଯୁବକଟି ସେତେବେଳକୁ କେତେକ କାଗଜ ପତ୍ର ଛିଣ୍ଡାଇ ପାଟିରେ ଗିଳିଦେବାର ଚେଷ୍ଟା କରୁଥାନ୍ତି । ଚାରିଆଡ଼େ ଖାଲି କାଗଜର ସ୍ତୁପ ।

 

କାଳବିଳମ୍ବ ନ କରି ଦ୍ଵିବେଦୀଙ୍କୁ ଗିରଫଦାର କରାଗଲା ।

 

ବୃଦ୍ଧ ଚରଣ ପଟ୍ଟନାୟକଙ୍କର ଆଉ ଦେଖା ନାହିଁ । ବିପ୍ଳବୀ ଦ୍ଵିବେଦୀଙ୍କୁ ଗିରଫ କରିବାରେ ପୁଲିସବାଲାମାନେ ସବୁକିଛି ଭୁଲି ଯାଇଥିଲେ ।

 

ସଙ୍ଗେ ସଙ୍ଗେ ଟାକସିରେ ଅବରୁଦ୍ଧ କରି ଲୋକଲୋଚନ ଆଗୋଚରରୁ ତାଙ୍କୁ ନେଇଗଲେ । ସାଙ୍ଗରେ ଏସ୍.ପି ରବଟସନ, ବକଷ୍ଟାର ଇତ୍ୟାଦି ।

 

ବାକି ରହିଲେ ରେନର ସାହେବ, ସେନଗୁପ୍ତ ।

 

ଦ୍ଵିବେଦୀ ଧରାପଡ଼ିଛି । କାହିଁ ସେ ଲିଥୋ ମେସିନ । ଦ୍ଵିବେଦୀ ସହିତ ସେ ମେସିନ୍‌ର ବି ଜରୁର ଦରକାର ।

 

ସେମାନେ ଏପରି ବ୍ୟସ୍ତହୋଇ ପଡ଼ିଛନ୍ତି ଯେ, ସେମାନଙ୍କୁ ଦେଖିଲେ ମନେହୁଏ ସତେ କି ଦ୍ଵିବେଦୀଙ୍କର କର ପରଶରେ ଲିଥୋ ସେସିନ୍ ବି ଜୀବନ୍ତ ହୋଇପଡ଼ିଛି । ସେ ଜେଲକୁ ଚାଲିଗଲେ ବି, ଲିଥୋ ମେସିନ ନିଜେ ନିଜେ ତାଙ୍କ କାମ ସବୁକରି ଯିବ ଓ ଅଗଷ୍ଟ ବିପ୍ଳବକୁ ଓଡ଼ିଶାର ପୁର-ପଲ୍ଲୀରେ ବିଞ୍ଚାଇ ରଖିବ ।

 

ସମସ୍ତ ଚେଷ୍ଟା ସେମାନଙ୍କର ବ୍ୟର୍ଥ ହେଲା । ମେସିନ୍‌ର ପତ୍ତା ବି ମିଳିଲା ନାହିଁ ।

 

ରେନର ସାହେବ କହିଲେ “ପୁଲିସର ଆସିବାର ସନ୍ଧାନପାଇ କ’ଣ ତେବେ ମେସିନଟାକୁ….. ।

 

ବ୍ୟର୍ଥ ମନୋରଥ ହୋଇ ଯିବାବେଳେ ଚରଣ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଦେଇ, ପରଦିନ ସକାଳେ ତାଙ୍କ ପୁଅକୁ ନେଇ ରେନରସାହେବଙ୍କ କୋଠିରେ ଦେଖାକରିବାକୁ କହି ସାହେବ ଗାଡ଼ି ଛୁଟାଇଲା ବେଳକୁ….. ।

 

“ମୋ ଟଙ୍କା ସାହେବ ?” ପଟ୍ଟନାୟକ କହିଲେ । ଯେପରି ଜନତାର ଗୋଟାଏ ସ୍ରୋତ ପିଟିନ ସାହିରେ ଅଟକି ଯାଇଛି । ଦୀର୍ଘ ନିଶ୍ଵାସ ପକାଇ ଜନତା ଯେପରି କହୁଥାଏ ବିପ୍ଳବୀ ଦ୍ଵିବେଦୀ ଧରାହୋଇଗଲେ ? ତେବେ ଅଗଷ୍ଟ ବିପ୍ଳବ ?

 

ଜନତାର ପଛଆଡ଼ୁ ପବନ ସୁଅରେ ଉତ୍ସାହପୂର୍ଣ୍ଣ କଣ୍ଠସ୍ଵର ଯେପରି କାହାର ଭାସିଆସିଲା ।

 

“ଅଗଷ୍ଟ ବିପ୍ଳବ ବଞ୍ଚିରହିଛି-ରହିବ-ଏଥିରେ କାହାର ନେତୃତ୍ଵ ନାହିଁ-୪୦କୋଟି ଲୋକ ନେତୃତ୍ଵ ନେଇଛନ୍ତି ।

***

 

ପାଞ୍ଚ

 

ଭାରତର ମୁକ୍ତି ଇତିହାସରେ ଉତ୍କଳ ମୁଖକୁ ସମୁଜ୍ଵଳ କରି ଦ୍ଵବେଦୀ ଧରା ହୋଇଗଲେ-। ଏତେବଡ଼ ବିଚକ୍ଷଣ ବିପ୍ଳବୀ ଏମିତି କ’ଣ ଧରାହୋଇ ଯାଆନ୍ତି ? ଏ ଜାତି କ’ଣ ମୃତ ? ଜନତାର ନେତାକୁ କେତେଜଣ ନାଲି ପଗଡ଼ି ପିନ୍ଧା ପୁଲିସ ଧରିନେଲେ ? ଜନତା ସହ୍ୟକଲା କିପରି ?

 

ରେନରସାହେବର ଆଜି ବିଜୟ ହୋଇଛି । ନିଜ ଜୀବନକୁ ଆଜି ସେ କୃତାର୍ଥମୟ ବୋଧ କରିଛନ୍ତି । ଆରକଟ୍ ଦୁର୍ଗଜୟ କରି କ୍ଳାଇବ ଯେପରି ଆନନ୍ଦିତ ହୋଇଥିଲେ ତାଠାରୁ ବଳି ଆନନ୍ଦ ! ହଳଦୀ ଘାଟ ଯୁଦ୍ଧରେ ରାଣାପ୍ରତାପଙ୍କୁ ଜୟକରି ଆକବର ଯେଉଁ ଆନନ୍ଦ ପାଇଥିଲେ ତାଠାରୁ ବଳି ଆନନ୍ଦ । ସିପାହି ବିଦ୍ରୋହକୁ ଦମନକରି କଲିନ କେମ୍ପବେଲ ଲକ୍ଷ୍ନୌରେ ଅବରୋଧ ହୋଇଥିବା ଇଂରେଜମାନଙ୍କୁ ଉଦ୍ଧାରକରି ଯେପରି ଆନନ୍ଦ ପାଇଥିଲେ ତାଠାରୁ ବଳି ଆନନ୍ଦ ରେନର ସାହେବଙ୍କ ଜୀବନକୁ ଉଚ୍ଛାସିତ କରିଛି ।

 

ଆଖିଆଗରେ ତାଙ୍କର ଭାସିଚାଲିଛି-ଗୋଟି ଗୋଟି କରି ବିଦ୍ରୋହୀମାନଙ୍କୁ ଧରି ଜାତୀୟ ଆନ୍ଦୋଳନକୁ ମୂଳପୋଛ କରିଦେବାର ଛବି ।

 

ସଦର ଥାନାରୁ ଖବର ଆସିଛି । ଗିରଫଦାର ଦ୍ଵିବେଦୀଙ୍କୁ ପ୍ରାରମ୍ଭିକ ଜେରାକରି ଜେଲ ହାଜତକୁ ପଠାଇଦେବାକୁ ହେବ ।

 

ରେନରସାହେବ ଶୀଘ୍ର ଶୀଘ୍ର ନିତ୍ୟକର୍ମ ସାରି ଗାଡ଼ିରେ ଉଠିଲା ବେଳକୁ, ଚରଣ ପଟ୍ଟନାୟକ ତାଙ୍କ ହତାରେ ପ୍ରବେଶ କରିବା ଦେଖି ଅପେକ୍ଷାରେ ରହିଲେ ।

 

ହାଲୋ ! ପଟ୍ଟନାୟକ ତୁମେ ଠିକ୍ ସମୟରେ ପହଞ୍ଚିଛ । କହି ସାହେବ ଗାଡ଼ିରେ ଉଠିବାକୁ ଇଙ୍ଗିତ ଦେଲେ ।

 

ଚରଣପଟ୍ଟନାୟକ ଗାଡ଼ିରେ ଉଠୁ ଉଠୁ କହିଲେ “କାଲିଠାରୁ ମୋ ପୁଅ ଦେବେନ ବସାକୁ ଫେରିନି ସାହେବ ।

 

କଥା କହିଲା ବେଳକୁ ଗାଡ଼ି ଭୀଷଣ ଗତିରେ ଛୁଟିଥିଲା । ସାହେବ ପ୍ରାୟ ଅନ୍ୟ କିଛି କଥା ଭାବୁଥିଲେ । ତାଙ୍କ ଦୃଷ୍ଟିରେ ଆକର୍ଷଣ କରି ପଟ୍ଟନାୟକ ପୁଣିଥରେ କହିଲେ “ମୋ ପୁଅ କାଲି ସେତିକି ବେଳକୁ ଫେରିନି ସାହେବ ।”

 

କ’ଣ ତମ ପୁଅ ଫେରିନି ? ନ ଫେରୁ….. ।

 

ଗାଡ଼ି ଆସି ସଦରଥାନା ଆଗରେ ପହଞ୍ଚିଲା । ଅସଂଖ୍ୟ ଜନତା । ଅଭିପ୍ରାୟ ? ଦ୍ଵିବେଦୀଙ୍କର ଶେଷ ଦର୍ଶନ ପ୍ରାର୍ଥୀ । ଶେଷକଥା ପଦେ ଶୁଣିବାକୁ ବ୍ୟାକୁଳ ।

 

ପୁଲିସର ତ୍ଵାହି ତ୍ଵାହି ଧମକ ।

 

ତଥାପି ଜନତା ଅଟଳ ପ୍ରତିଜ୍ଞା କରିଛି ଶେଷଥର ପାଇଁ ତାର ବିପ୍ଳବୀ ନେତାର ଦର୍ଶନ କରିବ !

 

ଜନତା ନିର୍ଭର ପ୍ରତିଶ୍ରୁତି ଦେଇଛି ପୁଲିସକୁ । କୌଣସି ଗୋଳମାଳର ଆଶଙ୍କା ନାହିଁ । କେବଳ ଥରେ ଦ୍ଵିବେଦୀଙ୍କୁ ଦେଖିବେ ।

 

ଚରଣ ପଟ୍ଟନାୟକଙ୍କୁ ରେନର ସାହେବଙ୍କ ସଙ୍ଗରେ ଯାଇଥିବାର ଦେଖି, ପଞ୍ଝାଏ ଯୁବକ ପାଟିକରିଉଠିଲେ “ବିଶ୍ଵାସ-ଘାତକ” ।

 

ଜନତାର ଚିତ୍ତ ଚଞ୍ଚଳ ହୋଇଉଠିଛି । ରକ୍ତ ଗରମ ହୋଇଉଠିଛି । ସେମାନେ ଦ୍ଵିବେଦୀଙ୍କର ମୁକ୍ତି ଅପେକ୍ଷା ଚରଣ ପଟ୍ଟନାୟଙ୍କର ରକ୍ତ ଚାହାନ୍ତି ? ଏଇ ମାଟି, ଏଇ ପବନ, ଏଇ ସମାଜରେ ବଞ୍ଚି ଆଜି କଣ କରିଛି ? ଦେଖ, ଜାତି କଣ କେବେ ତାକୁ କ୍ଷମା କରିବ ? ରେନର ସାହେବ ବାହୁ ଛାୟାତଳେ ସେ କଣ ବଞ୍ଚି ରହିପାରିବ ?

 

ରେନରଙ୍କ ପିସ୍ତଲ ଦାଉ ଦାଉ ହୋଇ ଝଟକି ଉଠୁଛି । ଜନତାର କ୍ରୋଧ କମିଯାଇଛି । ରେନର ପଟ୍ଟନାୟକଙ୍କ ସହ ସଦର ଥାନା ଭିତରକୁ ପ୍ରବେଶ କଲେ ।

 

ଗୁରୁ ଗମ୍ଭୀର ସ୍ଵରରେ ପୁଲିସ ଇନ୍‌ସପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇ ପଚାରିଲେ, “ଥାନା ଆଗରେ ଏ ଝାମେଲା କାହିଁକି ?”

 

ପୁଲିସ ଇନ୍‌ସପେକ୍ଟର ନିଜର ନିର୍ବୋଧତାର ସଫେଇ ଦେଇ ଜନତାର ଏକ ଜିଦ୍ ଦ୍ଵିବେଦୀଙ୍କୁ ଦେଖିବାର ଇଚ୍ଛା କଥା ଜଣାଇଦେଲେ ।

 

ଜନତାକୁ ଘଉଡ଼ାଇ ଦେବାକୁ ହେବ । ରିଜର୍ଭ ଲାଇନକୁ ଫୋନ କର । ୧୦୦ଫୌଜ ଶୀଘ୍ର ଆସନ୍ତୁ । ଶାସନ ଜନତାର ନିର୍ଦ୍ଦେଶରେ ଚଳେନା । ଚଳେ ଶାସକର ଶାସନ ଦୃଷ୍ଟିରୁ….. ।”

 

କହୁ କହୁ ରେନର ସାହେବ ବିପ୍ଳବୀ ଦ୍ଵିବେଦୀଙ୍କର ପ୍ରାରମ୍ଭିକ ଜେରା ନେବା ସକାଶେ ହାଜତ ରୁମ୍‌କୁ ପଶିଗଲେ ।

 

ଯୁବକ ରେନର ସାହେବଙ୍କୁ ଦେଖି ଅଭିନନ୍ଦନ କରି କହିଲା, “ସୁପ୍ରଭାତ ରେନର ସାହେବ !”

ମୁଁ କଣ ଉପଯୁକ୍ତ ଖିରସ୍ତାନ ନୁହେଁ ?

 

ଖିରସ୍ତାନ ତୁମେ ଦ୍ଵିବେଦୀ ?

 

ଯୁବକ ଠୋ ଠୋ ଅଟ୍ଟହାସ୍ୟ କରି କହିଲା, ଖିରସ୍ତାନ ନ ହୋଇଥିଲେ ହୁଏତ ଆପଣ ଅସୁବିଧାରେ ପଡ଼ିଥାନ୍ତେ-ଦ୍ଵିବେଦୀଙ୍କୁ ଧରିବାର ଆଶା ଆପଣଙ୍କର ନଥିଲା-ବାପାଙ୍କର ଖିରସ୍ତାନ ବୋଲି ଗର୍ବ ଓ ୧୦୦୦୦ ଟଙ୍କାର ପୁରସ୍କାର ?

 

ତୁମେ କଣ କହୁଛ ଦ୍ଵିବେଦୀ ? ପାଗଳ ହୋଇଯାଇଛ ନା କଣ ?

 

ପାଗଳ ମୁଁ ହୋଇନି ସାହେବ, ପାଗଳ କରିଦେଇଛି ଆପଣଙ୍କୁ ଦ୍ଵିବେଦୀ….. ।

 

ଦ୍ଵି – ବେ – ଦୀ…..ଆରେ ଏ କଣ କହୁଛ ତମେ…..ମ. ପଟ୍ଟନାୟକ ? ପଟ୍ଟନାୟକ ଏ ଦ୍ଵିବେଦୀ କଣ କହୁଛନ୍ତି ଶୁଣିଲ ?

 

ସାହେବଙ୍କର ଏ ବାଚାଳତାରେ ପଟ୍ଟନାୟକ ଅସ୍ଥିରହୋଇ ଗାରଦଖାନାରେ ପଶି ଆସୁ ଆସୁ ଆଖି ତାଙ୍କର ଅଟକି ଗଲା । ଚିତ୍କାର କରିଉଠିଲେ,“ଦେବେନ୍ ! ତୁ ଏଠି ?”

 

ଦେବେନ୍ ! ନା ନା ଦ୍ଵିବେଦୀ ସେ ?

 

ଭୁଲ୍ ବୁଝିଲ ସାହେବ ! ଗମ୍ଭୀର ଭାବରେ ବନ୍ଦୀ ଆରମ୍ଭ କଲା । “ମୁଁ ଦ୍ଵିବେଦୀ ନୁହେଁ ସାହେବ, ମୁଁ ଦେବେନ୍ । ବାପା ଯେଉଁ ପାପ କରିଥିଲେ ତାର ପ୍ରାୟଶ୍ଚିତ କରିବାକୁ ଆସିଛି ଏଠିକୁ । ଆପଣ ପ୍ରାରମ୍ଭିକ ଜେରା କରିବେ ? ଚାର୍ଜସିଟ ଦେବାକୁ ହେବ ନିଶ୍ଚୟ । ଲେଖନ୍ତୁ…….ନୀରବ ରହିଲ ଯେ….. ?”

 

ବାପାଙ୍କର ୧୦୦୦୦ଟଙ୍କାର ଲୋଭ । ମୋ ପାଇଁ ଗୋଟାଏ ଉପଯୁକ୍ତ ଚାକିରି । ପ୍ରଲବ୍‌ଧ ହୋଇ ଉଠିଥିଲେ ବାପା ! ଠିକ୍ ସମୟରେ ଖବର ଦେବାପାଇଁ ମୋତେ ଖବର ଦେଲେ-। ଆଖି ଆଗରେ ଝଲସିତ ରାମ ରାଜ୍ୟ-ମୋ ଦେଶର ସ୍ଵାଧୀନତାର ଛବି ଝଲସିଉଠିଲା ଆଖି ଆଗରେ । ଛାର ୧୦୦୦୦ଟଙ୍କାର ଲୋଭ ! ଚାକିରି ଗୋଲାମି ! ବ୍ରିଟିଶ ଶାସନ ତଳେ ଗୋଲାମି-! ସେ ମୋହ କେଉଁଆଡ଼େ ଉଭେଇଗଲା ! ବିପ୍ଳବର ଝଞ୍ଜା ମୋ ଶିରା ପ୍ରଶିରାକୁ ବିଷାକ୍ତମୟ କରିପକାଇଲା ସାହେବ ! ବିପ୍ଳବୀ ଦ୍ଵିବେଦୀଙ୍କୁ ତାଙ୍କ ସ୍ଥାନରେ କାମ କରିବାର ଅନୁମତି ପାଇଁ-ତାଙ୍କୁ ଦେବେନ୍ ବେଶରେ ଆପଣଙ୍କୁ ଖବର ଦେବାକୁ ପଠାଇଦେଲି । ଠିକ୍ ସମୟରେ ଖବର ଦେବାର ଅବହେଳା କରିନାହାନ୍ତି ପ୍ରାୟ ସେ-ବିପ୍ଳବୀ ସେ-ବିପ୍ଳବର ମୋହନ ମନ୍ତ୍ରରେ ପ୍ରଲବ୍‌ଧ ମୁଁ ।

 

“ବିଶ୍ଵାସଘାତକ…. ।” ରେନର୍ ସାହେବ ସିଂହର ହିଂସ୍ରତା ନେଇ ଗର୍ଜନ କରିଉଠିଲେ ।

 

“ଭଦ୍ର ଇଂରେଜର ଏ ଅଭଦ୍ରତା ଶୋଭାପାଏନା ସାହେବ ! ଆପଣଙ୍କ ସ୍ଵାଧୀନତା ସକାଶେ, ଅନ୍ୟ ଦେଶର ସ୍ଵାଧୀନତା ସକାଶେ ବ୍ୟାକୁଳ ହୋଇ ଉଠିଥିବା ବେଳେ, ଆମେ ଆମ ଦେଶର ସ୍ଵାଧୀନତା ସକାଶେ ଚେଷ୍ଟାକଲେ, ଆପଣଙ୍କର ଏତେ ବଡ଼ ହିଂସ୍ରତା କାହିଁକି ? ଆପଣଙ୍କର ଦେଶରେ ଆପଣଙ୍କର ସ୍ଵାଧୀନତା ସକାଶେ କେହି କିଛି ସାମାନ୍ୟ କାମ କରିଥିଲେ, ଜାତି, ଆପଣ ତାଙ୍କୁ ପୂଜା କରନ୍ତେ, ସେ ହୁଅନ୍ତେ ମାଟିର ଯୁଗେ-ଯୁଗେ ।”

 

କିନ୍ତୁ ଏ ଦେଶରେ…… ।

 

“ଚୁପ୍ କର ! ଇନ୍‌ସପେକ୍ଟର ! ଚରଣ ପଟ୍ଟନାୟକଙ୍କୁ ବି ଗିରଫ କର ।”

 

ମୋତେ ଗିରଫ କରିବ ସାହେବ ? “ହଁ ହଁ ଆପଣ ଗିରଫ ହେବା ଉଚିତ ବାବା ! ଏ କଣ କମ୍ ପାପ ? ଦ୍ଵିବେଦୀଙ୍କୁ ଜାଣିଶୁଣି ଲିଥୋ ଅନୁଷ୍ଠାନ ପ୍ରତିଷ୍ଠା କରିବାକୁ ଅନୁମତି ଦେଇ…..-।”

 

ଦେବେନ୍ !

 

ହଁ ବାବା, ବାହାରେ ଜନତାର ଆଘାତରେ, ହିଂସା, ଘୃଣାରେ ବଞ୍ଚି ରହିବା ଅପେକ୍ଷା, ବ୍ରିଟିଶ ଧର୍ମଶାଳାରେ ସରକାରୀ ଅତିଥି ହୋଇ ନିଜ ଅପକର୍ମର ପ୍ରାୟଶ୍ଚିତ କରିବା କଣ ଶୋଭନୀୟ ନୁହେଁ ?

 

ରେନର ଅସ୍ଥିର ହୋଇଉଠିଲେ । ଶିକାର ତେବେ ହାତରୁ ଖସିଯାଇଛି । ତାଙ୍କ ସାଙ୍ଗରେ କରମର୍ଦ୍ଦନ କରି ଦ୍ଵିବେଦୀ ପୁଲିସ ବ୍ୟୂହ ଭେଦକରି ଚାଲିଯାଇଛି ? ବାତଚକ୍ର ପରି ମୁଣ୍ଡ ଘୂରି ବୁଲିଲା ତାଙ୍କର ନିଜର ଦୀନତା ଲୁଚାଇରଖିବା ପାଇଁ ନିଜ ଗାଡ଼ିରେ ଉଠିପଡ଼ିଲେ ସାହେବ ।

 

ପଛରେ ପୁଲିସ ଗାଡ଼ିରେ ସୁରକ୍ଷିତ ଭାବରେ ଚାଲିଲେ ଦେବେନ୍ ଓ ଚରଣ ପଟ୍ଟନାୟକ-

 

ଜନତା ଉତ୍ତେଜିତ ଭାବରେ ଚିତ୍କାର କଲା, “ବିପ୍ଳବୀ ଦ୍ଵିବେଦୀ ଜିନ୍ଦାବାଦ୍ ।”

 

ଉତ୍ତର ଆସିଲା, “ବିପ୍ଳବୀ ଦ୍ଵିବେଦୀ ଜିନ୍ଦେ ରହେ”, ବିପ୍ଳବୀ ଦ୍ଵିବେଦୀଙ୍କୁ ଧରିବ କିଏ ?

 

ଜନତା ଉତ୍ତର ଦେଲା,”ଚରଣ ପଟ୍ଟନାୟକ ପୁଲିସ ଗାଡ଼ିରେ କାହିଁକି ?”

 

ସେ ଗିରଫ ହେଇଛନ୍ତି । ତାଙ୍କ ପୁଅ ଦେବେନ୍ ଦ୍ଵିବେଦୀ ଦ୍ଵିବେଦୀଙ୍କୁ ଖସାଇଦେଇ, ବ୍ରିଟିଶ ଲୋକଙ୍କୁ ପ୍ରତାରିତ କରିଛି ।

 

ଜନତା ଅବାକ୍ । ଆଶା ଓ ଆବେଗରେ ଦେବେନ୍‌ଙ୍କ ଦର୍ଶନ ନିମନ୍ତେ ଚଞ୍ଚଳ ହୋଇଉଠିଛି ଜନତା ।

 

କିନ୍ତୁ ଗାଡ଼ି ତୀର ବେଗରେ ଜେଲ୍‍ଆଡ଼କୁ ଗତିକରିଛି ।

***

 

ଛଅ

 

ବିଦ୍ୟୁତ ଗତିରେ ଦ୍ଵିବେଦୀ ରେନରସାହେବ ପ୍ରଭୃତିଙ୍କୁ କାବୁକରି ଲିଥୋ ମେସିନ୍‌ ସହ ଚାଲିଯିବା ଖବର ଉତ୍କଳରେ କେବଳ ନୁହେଁ, କେପ୍‌କମୋରିନଠାରୁ ହିମାଳୟ ପର୍ଯ୍ୟନ୍ତ ଚାରିଆଡ଼େ ପ୍ରଚାର ହୋଇଯାଇଛି ।

 

ଦ୍ଵିବେଦୀ ଗଲେ । କେଉଁଠିକି ଗଲେ ? ଆଶ୍ରୟ ପାଇବେ କେଉଁଠି ? ଅନ୍ଦି, ବିକନ୍ଦି, ବଣ ଜଙ୍ଗଲ ସବୁଠି ପୁଲିସର କଡ଼ା ନଜର ।

 

ସମସ୍ତଙ୍କ ମୁହଁରେ ଗୋଟାଏ ପ୍ରଶ୍ନ ଗଲେ କେଉଁଠି ?

 

ଦୁଇଦିନ ପରେ ପୁଲିସବାଲାଙ୍କ ନଜରରେ ଦ୍ଵିବେଦୀଙ୍କ ହସ୍ତଲେଖା ଶତ ଶତ ବୁଲେଟିନ ପଡ଼ିଛି । ତେବେ ସେ କେଉଁଠି ?

 

ରେନ୍‌ର ନିଜେ ଲଜ୍ଜିତ । ଏତେ ବିହ୍ଵୋଳ ସେ ହୋଇଉଠିଥିଲେ ଯେ ନିଜ ହାତମୁଠାରେ ଦ୍ଵିବେଦୀଙ୍କର ହସ୍ତମୁଠା ସଂଯୋଗକରି ଛାଡ଼ି ଦେଇଛନ୍ତି । ଏହାଠାରୁ ବଳି କାର୍ଯ୍ୟଦକ୍ଷ ରେନ୍‌ରଙ୍କୁ ଲଜ୍ଜାର କଥା କ’ଣ ଥାଇପାରେ ? କାହାକୁ କହିବେ ?

 

କି କୈଫୟତ ସେ ବା ଦେବେ…. ।

 

ଅନ୍ଧାରି ମୁଲକ ଢେଙ୍କାନାଳରେ ବି ଅଗଷ୍ଟ ବିପ୍ଳବ ତେଜିଉଠିଛି ଅଗଷ୍ଟ ଆନ୍ଦୋଳନକୁ ଦବାଇ ଦେବାପାଇଁ ଢେଙ୍କାନାଳ ରାଜ୍ୟ ସରକାର ସବୁକିଛି ଦମନ ଉପାୟ ପ୍ରୟୋଗ କରି ସାରିଲାଣି । ଆନ୍ଦୋଳନ ଦବିନି-ତେଜି ତେଜି ଉଠୁଛି ।

 

ବ୍ରିଟିଶ ଶାସନ ସଙ୍ଗେ ସଙ୍ଗେ କ’ଣ ଢେଙ୍କାନାଳର ରାଜତନ୍ତ୍ର ବି ଲୋପ ପାଇଯିବ ? ଯିବା ଉଚିତ୍ । ଗୋଟାଏ ଟେକାକେ ଦୁଇଟି ପକ୍ଷୀ ମାରି ପାରିଲେ ସିନା ଶିକାରୀର ବାହାଦୁରି । ବ୍ରିଟିଶ ଶାସନ ଲୋପ ପରେ ଯେବେ ଏ ପ୍ରତିକ୍ରିୟାଶୀଳ ରାଜା ମହାରାଜାମାନେ ତିଷ୍ଠି ରହନ୍ତି । ସ୍ଵାଧୀନତାମାନେ କ’ଣ ହେବ ? କିଏ ସ୍ଵାଧୀନ ହେବେ ? ଜନତା ! ନା ରାଜା ମହାରାଜାମାନେ ।

 

ବିପ୍ଳବର ଧାରା ଢେଙ୍କାନାଳରେ ଟିକେ ବଦଳିଛି । ଜନତା ପ୍ରମାଣ କରିଦେଇଛି, ବଣର ଶିକାର ପରି ସେ କେବଳ ଗୁଳି, ବନ୍ଧୁକ ଆଗରେ ଛାତି ଦେଖାଇ ମରି ଶିଖି ନାହାନ୍ତି । ସେମାନେବି ଜାଣନ୍ତି ଅତ୍ୟାଚାରୀର ଛାତିକୁ ଗୁଳି ଚଳେଇ ପାରନ୍ତି ।

 

ସାରା ଢେଙ୍କାନାଳରେ ଆତଙ୍କବାଦର ଶିହରଣ । ମଢ଼ି ସବ୍‌ଡିଭିଜନରେ ଧାନଗୋଲା, ଥାନା, ସମସ୍ତ ରାଜକୀୟ କର୍ମଚାରୀ ଭିତତ୍ରସ୍ତ ।

 

ପ୍ରତ୍ୟେକ ପୁରପଲ୍ଲୀରେ ସ୍ଵାଧୀନ ପଞ୍ଚାୟତ ଗଠନ କରାଯାଇ ଶାନ୍ତି ଶୃଙ୍ଖଳା ଫେରାଇ ଆଣିବାର ଅକ୍ଳାନ୍ତ ଚେଷ୍ଟା ଚାଲିଲାଣି ।

 

ଅଗଣିତ ଜନତା ଛୁଟି ଚାଲିଛି ପରଜଙ୍ଗ ଥାନାଆଡ଼କୁ । ଦଳେ ସଶସ୍ତ୍ର ଆତତାୟୀ ପୁଲିସ ଆସି ଜନତାକୁ ଅଟକି ଯିବାପାଇଁ ଆଦେଶ ଦେଲେ ।

 

ଅମାନିଆ ଜନତା ଉପହାସରେ ପୁଲିସ ଫୌଜର କଥାକୁ ଉଡ଼ାଇ ଦେଲେ ।

 

ଫୌଜର ଗୁଡ଼୍‌ମ ଗୁଡ଼୍‌ମ ରାଇଫଲଗୁଡ଼ିକ ଗର୍ଜିଉଠିଲା ।

 

ଜନତା ଆଗରେ ତାଙ୍କର ନେତାଙ୍କ ବାହୁରେ ଆତତାୟୀଙ୍କର ଗୁଳି ବାଜିଲା । ବୀର ସାଥି ଅଧୀର ନ ହୋଇ ସଂଗ୍ରାମ ଚଳାଇବାକୁ ଆଦେଶ ଦେଲେ ।

 

ଭୟଙ୍କର ଖଣ୍ଡ ଯୁଦ୍ଧ । ଅସୀମ ସାହସର ସହିତ ଜନତା ଲଢ଼ିଲେ ।

 

ଜନତାର ଏ ଲଢ଼େଇରେ ଅଗଷ୍ଟ ବିପ୍ଳବର ଇତିହାସରେ ନୂଆ ପରିଚ୍ଛେଦ ଖୋଲିଗଲା-। ଅନ୍ଧାରୀ ଢେଙ୍କାନାଳ ଭାରତକୁ ନୂଆ ଆଲୁଅ ଦେଇଛି । ନୂଆ ଉଦ୍ଦୀପନା ସୃଷ୍ଟି କରିଛି ।

 

ବାପୁଜୀଙ୍କର ଅହିଂସା ମାର୍ଗରୁ ଜନତାର କ’ଣ ସ୍ଖଳନ ହେଲା ?

 

ହେଲେ କ୍ଷତି କ’ଣ ?

 

ବାପୁଜୀ ତ ପୁଣି କହିଥିଲେ ଭୀରୁତା ଅପେକ୍ଷା ସେ– ଅହିଂସାର ଦର୍ଶନ ଅପେକ୍ଷା ବିପ୍ଳବକୁ ଜୀବନ ଦେବାରେ ଯେବେ ଆତତାୟୀର ଗୁଳିରୁ ଆତ୍ମରକ୍ଷା ସକାଶେ ଲୋଡ଼ାହୁଏ…. ।

 

କଣ୍ଟା କଣ୍ଟାକୁ କାଢ଼େ ।

 

ତେବେ ସାରା ଢେଙ୍କାନାଳରେ ସଶସ୍ତ୍ର ଖଣ୍ଡ ଯୁଦ୍ଧ ଲୋଡ଼ା । ନିରୀହଜନତା ସଶସ୍ତ୍ର ସଂଗ୍ରାମରେ ମୁଣ୍ଡଟେକି ଅଗଷ୍ଟ ଜନଆନ୍ଦୋଳନକୁ ବଞ୍ଚାଇପାରିବେ ତ ? ସେହି ତ ହେଲା ସମସ୍ୟା-

 

ସ୍ଵାଧୀନ ପଞ୍ଚାୟତ ରାଜ୍ୟ । ତାହା ହିଁ ଲୋଡ଼ା । ବାପୁଜୀଙ୍କର କଳ୍ପିତ ରାମରାଜ୍ୟର ସେହି ତ ହେଉଛି ମୂଳଦୁଆ । ଅହିଂସା ମାର୍ଗରେ ସଂଗ୍ରାମ ଚଳାଇବାକୁ ହେବ । ନଚେତ୍ ଜନତାର ଉତ୍ତେଜନା ବେଶିଦିନ ବଞ୍ଚିରହିବ ନାହିଁ ।

 

ଢେଙ୍କାନାଳର ବିପ୍ଳବୀ ନେତା ଗୁରୁ ଆଘାତ ପାଇ ଫେରାର ହୋଇଛନ୍ତି ।

 

ଆନ୍ଦୋଳନକୁ ନୂଆ ରକ୍ତ ଦିଆଯାଇଛି । ଆନ୍ଦୋଳନର ଭଙ୍ଗି ବଦଳିଯାଇଛି । ଅହିଂସା ଉପାୟରେ ନେତୃତ୍ଵ ଦିଆଯାଇଛି ଜନତାକୁ ।

 

ଏବେ ଢେଙ୍କାନାଳବାସୀଙ୍କ ପାଇଁ ଗୋଟାଏ ସ୍ଵତନ୍ତ୍ର ବୁଲେଟିନ ବାହାରୁଛି । ଢେଙ୍କାନାଳର କେତେକ କର୍ମୀଙ୍କୁ ଉଦ୍‌ବୋଧନ କରାଯାଇ, ରାଜାଙ୍କୁ ଭେଟି ଜନତା ସହିତ ସନ୍ଧି କରିବା ପାଇଁ ପରାମର୍ଶ ଦିଆଯାଇଛି । ରାଜାଙ୍କୁ ବିଶେଷ ଭାବେ ବ୍ରିଟିଶ ଶାସନରୁ ଅଲଗା ରହିବା ପାଇଁ, ଧନ, ଜନ କୌଣସି ଉପାୟରେ ବ୍ରିଟିଶ ସରକାରଙ୍କୁ ସାହାଯ୍ୟ ନ ଦେବା ପାଇଁ, ଦ୍ଵିବେଦୀଙ୍କ ଦପ୍ତରରୁ ଗୋଟିଏ ପ୍ରାଣସ୍ପର୍ଶୀ ନିବେଦନ ପଠାଯାଇଛି ।

 

ରାଜସରକାର ଦ୍ଵିବେଦୀ ଢେଙ୍କାନାଳରେ ରହି ଆନ୍ଦୋଳନର ଗତିକୁ ବଦଳାଇଛନ୍ତି ବୋଲି ଅନୁମାନ କରି, ଓଡ଼ିଶା ସରକାରଙ୍କୁ ଖବର ପଠାଇ ଦେଲେ ।

 

ହଜାର ହଜାର ବୁଲେଟିନ ଓଡ଼ିଶାର ବିଭିନ୍ନ କେନ୍ଦ୍ରକୁ ପଠା ଯାଉଥିଲାବେଳେ ପୁଲିସ ଜବତ କରି ଅନେକ ଲୋକଙ୍କୁ ଗିରଫ କରିଛି କିନ୍ତୁ ଦ୍ଵିବେଦୀଙ୍କର କୌଣସି ପତ୍ତା ମିଳୁନି । ଅମାନୁଷିକ ଭାବେ ଗିରଫ ହୋଇଥିବା କର୍ମୀମାନଙ୍କୁ ଦଣ୍ଡ ଦିଆଯାଉଛି, କିନ୍ତୁ ସବୁ ଚେଷ୍ଟା ପଣ୍ଡ ହୋଇଛି ।

 

ଅହିଂସା ମାର୍ଗରେ ସଂଗ୍ରାମ ଚଳାଇଥିବାରୁ ଢେଙ୍କାନାଳର ଆତତାୟୀ ସରକାରର ନୈତିକ ପତନ ଘଟିଛି ।

 

ସରକାରର ଜୁଲମ ବଢ଼ିଚାଲିଛି ସତ । କିନ୍ତୁ ଅତ୍ୟାଚାର କରିବାକୁ ସମସ୍ତ ଶାସନକଳ ଯେପରି ଭୀତତ୍ରସ୍ତ ।

 

ଓଡ଼ିଶା ସରକାରର ଅଫିସରମାନେ ଆସି ଢେଙ୍କାନାଳରେ ପହଞ୍ଚିଲେ । ଚାଲିଲା ବିଧିବଦ୍ଧଭାବେ ମିଳିତ ଉଦ୍ୟମ ।

 

ରେନରସାହେବ ଚାହେଁ ଦ୍ଵିବେଦୀଙ୍କୁ ।

 

ବ୍ରିଟିଶ ସରକାର ଚାହେଁ ଦ୍ଵିବେଦୀଙ୍କୁ । ଢେଙ୍କାନାଳ ରାଜସରକାର ଚାହେଁ ଦ୍ଵିବେଦୀଙ୍କୁ…. ।

 

ସେ କ’ଣ ସହଜେ ମିଳିବା ଧନ ?

 

ସାଧନା କାହିଁ କାହାର ତାଙ୍କୁ ଧରିବାକୁ ? ଧରି ତ ଧରି ରଖିପାରୁନି ସରକାର । ସରକାରର ଭାଗ୍ୟ ଖରାପ । ସ୍ଵାଧୀନତା ପୂର୍ବରୁ ଦ୍ଵିବେଦୀ ଧରା ଦେବେନି-ସଙ୍କଳ୍ପ ତାଙ୍କର । ତଥାପି ଭାଗ୍ୟଦେବୀ ଯେବେ ଅପ୍ରସନ୍ନ ହୁଅନ୍ତି– ।

 

ନୂଆ କୌଶଳ ଢେଙ୍କାନାଳ ରାଜ୍ୟ ସରକାର ଉଦ୍ଭାବନ କରିଛି । ପ୍ରଚୁର ଅର୍ଥ ଲୋଭ ଦେଖାଇ କେତେକ କର୍ମୀଙ୍କୁ ନିଜର କରିନେବାର ଚେଷ୍ଟା କରିଛି । ନିଜେ ଖୋଦ ରାଜା ଏ କାର୍ଯ୍ୟଭାର ନେଇଛନ୍ତି ।

 

ରାଜକୋଷ ନିଶେଷ ହୋଇଯାଉ ପଛେ ମୁଖିଆ କର୍ମୀମାନଙ୍କୁ ହସ୍ତଗତ କରି, ଆନ୍ଦୋଳନକୁ ଚପାଇ ଦେବାକୁ ହେବ । ଯେଉଁଠି ଶତ ଶତ ବନ୍ଧୁକଧାରୀ ସିପାହି, ସୈନ୍ୟ ଫୌଜ ଆନ୍ଦୋଳନ ଚପାଇପାରି ନାହାନ୍ତି । କେବଳ ରକ୍ତପାତ ସାର ହୋଇଛି । ସେଠି କେବଳ ରାଜନୈତିକ କୌଶଳ ଲୋଡ଼ା । ପୋକତ୍ ଶାସକର ଶାସନର କରାମତି ଚାହି ।

 

ଉପାୟ ମନ୍ଦ ନୁହେଁ । ରାଜକୋଷ ସର୍ବହରା, କଙ୍ଗାଳର ସେବାରେ ଯେବେ ଲାଗେ, ମନ୍ଦ କ’ଣ ?

 

ରାଜା ସାହେବ କଳ୍ପନାରେ ମଜଭୂର ହୋଇ ଉଠିଛନ୍ତି । ରେନର ସାହେବ ଯେଉଁ ଦ୍ଵିବେଦୀଙ୍କୁ ଧରି ଧରିପାରିନି । ବ୍ରିଟିଶ ଜିଲ୍ଲାମାନଙ୍କରେ ବଡ଼ ବଡ଼ ଅଫିସର ରାତି ରାତି ଦ୍ଵିବେଦୀଙ୍କୁ ଧରିବାର କୌଶଳ ଚିନ୍ତାକରି କ୍ଳାନ୍ତ ଅନୁଭବ କଲେଣି ! ଆଜି ତାଙ୍କୁ ଧରିବାକୁ ନୂଆ ଷଡ଼ଯନ୍ତ୍ର ।

 

ଦଶହଜାର ଟଙ୍କାରେ ଦ୍ଵିବେଦୀ ଧରାଦେଲେ ନାହିଁ ।

 

ଏବେ ଢେଙ୍କାନାଳ ସରକାର ଅଧିକା ପନ୍ଦର ହଜାର ଟଙ୍କାର ଆକର୍ଷଣ ଦେଇଛି । ଯେଉଁମାନେ ଚେଷ୍ଟା କରିବେ ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଉପଯୁକ୍ତ ପରିମାଣରେ ପୁରସ୍କାର ଓ ପାରିଶ୍ରମିକ ମିଳିବ ।

 

ପରଦିନ ଢେଙ୍କାନାଳର ଇତିହାସ ପ୍ରସିଦ୍ଧ ଭୁବନ ଗାଁରେ ଗୋଟାଏ ବିରାଟ ସଭାର ଆୟୋଜନ ହୋଇଛି । ଭୁବନ ଗାଁ ଆଖପାଖରେ ବୈତରଣୀ ନଦୀ – ବିଲବାଡ଼ି – ପାହାଡ଼ – ଜଙ୍ଗଲ ! କେଉଁଠି ତେବେ ସଭା ହେବ ? ପୁରୋଧା କିଏ ? ବିପ୍ଳବୀ ସାଥି ? ସେ ତ ଫେରାର……ଦ୍ଵିବେଦୀ ନିଜେ ତେବେ କଣ ?

 

ରାଜା ଖବର ପାଇଛନ୍ତି । ସଭା ହେବ । କିଏ ସଭା କରିବ ? ପୁରୋଧା କିଏ ? ତାଳଚେରରୁ ମଧ୍ୟ କଂଗ୍ରେସ କର୍ମୀଙ୍କ ହସ୍ତଗତ କରାଇ, ନିଯୁକ୍ତ କରାଯାଇଛି । କାହିଁ ? କିଛି ତ ଫଳ ନାହିଁ ।

 

କାଲି ସଭା ହେବ । କେତେବେଳେ ! ଖବର ତ ୪ଟା ବେଳକୁ ମିଳିବାର କଥା । ଆସି ଛଅଟା ବାଜିଲାଣି କିଛି ଖବର ନାହିଁ ।

 

ରାଜା ସାହେବ ପ୍ରମୋଦ ଉଦ୍ୟାନରେ ଟହଲ ମାରୁଥାନ୍ତି । ମୁଣ୍ଡରେ ସେହି ଗୋଟାଏ କଳ୍ପନା ! ଢେଙ୍କାନାଳର ରାଜ୍ୟ ଶାସନ କରି କେବେ ସେ ଏପରି ଚିନ୍ତାକରି ନାହାନ୍ତି । ଆଜି ଗୋଟାଏ ନୂଆ ଭୂତ ତାଙ୍କୁ ଘୋଟିଛି । ରାଜ୍ୟ ଯାଉ । ସବୁକିଛି ଯାଉ……. । ବିପ୍ଳବୀ ଦ୍ୱିବେଦୀଙ୍କୁ ସେ ଧରିବେ……ଯାହାଙ୍କ ପଛରେ ଦୁନିଆ ଦଉଡ଼ିଛି । ରାଜା କାହିଁକି ନ ଯିବେ ।

 

ନାଲି ଟୁକ୍ ଟୁକ୍ ସୂର୍ଯ୍ୟ ଦେବତା ପଶ୍ଚିମାକାଶରେ ମା’ କୋଳକୁ ଡେଇଁ ପଡ଼ିଲେଣି ।

 

ରାଜାଙ୍କ ଆଖି ତେଣେ ନାହିଁ ।

 

ଦୂରଦୂରାନ୍ତ ବ୍ୟାପି ଚକ୍ରବାଳ ସଙ୍ଗେ ଶୂନ୍ୟତା ଯେଉଁଠି ନିଃଶେଷ ହୋଇଯାଇଛି – ସେଇଠି ତାଙ୍କର ଆଖି । ଶୂନ୍ୟତା ଭିତରେ ଯେପରି ଗୋଟିଏ ରୂପର ପ୍ରତିକ୍ଷାରେ ସେ ପାଗଳ । ଦୃଷ୍ଟି ସେଇଠି ଲାଗି ରହିଛି । ମନ ଭିତରେ କେବଳ ଗୋଟିଏ ଆନ୍ଦୋଳନ । ଅଗଷ୍ଟ ଆନ୍ଦୋଳନ ପରି ଜୀବନ୍ତ !

 

ଆକାଶରେ ତରା ଉଇଁ ଉଠିଲେଣି । ଅଶୋକ ଗଛର ଛାୟା ସଙ୍ଗେ ସପ୍ତମୀ ଚାନ୍ଦ ବେଶ୍ ଖେଳ ଖଣ୍ଡେ ଖେଳି ବସିଛି ।

 

ପ୍ରକୃତିର ଉତ୍ସ ଫୁଟିଉଠିଛି । କିମିତି କବିତାହୀନ ରାଜା ଏ ।

 

ଅଶୋକ ଛାୟା ତଳେ ନିଚ ଗଳାରେ କିଏ କହିଲା ।

 

ମୁଁ ଆସିଛି ମଣିମା ।

 

ହଁ, ଅନେକବେଳୁ ତମରି ଅପେକ୍ଷାରେ ଥିଲି ଅନନ୍ତ ।

 

ତେବେ କିଏ ତମେ ।

 

ମୁଁ ଜଣେ ତାଳଚେରର ଲୋକ ମଣିମା !

 

“ମୀନକେତନ, ତମେ ମିନକେତନ-ତମେ ଆସିଛ । ତମେ ପାରିବ ? ବେଶ୍ ପାରିବ….ହଁ କଣ ଖବର ?”

 

କାଲି ଭୁବନରେ, ବୈତରଣୀ ନଦୀ ଆରପାଖ ଝଙ୍କା ଝାଡ଼ ଖଣ୍ଡିକରେ ସଭା ହେବ । ପ୍ରଧାନ ପୁରୋଧା ହେବେ ଦ୍ଵିବେଦୀ !

 

ଦ୍ଵିବେଦୀ ! ଠିକ୍ ବେଳେ ଖବର ଦେଇଛ ତମେ । ଅଣ୍ଟାରୁ ଖଣ୍ଡେଲେଖା ରାଜାଙ୍କ ହସ୍ତକୁ ବଢ଼ାଇ ଦେଇ କହିଲେ “ଦ୍ଵିବେଦୀ କର୍ମୀମାନଙ୍କୁ ନିଜ ହାତରେ ଲେଖି ପଠାଇଛନ୍ତି ମଣିମା ।

 

ରାଜା ଆଗ୍ରହ ସହିତ ଲେଖାଟି ଉଠାଇନେଇ କହିଲେ, ସମୟ….ସବୁ ତ ସେଥିରେ ଲେଖାଅଛି ମଣିମା ! ସଞ୍ଜ ଛ’ଟା ବେଳକୁ ।

 

ତମେ ତ ଉପସ୍ଥିତ- ।

 

ନ ରହିଲେ କିମିତି ହେବ ମଣିମା ! ବର୍ତ୍ତମାନ ମୋତେ ଭୁବନ ଯିବାକୁ ହେବ ।

 

ଭୁବନ ! ଏତେ ରାତିରେ……..

 

ଆଉ ଉପାୟ ନାହିଁ-ନ ଗଲେ ମୋର ବଂଶର ସର୍ବନାଶ କରିବେ ସେମାନେ – ମୁଁ ଖବର ଦେଇଛି, ଠିକ୍ ଅନୁମାନ କରି ଛୁଆପିଲା ସମସ୍ତଙ୍କୁ-

 

ହତ୍ୟା କରିବେ କହୁଛ ?

 

ହତ୍ୟା ଠିକ୍ ନୁହେଁ, । ଦ୍ଵିବେଦୀ ନେତୃତ୍ଵ ଦେଇଥିବା ପର୍ଯ୍ୟନ୍ତ ମୁଁ ନିଶ୍ଚିନ୍ତ ଅଛି-ସେପରି ଅପ୍ରିୟ-ଅହିଂସାତ୍ମକ…..

 

“ତେବେ…..

 

ଭୟ ହେଉଛି ସେ ଗିରଫ ହୋଇଗଲେ-ଜନତା ନୀତି ଅନୀତି କିଛି ବୁଝିବ ନାହିଁ ?

 

ତେବେ ତୁମେ କଣ ଚାହଁ-ପୁରସ୍କାର-ନିଅ ୫୦୦ଟଙ୍କା-କାଲି ପ୍ରଚୁର ପୁରସ୍କାର ନିଶ୍ଚୟ ମିଳିବ ।

 

ଶହେ ଟଙ୍କିଆ ନୋଟ ପାଞ୍ଚଖଣ୍ଡ ରାଜା ଆଗରୁ ପୁରସ୍କାର ଦେବାପାଇଁ ପ୍ରସ୍ତୁତ ହୋଇ ଯାଇଥିଲେ ।

 

କୃତଜ୍ଞତାରେ ମୁଣ୍ଡ ନୂଆଇ ମିନକେତନ ରାଜାଙ୍କଠାରୁ ବିଦାୟ ନେଇଗଲେ ।

 

ରାଜା ମୁଗ୍‌ଧ ଆଖିରେ ମିନକେତନର ଯିବା ବାଟକୁ ଚାହିଁ ରହିଥାନ୍ତି ।

 

ସେ ପ୍ରମୋଦ ଉଦ୍ୟାନର ପଛପଟ ସର୍ପିଲ ରାସ୍ତାରେ ଧାବମାନ ହେଲେ ।

 

ଆରେ ! ଭୟଙ୍କର ଜଙ୍ଗଲ ତେଣେ ! ମିନକେତନ ! ମିନକେତନ ! ରାଜା ଉଚ୍ଚ ସ୍ଵରରେ ଚିତ୍କାର କରିଉଠିଲେ ।

 

X X X X X

 

ଭୁବନ ।

 

ପୁରାଣ ପ୍ରସିଦ୍ଧ ଭୁବନ । ଇତିହାସ ସ୍ମରଣୀୟ ଭୁବନ । ବାଜିରାଉତ ଜନ୍ମଭୂମୀ ଭୁବନ । ଆଜି ପୁଲିସ ଫୌଜର ଲୋକାରଣ୍ୟ ହୋଇଉଠିଛି ।

 

ଜନତା ବି ସ୍ଥିରକରିଛି ନିଜର ଶେଷ ରକ୍ତବିନ୍ଦୁ ଦେଇ ଢେଙ୍କାନାଳ ରାଜାଙ୍କୁ ସନ୍ଧି କରିବା ପାଇଁ, ବ୍ରିଟିଶ ଶାସନ ଓ ସରକାରଙ୍କଠାରୁ ସମସ୍ତ ସମ୍ପର୍କ ତୁଟାଇ ଦେବା ସକାଶେ ଚରମପତ୍ର ପ୍ରସ୍ତୁତ କରି, ରାଜାଙ୍କ ନିକଟକୁ ଦୂତ ପଠାଇବେ ।

 

ପ୍ରଶ୍ନ ଅଛି ରାଜା ଯେବେ ସନ୍ଧିପତ୍ରକୁ ଅବମାନନା କରନ୍ତି ?

 

ପ୍ରଜାମଣ୍ଡଳ ତାଙ୍କର ଅନ୍ୟ କାର୍ଯ୍ୟ ପନ୍ଥା ଠିକ୍ କରିବେ । ସଭାରେ ନେତୃତ୍ଵ ନେବ କିଏ-? ସମସ୍ତଙ୍କର ସେହି ପ୍ରଶ୍ନ ! ରାଜା କିନ୍ତୁ ନିଶ୍ଚିତ । ଦ୍ଵିବେଦୀ ! ସେ ନିଶ୍ଚୟ ଆଜି ଧରାହେବେ-। ସମସ୍ତ ପୁଲିସ ବଳ । ରାଜଶକ୍ତିର ସବୁକିଛି ପ୍ରୟୋଗ କରି ଦ୍ଵିବେଦୀଙ୍କୁ ଧରି ଆଣିବାକୁ ନିର୍ଦ୍ଦେଶ ଦିଆହୋଇଛି ।

 

ସନ୍ଧ୍ୟା ହୋଇଯାଇଛି । ରାଜା ଅସ୍ଥିର କେତେବେଳେ ଭୁବନରୁ ଖବର ଆସିବ !

 

ସେହି ପ୍ରମୋଦ ଉଦ୍ୟାନ । ସେହି କେବଳ ଗୋଟିଏ ଚିନ୍ତା । ଦରବାନ ପ୍ରବେଶ କରି କହିଲା, “ଭୁବନରୁ ସମ୍ବାଦ ଆସିଛି ମଣିମା !

 

ଭୁବନରୁ ସମ୍ବାଦ ଆସିଛି-କାହିଁ ! କିଏ ? କହୁ କହୁ ରାଜା ଦ୍ରୁତ ବେଗରେ ପ୍ରସ୍ଥାନ କଲେ ।

 

ଦରବାନ୍ ଅନୁଧାବନ କଲେ ।

 

ଖବରଦାତା ଏ ଚିଠିଟି ଦେଇ ଚାଲିଯାଇଛି ମଣିମା !

 

ରାଜା ଗର୍ଜିଉଠିଲେ “ଏତେ ସାହସ ! ଏତେ ଅବମାନନା ! ମୋତେ ଦେଖା ନ କରି କିଏ ସେ ଦୁରାଚାର ? ଚାଲିଗଲା-

 

“କହିଯାଇଛି ସେ ସମୟ ହେଲେ ବର୍ତ୍ତମାନ, ଆସି ମଣିମାଙ୍କୁ ଦେଖାକରିବ-

 

ରାଜା ରାଗରେ ଥରି ଥରି ମନ୍ତ୍ରଣା ଗୃହରେ ପ୍ରବେଶ କଲେ ।

 

ଆଲୋକର ମହୋତ୍ସବ !

 

ଗୋଟାଏ ଆଶାତୀତ ଲୋଭରେ ପାଗଳ ସେ । ଦ୍ଵିବେଦୀ ଧରା ହୋଇଥିବେ ନିଶ୍ଚୟ.ସେହି ଖବର ସେ ଚାହାନ୍ତି- ।

 

ଲଫାପାଟି ଖୋଲି ଦେଇ ଅମୂଲ୍ୟ ଖବର ଆଶାରେ, ତାଙ୍କ ଆଖି ଚିଠିଟି ଉପରେ ବୁଲିଗଲା । କିଏ ଦେଇଛି ତେବେ ? କ’ଣ ଖବର ଅଛି ?”

 

ମଣିମା,

 

ଭକ୍ତିଭରେ ଶତକୋଟି ପ୍ରଣାମ ଜଣାଇଲି । କାଲି ସନ୍ଧ୍ୟାରେ ଆପଣଙ୍କୁ ଯେଉଁ ଖବର ଦେଇଥିଲି, ତା ପୂରଣ ହୋଇପାରୁନି ଦେଖି ଦୁଃଖିତ । କାରଣ ଭୁବନରେ ସଭାକରି ଆପଣଙ୍କ ନିକଟକୁ ସନ୍ଧିପତ୍ର ପଠାଇବା, ଆପଣଙ୍କ ସୈନ୍ୟ ସାଜସଜା ଦେଖି ପ୍ରମାଦ ଗଣିଲି । ଅଯଥା ରକ୍ତପାତ ନ କରି, କୌଶଳକ୍ରମେ ସନ୍ଧିପତ୍ରଟି ଏଥି ସଙ୍ଗେ ଦେଇଯାଇଛୁ । ପଢ଼ିବେ-ଆପଣଙ୍କ ହୃଦୟକୁ ଜନ ଆନ୍ଦୋଳନ-ଦେଶ ମାତୃକାର ସ୍ଵାଧୀନତା ବାଣୀ ସ୍ପର୍ଶ କରିଛି କି ନା ? ଆମ କାମ କରିସାରିଛୁ । ବର୍ତ୍ତମାନ ଆପଣଙ୍କ କାମ ରହିଲା ।

 

ଦ୍ଵିବେଦୀଙ୍କୁ ଧରାଇଦେଲେ ଯେଉଁ ପୁରସ୍କାର ଦେବେବୋଲି ପ୍ରତିଶ୍ରୁତି ଦେଇଥିଲେ ସେ ବାବତ୍‌ରୁ ଆପଣ ସ୍ଵ ହସ୍ତରେ ଦ୍ଵିବେଦୀଙ୍କୁ କାଲି ସନ୍ଧ୍ୟାରେ ୫୦୦ଟଙ୍କା ଦେଇଛନ୍ତି । ଏ ଦାନ ଜାତିର ଇତିହାସରେ ଅମର ହୋଇ ରହିବ । ଦ୍ଵିବେଦୀ ନିଜେଯାଇ ଆପଣଙ୍କୁ ଦେଖାକରିଛନ୍ତି – ତେଣୁ ପୁରସ୍କାର ପରିମାଣଟା ବଢ଼ାଇ ଆପଣଙ୍କ ଦେୟଟି ଯେକୌଣସି ଢେଙ୍କାନାଳ କର୍ମୀଙ୍କୁ ଦେଇଦେଲେ ଜାତୀୟ ଆନ୍ଦୋଳନ କାମରେ ଲାଗିବ ।

 

ଜୟ ହିନ୍ଦ୍

 

ରାଜାଙ୍କ ଦେହ ଥରିବାକୁ ଲାଗିଲା । ସତେଅବା ଭୂମିକମ୍ପରେ ଦୁନିଆଟା ରସାତଳଗାମୀ ହୋଇଛି ।

 

ଦ୍ଵିବେଦୀ ! ନିଜେ ଆସି ମୋତେ ପ୍ରତାରିତ କରି ୫୦୦ଟଙ୍କା ପୁରସ୍କାର ମୋ ହାତରୁ….ଓଃ, କି ସାହସ, ସନ୍ଧି ଚୁକ୍ତି ଦେଇ ପଠାଇଛି ଦସ୍ତଖତ କରିବାକୁ…. । ମୁଁ କିଛି ଚାହେଁନା – ତାକୁହିଁ ଚାହେଁ – ଓଃ – ପରାଜୟ……. ।

***

 

ସାତ

 

ଢେଙ୍କାନାଳ ସଙ୍ଗେ ପାଦ ପକାଇ ତାଳଚେର ଜାଗିଉଠିଛି । ଚାରିଆଡ଼େ ବିପ୍ଳବର ଅଗ୍ନିଶିଖା ଦାଉ ଦାଉ ହୋଇ ଜଳିଉଠିଛି ।

 

ଆଠହଜାର ଜନତା ଦୁଇଦିନ ହେଲା ତାଳଚେର ସହରକୁ ଘେରାଉ କରିଛନ୍ତି ।

 

ଜନତା ଚାହେଁ ରାଜ ସରକାର, ତାଙ୍କ ପ୍ରିୟ ନେତାଙ୍କୁ ଫେରାଇଦେଉ, ନଚେତ୍‌ ଆମରଣ ପଣ କରିଛି ଜନତା ପାଉଣ୍ଡେ ବି ଘୁଞ୍ଚିବ ନାହିଁ ।

 

ଯେଉଁ ଯେଉଁ ଗାଁରୁ ଲୋକ ଆସିଥିଲେ ସେମାନଙ୍କ ଉପରେ ସମୂହ ଜରିମାନା ଜବରଦସ୍ତି ଆଦାୟ କରାହୋଇଛି । ମା’ଭଉଣଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାହୋଇଛି । ଘରପୋଡ଼ି ଦେବା, ଧନ ଦୌଲତ ଲୁଟ୍‌ କରି ଆଣିବା, ଦୈନ ଦୈନିକ କାମ ହୋଇଉଠିଛି ରାଜ ସରକାରର ।

 

ଲୁହ ଲହୁରେ ଅସଂଖ୍ୟ ସହିଦ୍ ଜୀବନ ଦେଲେଣି । ତଥାପି ସେମାନଙ୍କର ଗୋଟିଏ ଦାବି । ସେମାନେ ଚାଁହାନ୍ତି ତାଙ୍କର ନେତାଙ୍କୁ ଉଦ୍ଧାର କରିବାକୁ ।

 

ଅମାନିଆ ଜନତା ବହୁ ଦୁଃଖ କ୍ଳେଶ ଅତ୍ୟାଚାର ସହିଲେଣି । ତଥାପି ଭ୍ରୂକ୍ଷେପ ନାହିଁ ।

 

ତାଳଚେର ଆକାଶରେ ଉଡ଼ାଜାହାଜ ଉଠିଛି-ସତର୍କବାଣୀ ଶୁଣାଇ ହ୍ୟାଣ୍ଡବିଲ ସବୁ ରାଜ ସରକାର ଆକାଶ ପଥରୁ ଜନତା ଭିତରେ ଖସାଇ ପକାଇଛି ।

 

ଜନତା କିନ୍ତୁ ଅଟଳ । ଆମରଣ ପଣ । ସେମାନେ ଚାଁହାନ୍ତି ତାଳଚେର ନେତାଙ୍କ ମୁକ୍ତି । ସଂଗ୍ରାମକୁ ବଞ୍ଚାଇ ରଖିବାର ତାଙ୍କରି ନିର୍ଦ୍ଦେଶ ।

 

ବହୁତ ଚେଷ୍ଟା ପରେ ରାଜ ସରକାର ହିଂସ୍ର ହୋଇପଡ଼ିଛନ୍ତି । ଆକାଶ ପଥରୁ ଉଡ଼ାଜାହାଜରୁ ଅନବରତ ଗୁଳି ବୃଷ୍ଟି ହେଲା । କେତେକ ସହିଦ୍‌ ମଶା ମାଛିପରି ଝଡ଼ି ପଡ଼ିଛନ୍ତି ।

 

ନୂଆ ଅଭୟବାଣୀ ଶୁଣାଗଲା । ପଛକୁ ହଟିଯାଅ । ଆତତାୟୀ ସରକାରର ଗୁଳିମାଡ଼ରେ ମରି କିଛି ଲାଭ ନାହିଁ । ଜାତୀୟ ଜୀବନରେ ପ୍ରତ୍ୟେକ ମୁକ୍ତିକାମୀ ଫୌଜର ଜୀବନ ଅତି ମୂଲ୍ୟବାନ । ବଞ୍ଚି ରହିଲେହିଁ ସଂଗ୍ରାମ ବଞ୍ଚିବ ।

 

ବାପୁଜିର ନେତୃତ୍ଵ ଅଛି । ନିର୍ଦ୍ଦେଶ ମାନିଯାଅ । କୌଣସି ମୁକ୍ତି ସଂଗ୍ରାମ ନେତୃତ୍ଵ ପାଇଁ ଅଟକି ଯାଇନି…… ।

 

ଜନତା ପୃଷ୍ଠଭଙ୍ଗ ଦେଇଛି ।

 

ନୂଆ ନେତୃତ୍ଵ ମିଳିଛି । ସ୍ଵାଧୀନ ପଞ୍ଚାୟତ ରାଜ୍ୟ ତାଳଚେରରେ ପ୍ରତି ଗ୍ରାମେ ଗ୍ରାମେ ପ୍ରତିଷ୍ଠା କରାଯାଇଛି । ଡାକଘର, ଥାନା, ରାଜାଙ୍କ ଖମାର କେତେ ଜାଗାରେ ଜନତା ହାତ କରି ଗଲେଣି ।

 

ତାଳଚେରର କୋଲିଆରୀରେ କେତେଦିନ ହେଲା ବିପ୍ଳବର ହାଉଆରେ ସରଗରମ ହୋଇଉଠିଛି । ମସୁଧା ହେଉଛି ତାଳଚେରର ୧୦୦୦୦ ଶ୍ରମିକ ପରଦିନଠାରୁ ଧର୍ମଘଟ କରିବେ-

 

ଲଗାଲଗି ହୋଇ ୫୦୦ଶହ ଶ୍ରମିକଙ୍କ ବାସଗୃହ । ଅନ୍ଧକାର ଅପରିଷ୍କାର ଶ୍ରମିକ କଲୋନୀ । ରାକ୍ଷସୀ ଚିମିନିର ଧୂଆଁରେ ଯେପରି ବାୟୁମଣ୍ଡଳ ବିଷାକ୍ତମୟ ହୋଇଉଠିଛି । ନିଶ୍ଵାସ ପ୍ରଶ୍ଵାସରେ ଯେପରି କେବଳ ହତାଶର ଭୂତ ମାଡ଼ି ବସିଛି ।

 

ରାତି ୫ଟା । ଭୋର ହୋଇଯିବ ।

 

୧୦୦୦୦ ହଜାର ଶ୍ରମିକ ସିଦ୍ଧାନ୍ତ କରିଛନ୍ତି କାମ ବନ୍ଦ କରିଦେବେ । ଯୁଦ୍ଧ ସମୟ । କୋଇଲାର ଚାହିଦା ସରକାରର ବେଶି ।

 

ମସୁଧା ଚାଲିଛି-ଶ୍ରମିକ-କଂଗ୍ରେସ କର୍ମୀ-ବିପ୍ଳବୀ ନେତା… ।

 

ଶଙ୍ଖ ଗୁରୁ ଗର୍ଜନ କରିଉଠିଲା । ଆଉ ରକ୍ଷା ନାହିଁ, ଓଡ଼ିଶାର ପୁଲିସ, ରାଜାଙ୍କ ଫୌଜ ଶ୍ରମିକ କଲୋନି ଚଢ଼ାଉ କରିଛନ୍ତି ।

 

ଉପାୟ ନାହିଁ । ୩୦ମିନିଟ ଭିତରେ ଦ୍ଵିବେଦୀ ଶ୍ରମିକ କଲୋନି ଭିତରେ ଧରା ହୋଇଯିବ ।

 

ରାତି ୫ଟାବେଳେ ସଭା । ନିଶ୍ଚିତ ଥିଲେ ସେ । କିନ୍ତୁ ସରକାର ଠିକ୍ ଖବର ପାଇଛି । ଦୁଇପଟୁ ଗୋଟି ଗୋଟି ଘର ପୁଲିସ ରେନର ସାହେବଙ୍କ ସଙ୍ଗେ ତନଖି କରିଆସୁଛି ।

 

ଦୁଇ ଧାଡ଼ିରେ ଶ୍ରମିକ ଅନୁଷ୍ଠାନର ବାସଘର ଲଗାଲଗି ହୋଇ ବ୍ୟାରକ୍ ଧରଣରେ ତିଆରି-

 

ଦୁଇ ମୁଣ୍ଡରୁ ପୁଲିସର ଚଢ଼ାଉ….. । ଆଉ ରକ୍ଷା ନାହିଁ ।

 

କାନ୍ଦି କାନ୍ଦି ବିଶୋଇ ମିସ୍ତ୍ରୀ କଉଡ଼ି ଖଇ ବିଞ୍ଚି ବିଞ୍ଚି ଯାଉଛି, ହାତରେ ଶିକା । ତା ଭିତରେ ପରଶୁଣିଆରେ ଭାତ ଗଣ୍ଡାଏ ।

 

ସ୍ତ୍ରୀକୁ ତାର ବର୍ଷେ ହେବ ରାଜଯକ୍ଷ୍ମା । ସମସ୍ତେ ଜାଣନ୍ତି । ଚାରିଜଣ ମଳିମୁଣ୍ଡିଆ ଶ୍ରମିକ ଶବ କାନ୍ଧେଇ ରାମନାମ ସତ୍ୟ ହେ, କରୁଣ ସ୍ଵରରେ ବେଳେ ବେଳେ ଚିତ୍କାର କରୁଥାନ୍ତି ।

 

ଗୁରୁଗମ୍ଭୀର ସ୍ଵରରେ ପୁଲିସ ହୁକୁମ ଦେଲା ପଟୁଆର ବନ୍ଦ କର ।

 

ଶବ ଅଟକି ରହିଲା ।

 

ରେନର ସାହେବ, କୋଇଲା ଖଣିର ବଡ଼ ସାହେବ, ସୁପରଭାଇଜର ବସ୍ତିର ଓଏଲଫେୟାର ଇନ୍‌ସପେକ୍ଟର ସବୁ ବାହକମାନଙ୍କୁ ତନଖି କଲେ ।

 

ସମସ୍ତେ ଚିହ୍ନା ଲୋକ । ଦ୍ଵିବେଦୀ ନାହିଁ ତାଙ୍କ ସଙ୍ଗରେ । ରେନରଙ୍କ ଟର୍ଚ୍ଚ ଶବ ଉପରେ ଦାଉ ଦାଉ ଜଳିଉଠିଲା ।

 

“ଶବ ଉପରୁ ଲୁଗା ଖୋଲ…..” ଆଦେଶ ଆସିଲା ।

 

“ଟିବି ରୋଗୀ ସାହେବ….” ଓୟେଲଫେୟାର ଇନ୍‌ସପେକ୍ଟର କହିଲେ “ଟି-ବି-ଗୋ ଅନ୍” ସାହେବ କହିଲେ । ରାମ ନାମ ସତ୍ୟ ହେ-ହରି ନାମ ସତ୍ୟ ହେ-ଧ୍ଵନିରେ ଶ୍ରମିକ ପଲ୍ଲୀଟିକୁ ଭୟଭୀତ କରାଇ, ଚାଲିଲେ ସେମାନେ ଶ୍ମଶାନ ଅଭିମୁଖରେ ।

 

ପ୍ରତ୍ୟେକ ସ୍ଥାନ ତନ୍ନ ତନ୍ନ କରି ପରୀକ୍ଷା କରାଗଲାଣି । କେତେକ ମୁଖିଆ ଶ୍ରମିକଙ୍କ ହାତରେ ପିନ୍‌କଣ୍ଟା ବାଡ଼େଇ ଦ୍ଵିବେଦୀଙ୍କୁ ଦେଖାଇ ଦେବାକୁ ଭୟଭୀତ କରାଗଲାଣି । କିଛି ଖବର ବି ମିଳୁନି ।

 

ରାତି ୫ଟାରୁ ଦିନ ୮ଟା ବାଜିଲାଣି । ପୁନଃ ପୁନଃ ୫୦୦ଶ୍ରମିକ ଗୃହର ପ୍ରତ୍ୟେକ ସମ୍ଭବ ଓ ଅସମ୍ଭବ ସ୍ଥାନ ମାନ ପୁଲିସ ପରୀକ୍ଷା କଲାଣି ।

 

କିନ୍ତୁ ସେମାନେ ସନ୍ତୁଷ୍ଟ ନୁହନ୍ତି ।

 

ଦ୍ଵିବେଦୀ ନିଶ୍ଚୟ ଶ୍ରମିକ କଲୋନୀରେ ଆତ୍ମଗୋପନ କରିଛି । ତାଙ୍କୁ ଧରି ଆଜି ଧରାପୃଷ୍ଠରୁ ନିଃଶେଷ କରିଦେବାକୁ ହେବ ।

 

ରେନର ସାହେବଙ୍କ ପଣ ।

 

ଓଏଲଫେୟାର ଇନ୍‌ସପେକ୍ଟର ଦୌଡ଼ିଆସି ରେନରସାହେବଙ୍କୁ ଖବର ଦେଲା, ଟିବି ପେସେଣ୍ଟ-ବଞ୍ଚିଛି ସାହେବ.....!

 

ଟି ବି ପେସେଣ୍ଟ ବଞ୍ଚିଛି ? ସେ ଶବ ତେବେ କାହାର ?

 

ଶ୍ରମିକ ବସ୍ତିର ସ୍ତ୍ରୀ ଲୋକଙ୍କ ଉପରେ ପୁଲିସର ଚାବୁକ ନାଚିଉଠିଛି ।

 

“ବନ୍ଦ କର ଏ ଅତ୍ୟାଚାର” ରାମ ମିସ୍ତ୍ରୀ ଆସି ଜବାବ ଦେଲା, ତମେ ଚାହଁ ଦ୍ଵିବେଦୀଙ୍କ ସନ୍ଧାନ ? ଏଇତ ? ମୃତ ଟି ବି ପେସେଣ୍ଟ ବେଶରେ ବିପ୍ଳବୀ ବିପ୍ଳବର ସନ୍ଧାନ ଦେଇ ତାଳଚେର ଛାଡ଼ିଛନ୍ତି ।

 

ସମସ୍ତେ ନିସ୍ତବ୍‌ଧ……..ଦୁନିଆଟା ତାଙ୍କ ଆଖିରେ ଜଡ଼-ସ୍ପନ୍ଦନହୀନ…..ନିର୍ଜୀବ ହୋଇଉଠିଛି ।

***

 

ଆଠ

 

ଚାରିଆଡ଼େ ଆତତାୟୀ ସରକାରର ଦମନ ଲୀଳା ନୃତ୍ୟକରି ଉଠିଲା । ଢେଙ୍କାନାଳର ବିପ୍ଳବୀ ନେତା, ତାଳଚେରର ମୁକ୍ତି ପଥର ସୈନିକ ଆତ୍ମଗୋପନ କରି ରହିଲେ । ସହିଦ୍ ନିଧି ମାହାଲିକ୍, ଚିନ୍ତା ଦାସ, ଶ୍ୟାମ ମଳିକ, କୃଷ୍ଣ ମାହାଲିକ୍‌, ଗୋପିନାଥ ଜେନା, ଶଙ୍କର ବେହେରା, ଅଗଣି ସାଉ, ପୁଲିସ ଗୁଳି ଆଗରେ ଛାତି ପତାଇ ଧାମନଗର ଥାନାରେ ଢଳି ପଡ଼ିଲେ ।

 

ଏଣେ ଇରମରେ ପୁଲିସର ଗୁଳିକାଣ୍ଡ ଫଳରେ ୨୮ଜଣ ଲୋକ ସଙ୍ଗେ ସଙ୍ଗେ ମରିଗଲେ ।

 

ଖଇରା ଥାନାରେ ରଙ୍ଗ ବେହେରା, ମକର ଲେଙ୍କା, କେଳୁ ସାହୁ ଓ ସାବନ ଜେନା ଜୀବନର ଲହୁ ଲୁହ ଢାଳିଦେଇ ସ୍ଵାଧୀନତା ବେଦିକାରେ ମୁକ୍ତିର ସଙ୍ଗୀତ ଜାତୀୟ ଜୀବନର ଝଙ୍କାର ଆଣିଲେ ।

 

କୋରାପୁଟରେ ବୀର ଲକ୍ଷ୍ମଣ ନାୟକଙ୍କୁ ବନ୍ଦୀକରି ୬ଜଣ ଲୋକଙ୍କୁ ଜୀଅନ୍ତା ମାରିପକାଇ, ପୁଲିସ ଅତ୍ୟାଚାରର ଚୂଡାନ୍ତ ସୀମାକୁ ପହଞ୍ଚିଲା ।

 

ତାବୁଗାଁ ଆଡ଼କୁ ଶ୍ରୀ ମାଧବ ପ୍ରଧାନଙ୍କ ନେତୃତ୍ଵରେ ଯାଉଥିବା ଜନତା ଉପରେ ଆକ୍ରମଣ କରି ୧୯ଜଣଙ୍କୁ ମାରି ପକାଇ, ପୁଲିସ ବିଜୟ ଉଲ୍ଲାସରେ ଆତ୍ମହରା ହୋଇ ଉଠିଲେଣି-

 

ସେଠାକାର ପୁଲିସ ସାହେବ ନିର୍ମମ ଭାବରେ କଂଗ୍ରେସ କର୍ମୀମାନଙ୍କୁ ଅମାନୁଷିକ ଅତ୍ୟାଚାର କରି “ଅଗଷ୍ଟ ଆନ୍ଦୋଳନ”କୁ ଦବାଇ ଦେବାକୁ ଦୃଢ଼ ସଙ୍କଳ୍ପ କରି ବସିଲେଣି ।

 

ପୁରୀ ଜିଲ୍ଲାର ନିମାପଡ଼ା ଥାନା ନିକଟରେ ସ୍ଵାଧୀନତା ପାଗଳାମୀ ଜନତା ଉପରେ ଗୁଳିକରିବା ଫଳରେ ନିଧି ମଳିକ ହସି ହସି ମାଟିରେ ଢଳି ପଡ଼ିଲାଣି ଓ ଅସଂଖ୍ୟ ଲୋକେ ଆହତ ହୋଇ ନିଜ ରକ୍ତଚିତା ବସୁମାତାକୁ ପିନ୍ଧାଇ ବ୍ୟାକୁଳ ଭାବରେ ଆଗାମୀ କାଲିର ଅପେକ୍ଷାରେ ରହିଲାଣି ।

 

ଚାରିଆଡ଼େ ସମୂହ ଜରିମାନା । ନାରୀ ଧର୍ଷଣ-ଅତ୍ୟାଚାର । ଗୁଳି କାଣ୍ଡରେ ବସୁମାତା ଭୀତତ୍ରସ୍ତ ହୋଇ ଉଠିଲେଣି । ଧର୍ମଦେବତା ବ୍ରିଟିଶ ସାମ୍ରାଜ୍ୟ ଛାଡ଼ି ଚାଲିଗଲେଣି କି ?

 

ନିରୀହ ଜନତା କଣ ମାଛି ପୋକ ପରି ମରିବେ ? ନିଜ କଂସା ବାସନ ବିକି ସମୂହ ଜରିମାନା ଦେବେ ?

 

ବର୍ଷା ନାହିଁ । ଫସଲ ସବୁ ଜଳି ପୋଡ଼ି ଗଲାଣି ।

 

କିନ୍ତୁ ଯୁଦ୍ଧ ଚାନ୍ଦ ଦେବାକୁ ହେବ ।

 

ଚୌକିଦାରୀ ଟିକସରୁ ୩ଗୁଣରୁ ୫ଗୁଣ ପର୍ଯ୍ୟନ୍ତ ଚାନ୍ଦା ଦେବାକୁ ହେବ । କ’ଣ ଅଛି, କ’ଣ ଦେବେ ?

 

ଝିଅ ବୋହୂଙ୍କର ଇଜତ୍ ଗଲାଣି । ଘରୁ ବାସନ-କୁସନ ଗଲାଣି । ଗାଁ ଗାଁରେ ଯେଉଁମାନେ ବିଲ ବାଡ଼ି କାମ କରିଥାନ୍ତେ, ସେମାନେ ଜେଲ କିମ୍ବା ଯୁଦ୍ଧକୁ ଗଲେଣି ।

 

ଚାରିଆଡ଼େ ହାହାକାର । ଜାତି ସ୍ଵାଧୀନତା ପାଇବ ବୋଲି ମରିଯାଇଛି ।

 

ମଲେ କଣ ଲୋକ କେବଳ ଏ ଭାରତ ଭୂଇଁରେ ସ୍ଵାଧୀନତା ପାଏ ।

 

ଏ କିମିତି କଥା । ମରିବ ତ ଆଉ ସ୍ଵାଧୀନତା ପାଇବ କିମିତି ?

 

ଧାମନଗରରେ ଗୁଳି ମୁହଁରେ ମଲାବେଳେ ନିଧି ମାହାଲିକ ଯର୍ଥାଥ କହିଯାଇଛି, “ଭାଇମାନେ ! ମୋ ପାଇଁ ବ୍ୟସ୍ତ ହୁଅନା । ସ୍ଵାଧୀନ ଭାରତରେ ମୁଁ ପୁଣି ଜନ୍ମ ହେବି ।”

 

ଏ ଜନ୍ମରେ ତ ସ୍ଵାଧୀନ ହେଲା ନାହିଁ । ପରଜନ୍ମରେ ହେବ ବୋଲି ତ ଆଶି ଅଛି । ଲୋକେ ହସି ହସି ଜୀବନ ଦେଲେ ତ ଦେଶ ସ୍ଵାଧୀନ ହେବ ! ଜାତି ସ୍ଵାଧୀନ ହେବ ! ସ୍ଵାଧୀନତା ଦେଶ ପାଇଁ ଲୋଡ଼ା । ଜାତି ପାଇଁ ଲୋଡ଼ା ।

 

ବ୍ୟକ୍ତିଗତ ଜୀବନ ଜାତି, ଦେଶର ସ୍ଵାର୍ଥ ନିକଟରେ ଖୁବ୍‌ତୁଚ୍ଛ ।

 

ପୁଣି ବିରାଟ ।

 

ଏ ଆଦର୍ଶରେ ଲୋକେ ବୁଝିବେ କେତେକେ ?

 

ଉତ୍ତେଜନା କମିଗଲେ ।

 

ବାସ୍ତବିକ୍‌ ଉତ୍ତେଜନା କମିଯାଇଛି । ବିପ୍ଳବ ଶୀତଳ ହୋଇଉଠିଛି ।

 

ବିପ୍ଳବୀ ଦ୍ଵିବେଦୀ…… ?

 

ମଉନହୋଇ କେତେଜଣ ବନ୍ଧୁ ପରିବେଷ୍ଟିତ ହୋଇ ଭାବୁଛନ୍ତି ଉପାୟ ? ବିପ୍ଳବୀ ଭାବୁଛି ଉପାୟ…..ହତାଶ ହୋଇ ଖୋଜୁଛି ଉପାୟ…… ।

 

କମ୍ୟୁନିଷ୍ଟମାନଙ୍କୁ ଗ୍ରହଣ କରାଯାଉ ।

 

କେଉଁ ବିଶ୍ଵାସରେ…..ଉତ୍ତର ଆସିଲା ।

 

ସେମାନେ ଭାରତର ।

 

ଭାରତର ସ୍ଵାଧୀନତା ଅପେକ୍ଷା ସେମାନେ ଚାହାନ୍ତି ରୁଷିଆର ବିଳୟ-ଲେଲିନ୍‌ଗ୍ରେଡ଼ର ଉଦ୍ଧାର…. ।

 

ବ୍ୟକ୍ତିଗତ ଭାବରେ କେତେକ ଯେବେ ଚାହାନ୍ତି ଅଗଷ୍ଟ ବିପ୍ଳବରେ ଯୋଗ ଦେବାକୁ । ଆପଣଙ୍କର ଆପତ୍ତି ?

 

ଆପତ୍ତି ନାହିଁ ମୋର, କିମ୍ବା ନଥିଲା, କିନ୍ତୁ ବିଶ୍ଵାସ ହେଉନି ।

 

କାଫଲାବଜାର ଫାଣ୍ଡି । ବାଁ ପାଖ ମୋଡ଼ ଉପରୁ ଗୋଟିଏ ଛୋଟ ଖୁବ୍‌ ସଂକୀର୍ଣ୍ଣ ଗଳିଟିଏ ଧାବମାନ । ମ୍ୟୁନିସିପାଲିଟି ରାସ୍ତା ନୁହେଁ, ମାମୁଲି ଗଳି । ରାସ୍ତା କଡ଼ରେ ଦୁଇ ତିନିଟି ମୁସଲମାନ ଘର ।

 

ଘରଗୁଡ଼ିକ ନାଗଐରି ବଣରେ ପରିବେଷ୍ଟିତ । ସତେଅବା ନାଗଐରି ଓ ଘରଗୁଡ଼ିକ ଭିତରେ ସଂଗ୍ରାମ ଚାଲିଛି ।

 

ନାଗଐରି ପ୍ରଚଣ୍ଡ ଆକ୍ରମଣରେ ଘରଗୁଡ଼ିକ ଭାଜି ପଡ଼ିବ ।

 

ଖୁବ୍ ରାତି ହୋଇଯାଇଛି ।

 

ଦ୍ଵିବେଦୀ ଖଜୁରିଆ ଚାଞ୍ଚ ଉପରେ ଢୁଳେଇ ପଡ଼ିଛନ୍ତି । ସ୍ଵପ୍ନ ଦେଖୁଛନ୍ତି-କେତେଜଣ କମ୍ୟୁନିଷ୍ଟ ବନ୍ଧୁଙ୍କ ସହିତ ପୁଲିସ-ତାଙ୍କୁ ଆକ୍ରମଣ କରିଛି । ହାତରେ କଡ଼ି.....ରାଜପଥରେ ତାଙ୍କୁ ଟାଣିଆଣି ନେବା ବେଳକୁ ତାଙ୍କ ଝିଅ ସ୍ତ୍ରୀ ଚିତ୍କାର କରି ଉଠୁଛନ୍ତି ।

 

ହଠାତ୍ ନିଦ ଭାଙ୍ଗିଗଲା ।

 

ସତେ ତ କେତେଦିନ ହେଲା ଝିଅଟିକୁ ଦେଖି ନାହାନ୍ତି । ଏକବାରେ ଭୁଲିଗଲେଣି ଯେ ତାଙ୍କର ଝିଅ ଓ ସ୍ତ୍ରୀ ଅଛନ୍ତି । ତାଙ୍କର ଦାୟିତ୍ଵ ?

 

ବାରଙ୍ଗରୁ ପଳାଇଆସି ଚିନାବାଦାମ ବିକିଲା ଦିନ ଝିଅଟିକୁ ଦେଖି ଆସିଥିଲେ । ଆଉ ତା ପରେ ଦେଖା ନାହିଁ । ମନ ଚଞ୍ଚଳ ହୋଇଉଠିଲା । ସ୍ମୃତି ଝଲସିଉଠିଲା । ଥରେ ଯାଇଁ ଦେଖିଆସିବା ଉଚିତ ।

 

ରାତି ଅନେକ ହୋଇଗଲାଣି । ମନକୁ ପାଞ୍ଚିଲେ ଯିବେ ?

 

ସ୍ତ୍ରୀଙ୍କର ରୁଗ୍‌ଣ ପାଣ୍ଡୁର ମୁହଁଟି ଆଖିଆଗରେ ଭାସି ଚାଲିଲା….ପବନରେ କରୁଣ କଣ୍ଠର ଗୋଟାଏ ମୂର୍ତ୍ତିମନ୍ତ ସ୍ଵର ଯେପରି ସ୍ପଷ୍ଟ ହୋଇଉଠିଲା,“ହେ, ମୋ ଦେହ ଏମିତି ! ମୁଁ ତ ବଞ୍ଚି ପାରିବିନି ? ଆଶାଥିଲା ଥରେ ଦେଖା ହୋଇଥାନ୍ତା ! ମିନି ତମର ମନେ ପଡ଼େନି ? ମୁଁ ଯେବେ ମରିଯିବି, ତାକୁ କିଏ…..

 

ଇସ୍ କି ଦୁଶ୍ଚିନ୍ତା । ବିପ୍ଳବୀର ପାଷାଣ ଦୃଦୟ ବି ଚହଲିଉଠିଲା…. ।

 

ଏତିକିବେଳେ କବାଟରେ କିଏ ଟିପା ମାରିଲା

 

ନିଶ୍ଚଳ ହୋଇ ସଙ୍କେତର ପ୍ରତି ସଙ୍କେତ ଦେଲେ ।

 

ଉତ୍ତର ଆସିଲା-ମୁଁ ବିବେକାନନ୍ଦ ।

 

“ବିବେକାନନ୍ଦ ତମେ ! ଏତେ ରାତ୍ରିରେ ।” କବାଟ ଫିଟାଇ ଦେଲେ । ବିବେକାନନ୍ଦ ସଙ୍ଗରେ ଜଣେ କମ୍ୟୁନିଷ୍ଟ ଯୁବକ ରସାନନ୍ଦ ବି ଆସିଛନ୍ତି । ଦ୍ଵିବେଦୀ ରସାନନ୍ଦଙ୍କ ମୁଖମଣ୍ଡଳକୁ ବାର ବାର ଯେପରି କଣ ପରୀକ୍ଷା କରୁଛନ୍ତି ବୋଲି ଜଣାଗଲା । ରସାନନ୍ଦ ଟିକିଏ ଅଡ଼ୁଆ ଅଡ଼ୁଆ ବୋଧ କଲେ ।

 

“ମୁଁ ମୋର ଭୁଲ ବୁଝିପାରିଛି ବିପ୍ଳବୀ ! ଭାରତ ସ୍ଵାଧୀନତା ମୋର ଆଦର୍ଶ – ବାଟ ଭୁଲ୍‌ ବୁଝିଥିଲି – ଆଜି ଠିକ୍‌ ବୁଝିଛି – ମୁଁ ତ ଭାରତୀୟ ! ତମରି ରକ୍ତ ତ ମୋ ଶିରା ପ୍ରଶିରାରେ ବହୁଛି । ମୋତେ ଅବିଶ୍ଵାସ କରୁଛ…. ?”

 

“ଏତେବଡ଼ ପୃଥିବୀରେ କାହାକୁ ବିଶ୍ଵାସ କରିବି-କାହାକୁ ଅବିଶ୍ଵାସ କରିବି, ମୁ ବି ଠିକ୍ କରିପାରୁନି – ଏଇ ଆମରି ଲୋକେତ ପୁଣି ଆମ ଉପରେ ଗୁଳି ଚଳାଉଛନ୍ତି-ସବୁକିଛି ଅତ୍ୟାଚାର ତ ସେମାନେ କରୁଛନ୍ତି । ତମକୁ ବିଶ୍ଵାସ କଲେ ହୁଏତ କାଲି ତାଙ୍କୁ ବିଶ୍ଵାସ କରିବାକୁ ହେବ । ହୁଏତ ଦେଶ ସମସ୍ତଙ୍କର । ସମସ୍ତଙ୍କର କର୍ତ୍ତବ୍ୟ ଅଛି । ସ୍ଵାଧୀନତା ସଂଗ୍ରାମରେ ଯେ ଯାହାର କର୍ତ୍ତବ୍ୟ କରିଯିବେ……କେହି କାହାକୁ ନିଷେଧ କରିପାରେନା, ତଥାପି ପଛରୁ ଯଦି ଛୁରା ମରାଯାଏ….. ।”

 

“ବିବେକାନନ୍ଦ ! ତମେ କଣ କହୁଛ ?” ଦ୍ଵିବେଦୀ ପଚାରିଲେ ।

 

ମୋର କିନ୍ତୁ ରସାନନ୍ଦ ଉପରେ ଅଟଳ ବିଶ୍ଵାସ ଆସିଛି । ସେ ଶିକ୍ଷିତ-ଉଚ୍ଚ ଶିକ୍ଷିତ । ସ୍ଵାଧୀନଚେତା ଯୁବକ । ଦେଶର ଘଡ଼ିସନ୍ଧି ବେଳେ ସେ ଯେ ତାଙ୍କ ପାର୍ଟିର ଭୁଲ୍‌ ବୁଝି ନିଜ ଜୀବନ ଅଗଷ୍ଟ ବିପ୍ଳବରେ ଢାଳିଦେବା ପାଇଁ ପାଗଳ ହୋଇଉଠିଛନ୍ତି । ଏଥିରେ କିଛି ବିଚିତ୍ରତା ନାହିଁ । ତାଙ୍କୁ ଗ୍ରହଣ କରନ୍ତୁ ଆପଣ । ସଂଗଠନ ଯେ ଦୁର୍ବଳ ହୋଇଉଠିଛି । ଆପଣ ଅନୁଭବ କରନ୍ତୁ । ନୂଆ ରକ୍ତ ଲୋଡ଼ା, ଉତ୍ସାହୀ ଯୁବକମାନଙ୍କୁ ଆମର ବିଶେଷ ପ୍ରୟୋଜନୀୟ ।

 

ଭାବିଚିନ୍ତି ଠିକ୍ କରିବି ରସାନନ୍ଦବାବୁ ! ଆପଣ ଦୟାକରି କାଲି ଆସନ୍ତୁ ।

 

ରସାନନ୍ଦ ଓ ବିବେକାନନ୍ଦକୁ ଇଙ୍ଗିତ ଦେଲେ ଦ୍ଵିବେଦୀ ।

 

ଦୁହେଁ ଉଠି ଚାଲିଗଲେ ।

 

ପୁଣି ସେହି କରୁଣ ନିବେଦନ । ଛୁଆର ସେହି ମୋହନୀୟ ଆକର୍ଷଣ ।

 

ନା, ତାଙ୍କୁ ଯିବାକୁ ହେବ । ବାହାରିପଡ଼ିଲେ ଦ୍ଵିବେଦୀ….. ।

 

ନିର୍ଜନ ତମସା । ଜଗତର ସବୁକିଛି ଯେପରି ଅନ୍ଧକାର ଭିତରେ ଡୁବିଯାଇଛି ।

 

ବିପ୍ଳବୀ ଆଖିରେ ବିପ୍ଳବର ଆହ୍ଵାନ ଯେପରି ଉଭେଇଯାଇଛି । ଆଜି ଆଖିଆଗରେ ପାର୍ଥିବ ଦୃଶ୍ୟ । ଛାତିରେ ଛୁଆ, ମାଇପ ପାଇଁ କାରୁଣ୍ୟତାର ଛନ୍ଦ ।

 

“ହେ ରିକ୍‌ସାବାଲା ତେଲଙ୍ଗାବଜାର ଯିବୁ” ପ୍ରଶ୍ନହେଲା ।

 

“ନାହିଁ ବାବୁ ସବାରି ଅଛି” ଉତ୍ତର ଆସିଲା । ରିକ୍‌ସାଟି ଚାଲିଗଲା ।

 

ଭାରାକ୍ରାନ୍ତ ଦେହଟି ଯେପରି ଭାଜିପଡ଼ିବ ।

 

ପ୍ରଳୟରେ ଅବସାଦମୟ ଜୀବନଟି ମରି ଯାଉ ଯାଉ ଯେପରି ବଞ୍ଚିରହିଛି ।

 

ସେ ଆଉ ଆଗକୁ ଯାଇ ପାରିବେନି !

 

ରିକ୍‌ସା ଲୋଡ଼ା । ସେ ଆଜି ଭାରାକ୍ରାନ୍ତ….. ।

 

କଟକ ଟାଉନହଲ୍‌, ସେଇଠି ବସିପଡ଼ିଲେ । ଆଉ ଗୋଟିଏ ମୋଡ଼ ! ସାହସ ନାହିଁ ! ରାତି ବେଶି ନାହିଁ । ଶୀଘ୍ର ଦେଖି ଆସିବାକୁ ହେବ ।

 

ଭିତରୁ କିଏ କହିଲା କିପରି ଦେଖିବ ?

 

ମୁଣ୍ଡରେ ଗୋଟିଏ ଭାବନା କିପରି ଦେଖିବି ? କଡ଼ା ପୁଲିସ ପହରା । ଭାବୁ ଭାବୁ ଉଠିପଡ଼ିଲେ ସେ । ବିପ୍ଳବର ସର୍ବଗ୍ରାସୀ ପ୍ରତିଭା ତାଙ୍କ ମୁଖ ମଣ୍ଡଳରୁ ଅପସରି ଯାଇଛି । ସେ ଚିନ୍ତାମଗ୍ନ ।

 

ବିପ୍ଳବୀ ଭାଙ୍ଗିପଡ଼ିବ ? ଜାତି ପକ୍ଷରେ ମଙ୍ଗଳକର ଚିହ୍ନ ନୁହେଁ । ଆଗରେ ତାଙ୍କର ବସା । ଛୋଟ ଘର ଖଣ୍ଡିକ ସରକାର ବଜ୍ୟାପ୍ତି କରିନେଇଛି, ତଥାପି ତାଙ୍କ ସ୍ତ୍ରୀ ଓ ଝିଅ ସେଠାରେ ରୁହନ୍ତି । ତାଙ୍କୁ ତ ତଡ଼ିଦିଆ ହୋଇନି ?

 

ବସା ଆଗରେ ମ୍ୟୁନିସିପାଲିଟି ଆଲୁଅଟି ଲିଭି ଯାଉ ଯାଉ ରହିଯାଉଛି ।

 

ଠିକ୍ ଆଲୁଅ ଖୁଣ୍ଟଟି ଆଗରେ ବସା ଖଣ୍ଡିକ । “ଆରେ ଏତେ ଲୋକ ରୁଣ୍ଡ ହୋଇଛନ୍ତି କାହିଁକି ? ଓଃ ମୋରି ଉପସ୍ଥିତ ଜାଣି ପୁଲିସ ଆକ୍ରମଣ କରିବ କି ?

 

ଭଗବାନ ରକ୍ଷା କରିଛନ୍ତି ।

 

ଅଳ୍ପ ଦୂରରେ ଦ୍ଵିବେଦୀ ଅନୁସନ୍ଧାନରେ ରହିଲେ । ଅବିଶ୍ରାନ୍ତ ଭାବରେ ଝିଅ ମା, ମା, ବୋଲି କରୁଣ ଚିତ୍କାର । “ରାତ୍ରିରେ ଝିଅଟା ଉଠିଛି । ତା ମା କଣ କରୁଛି – କି ଯେ ନିଦ ! ମନେ ମନେ ସେ ବିରକ୍ତ ହେଲେ ।

 

ମାମୁ କାନ୍ଦୁଛନ୍ତି । ଏ କ’ଣ ? ତେବେ ମୋର ସ୍ଵପ୍ନ……ମନସ୍ତତ୍ଵବିତ୍ ଯାହା କହନ୍ତି-ମିନିର ମା’ ଆଉ ନାହିଁ – ମୁଣ୍ଡରେ ବଜ୍ର ପଡ଼ିଲା ।

 

ଦୁଇଜଣ ପୁଲିସ ସବ୍‌ଇନସ୍‌ପେକ୍ଟର ପ୍ରାୟ ବାହାରି ଆସୁ ଆସୁ କଥାହେଉଛନ୍ତି “ଛ ଘଣ୍ଟା ଜ୍ୱର ପରେ” ଜଣେ କହିଲା “ଆଗରୁ ଭୟଙ୍କର ଏନାମିଆଁ…. ।”

 

ପାଗଳ ପରି ଦ୍ଵିବେଦୀ କହିଲେ “ତେବେ ସେ ମରିଯାଇଛି-ହଁ, ନିଧି ମାହାଲିକ ମଲା-। ଚିନ୍ତା ଦାସ ମଲା ! କୃଷ୍ଣ ମାହାଲିକ ମଲା ! ସେ ମଲା ଭାସିଗଲା କ’ଣ ? ତା ବିନା କଣ ଜଗତ ଅଟକି ଯିବ-ଲୋକଗୁଡ଼ାକ ଯେ କଣ ହୁଅନ୍ତି-ଆରେ ତାର ପରା ଗୋଟାଏ ଛୋଟ ଝିଅ ଅଛି ? ଗୋଟାଏ କଙ୍ଗାଳର ସର୍ବଗ୍ରାସୀ ଅଭିନୟରେ ସବ୍‌ଇନସ୍‌ପେକ୍ଟର ଦୁଇଜଣ ଭୀତତ୍ରସ୍ତ ।

 

ଆରେ ! ତୋର କ’ଣ ନିଦ ହଉନି ।

 

ତମର ତ ନିଦ ନାହିଁ ବାବୁ ?

 

ବାବୁ ଦୁଇଜଣ ଇସତ୍ ହସି ଅନ୍ଧକାର ଭିତରେ ଲୀନ ହୋଇଗଲେ ।

 

ସେ କେତେ ପାଉଣ୍ଡ ଆଗକୁ ଯାଇ ବତୀଖୁଣ୍ଟ ନିକଟରେ ବସିପଡ଼ିଛି । ଆଲୁଅଟି ଲିଭିଯାଇଛି ।

 

ଶବଟି ଶ୍ମଶାନ ଅଭିମୁଖରେ ଯାତ୍ରା କରିଛି । ଦ୍ଵିବେଦୀଙ୍କର ସେଟା ହୋଇଛି ଶେଷ ପତ୍ନୀ ଦର୍ଶନ ।

***

 

ନଅ

 

ପତ୍ନୀ ବିୟୋଗ !

 

ଅଗଷ୍ଟ ବିପ୍ଳବର ଶୀଥିଳତା ଦ୍ଵିବେଦୀଙ୍କ ମେରୁଦଣ୍ଡକୁ ଭାଙ୍ଗିଦେଇଛି ଯେପରି ।

 

ମାତୃହୀନ ଛୁଆ । କିପରି ବ୍ୟାକୁଳ ଭାବରେ ବାବାକୁ ତାର ଖୋଜୁ ନ ଥିବ ? ନା, ନା ବାବା ତାର ଅନେକ ଦିନ ହେଲା ଦୁନିଆରେ କେଉଁଠି ଲୀନ ହୋଇଯାଇଛି । ଯଥା ସର୍ବସ୍ଵ ଥିଲା ତାର ମା’ । ସେ ବି ଚାଲିଯାଇଛି । ଦୁନିଆର ବଡ଼ ଦାଣ୍ଡରେ ସେ ବାପା, ମା ଛେଉଣ୍ଡ ପିଲା ।

 

ସର୍ବହରା ସେ । ସର୍ବଗ୍ରାସୀ ମୃତ୍ୟୁ ମୁଖରୁ ବଞ୍ଚିରହିଲେ ହେଲା । ମୃତ୍ୟୁ ଆଉ ବିପ୍ଳବ । ବିପ୍ଳବ ! ବଞ୍ଚି ରହିବାର ଦାବି ପାଇଁ ବିପ୍ଳବ ହୁଏ କିନ୍ତୁ ଦ୍ଵିବେଦୀଙ୍କର ବିପ୍ଳବରେ ଖାଲି ମୃତ୍ୟୁର ସନ୍ଧାନ !

 

ମରଣ ତାର ଜୟ ଢକା ବଜାଇ ବିପ୍ଳବର ନିଚିହ୍ନ କରିଦେବା ଉପରେ ।

 

ଜନ୍ମ ହେଲେ ତ ମଣିଷ ମରିବ । ଜନ୍ମ ଦିନଠାରୁ ମରିବା ଭିତରେ ଯେ କେତେଦିନ ଅହରହ ମଣିଷ ବିପ୍ଳବ କରେ । ବିପ୍ଳବ କଲେ ମଣିଷ ତିଷ୍ଠିବ –ନଚେତ ଶେଷ ହେବା ସ୍ଵାଭାବିକ ।

 

ଦୈନ ଦୈନିକ ବିପ୍ଳବ ତ ଅଗଷ୍ଟ ବିପ୍ଳବ ଭିତରେ ପ୍ରଭେଦ ? ଦୈନ ଦୈନିକ ବିପ୍ଳବରେ ମଣିଷ ମରୁ ମରୁ ବଞ୍ଚିଯାଏ ।

 

କିନ୍ତୁ ଅଗଷ୍ଟ ବିପ୍ଳବରେ….. ? ମଣିଷ ମରି ଅମର ହୁଏ । ପରାଜିତ ହୋଇ ଜୟ କରେ-। ତାଙ୍କ ସ୍ତ୍ରୀ ମରିଯାଇଛି । ଯୌବନ କୁଞ୍ଜର ଶାରୀଟି ଉଡ଼ିଯାଇଛି । ଶେଷକାଳର ସାଥି ତାଙ୍କର ଚାଲିଯାଇଛି ।

 

ଘର ଭାଙ୍ଗିପଡ଼ିଛି-ସଂସାରରେ ରହି ସେ ଯେ ଅସଂସାରୀ ତାର ସସାଂର ଲୋଡ଼ା କେତେକେ ?

 

ଅସ୍ତି ଚିମୁରରେ ଅସଂଖ୍ୟ ଆବାଳବୃଦ୍ଧବନିତା ସମାଧି ନେଇଛନ୍ତି । ସିନ୍ଧିର ଅଗଷ୍ଟ ବିପ୍ଳବୀ ହେମୁକଲ୍ୟାଣ ୧୯ବର୍ଷ ବୟସ ମାତ୍ର-ହସି ହସି ଫାଶି କାଠରେ ମୁଣ୍ଡ ତୋଳି ଦେଇଛି ।

 

ବର୍ଷକ ଭିତରେ ଅଗଷ୍ଟ ବିପ୍ଳବର ଇତିହାସକୁ ରକ୍ତ ରଞ୍ଜିତ କରି ଅସଂଖ୍ୟ ଯୁବକ – ଯୁବତୀ – ବୃଦ୍ଧ – ବାଳକ ମରଣ ବରଣ କରିଛନ୍ତି । ସେମାନେ ମରିନାହାନ୍ତି ବଞ୍ଚିଛନ୍ତି ଓ ବଞ୍ଚିବେ ବି ଯୁଗେ ଯୁଗେ । କିନ୍ତୁ ତାଙ୍କ ସ୍ତ୍ରୀ ? ରୋଗ ଶୋକରେ ମଲେ । ଦୁନିଆରେ ଯେମିତି ମରନ୍ତି ସେ ମଲେ । ବିଚିତ୍ରତା କିଛି ନାହିଁ । ନୂତନତ୍ଵର ଅଭାବ…. ।

 

ଅଗଷ୍ଟ ବିପ୍ଳବ ପାଇଁ ନିଜର କର୍ତ୍ତବ୍ୟ ଅବହେଳା କରି ସ୍ତ୍ରୀକୁ ସମାଧି ଦେଇଛନ୍ତି ଦ୍ଵିବେଦୀ ।

 

ତାଙ୍କ ସ୍ତ୍ରୀ ପାଇଁ ସେ କ’ଣ ଯଥେଷ୍ଟ ଇତିହାସ ନୁହେଁ ?

 

ମା, ଯାଇଛି । ହୁଏତ ଛୁଆ ଯାଇପାରେ । ସମସ୍ତେ ଆସନ୍ତି ଯିବାପାଇଁ । ସେଥିପାଇଁ ଦୁଃଖ କଲେ କ’ଣ ହେବ ?

 

ବିପ୍ଳବର ଗୁରୁଦାୟିତ୍ଵ ନେଇ ବ୍ୟକ୍ତିଗତ ଦୁର୍ବଳତାରେ ଦବିଯିବା ଉଚିତ ନୁହେଁ ।

 

ଦ୍ଵିବେଦୀଙ୍କର ଆଖିରେ ଝଲସିଉଠିଲା କମଳା ନେହୁରୁ । ପଣ୍ଡିତ ନେହୁରୁଙ୍କ ପ୍ରିୟ ପତ୍ନୀ-। ଅଳ୍ପ ବୟସୀ ଇନ୍ଦିରାକୁ ଛାଡ଼ି ଚାଲିଗଲେ । ପତ୍ନୀ ବିୟୋଗରେ ହୁଏତ ନେହେରୁଜୀ ଭାଙ୍ଗି ପଡ଼ିଥିବେ । ଭାବପ୍ରବଣ ହୃଦୟରେ ସର୍ବଗ୍ରାସୀ ଝଞ୍ଜା ଆନ୍ଦୋଳିତ କରି ପକାଇଥିବ । ଇନ୍ଦିରା ସକାଶେ ଭାବ ବିହ୍ଵୋଳ ହୋଇ, ପଣ୍ଡିତଜୀ କେବେ କେଉଁ ଦିନ ବିପ୍ଳବରୁ ଅଲଗା ହୋଇଥିଲେ ? ନା କମଳାଙ୍କ ବିୟୋଗ ପରେ ଜୀବନ ପ୍ରାଣ ଢାଳି ଗଢ଼ିଲେ ଭାରତର ଜାତୀୟ ଇତିହାସ ।

 

ଇତିହାସ ଯେ ଗଢ଼ିବାକୁ ଚାହେଁ । ବିପ୍ଳବର ନେତୃତ୍ଵର ଦାୟିତ୍ଵ ଯେ ନେଇଥାଏ-ତାର ଭାବ ବିହ୍ଵୋଳତା-ପାର୍ଥିବ ବନ୍ଧନର ଆକର୍ଷଣ ତୁଟାଇ ଦେଇ ବିପ୍ଳବର ପରିଚାଳନା କରିବା ଉଚିତ । ନଚେତ ଦେଶ ତାଙ୍କୁ କ୍ଷମା କରିବ ନାହିଁ ।

 

ବିପ୍ଳବହିଁ ତାଙ୍କର ଜୀବନ-ଜୀବନ ହିଁ ତାଙ୍କର ମୁକ୍ତିର ସନ୍ଧାନ । ଦେଶ ପ୍ରତି, ଜାତି ପ୍ରତି, ସ୍ତ୍ରୀ, ଝିଅ, ପ୍ରତି ତାଙ୍କର ବିପ୍ଳବହିଁ ସବୁକିଛି ।

 

ଦ୍ଵିବେଦୀଙ୍କର ଇତିହାସ ନ ଥିଲା । ବିପ୍ଳବ ହିଁ ତାଙ୍କୁ ଜୀବନ ଦେଇଛି, ଇତିହାସ ସୃଷ୍ଟି କରିଛି । ଜୀବନକୁ ବଞ୍ଚାଇ ରଖିବାକୁ ହେଲେ, ବିପ୍ଳବ ତାଙ୍କର ଲୋଡ଼ା…. ।

 

ଜୀବନର ଅଲିଭା ଦାଗ ଉପରେ ସ୍ମୃତିର ପ୍ରଲେପ ଲେପିଦେଇ ଆଗାମୀ କାଲିର ସନ୍ଧାନରେ ଆତ୍ମ ବିସ୍ମୃତ ହୋଇଉଠିଛନ୍ତି ।

 

ନୂଆ କର୍ମ ପ୍ରେରଣାରେ ରାତି ଦିନ ଖୋଜିବାକୁ ଲାଗିଲେଣି ଦ୍ଵିବେଦୀ !

 

କଲେଜ, ସ୍କୁଲ ପ୍ରଭୃତିରୁ ନୂଆ ବଛା ବଛା କର୍ମୀଙ୍କୁ ନେଇ ଗୋଟାଏ ନୂଆ ଉଦ୍ୟମ ଚଳାଇ ଦ୍ଵିବେଦୀ ଆତ୍ମହରା ହୋଇଉଠିଛନ୍ତି ।

 

କେତେଜଣ କମ୍ୟୁନିଷ୍ଟ କର୍ମୀ ବି ଆସି ଯୋଗ ଦେଇଛନ୍ତି । ଓଡ଼ିଆ ବଜାର ମୁସଲମାନ ବସ୍ତିରେ ନୂଆ ହୋଇ କେନ୍ଦ୍ର ଲିଥୋ ଅନୁଷ୍ଠାନ ପ୍ରତିଷ୍ଠା ହୋଇଛି ।

 

ଅନୁଷ୍ଠାନଟି ଠିକ୍ ସଦର ରାସ୍ତା ପାଖରେ ।

 

ମୁସଲମାନ ବୁଢ଼ୀ ଘରର ମାଲିକ । ବିପ୍ଳବୀ ଦ୍ଵିବେଦୀ ସେଠି ଅଛନ୍ତି ଢାକାର ଶାଢ଼ୀ ବେପାରୀ ହିସାବରେ ।

 

କାମ ଜୋରସୋରରେ ଚାଲିଛି । ରାତି ଦିନ ନାହିଁ । ଲେଖାଲେଖି ଚାଲିଛି । ପାଖରେ କେହି ନାହିଁ । ବେଳେ ବେଳେ ବିବେକାନନ୍ଦ ଆସି ଖବର ଅନ୍ତର ବୁଝିଯାଏ । କାଗଜପତ୍ର ବିଭିନ୍ନ କେନ୍ଦ୍ର ଓ କର୍ମୀଙ୍କୁ ପଠାଇ ଦେବାର ଦାୟିତ୍ଵ ତାଙ୍କର ।

 

ପୁରା ମୁସଲମାନ ହୋଇଉଠିଛନ୍ତି ସେ ।

 

ମୁସଲମାନୀ ପୋଷାକ । ଦାଢ଼ି, ନିଶ ବେଶ୍ ମାନେ ଦ୍ଵିବେଦୀଙ୍କୁ ।

 

ସନ୍ଧ୍ୟାବେଳେ ଲୁଙ୍ଗି, ମୁସଲମାନୀ ପଞ୍ଜାବି ପିନ୍ଧି ନମାଜ ପଢ଼ିଲାବେଳେ କେତେ ପୁଲିସ ଅଫିସର, ଗୁଇନ୍ଦା ଖବରଦାତାମାନେ ଯେ ଦେଖିନାହାନ୍ତି – ତା ନୁହେଁ । ସମସ୍ତେ ଜାଣନ୍ତି ମୁସଲମାନ ବେପାରୀ ରୁହନ୍ତି ସେ ଘରେ ।

 

ବୁଢ଼ୀ କାଦର ବେଗ୍ ଘରର ମାଲିକ, ତା ଘରୁ ଖାନା ଆଣିଦିଏ ।

 

ନିରାମିଶାଷି ସେ । ବୁଢ଼ୀକୁ ତାଗିତ୍ ଅଛି । ବୁଢ଼ୀର ଧର୍ମପୁଅ ।

 

ବୁଢ଼ୀ ଅକ୍ଷରେ ଅକ୍ଷରେ ପାଳନ କରିଛି । ତାଙ୍କ ରୁଚି ଅନୁଯାୟୀ ଖାଦ୍ୟ ପ୍ରସ୍ତୁତ କରେ । ଖାଦ୍ୟ ପେୟରେ ପୁଅ ସନ୍ତୁଷ୍ଟ ହେଲେ ବୁଢ଼ୀ ଅସମାପ୍ତି ତୃପ୍ତି ଅନୁଭବ କରେ ।

 

କାଦର ବେଗ୍ ପୁତ୍ରହୀନା । ବିପ୍ଳବୀ ପିଲାଟି ଦିନୁ ମାତୃହୀନା ।

 

ତେଣୁ ନୂତନ ଅନୁଭୂତିରେ ଉଭୟେ ସ୍ଵର୍ଗୀୟ ସମ୍ପଦ ଫେରିପାଇଛନ୍ତି ।

 

କାଲି ରମଜାନ୍ ପର୍ବ ।

 

ଗଫୁର ମିଆଁ ମୁସଲମାନ ବାରିକ । ଦ୍ଵିବେଦୀଙ୍କ ବାଳ କାଟୁଥାଏ । ଆସିଲାଦିନୁ ସେ ତାଙ୍କର ବାଳ କାଟେ ।

 

ପଚାରିଲା, “ଖଲିପା ତମେ ଗୋସ୍ ଖାଅନା ?”

 

ଢାକାର ଆମ ସମ୍ପ୍ରଦାୟର ଲୋକେ ଖାଆନ୍ତି ନାହିଁ ।

 

ମୁସଲମାନ ହୋଇ ଗୋସ୍ ଖାଅନା ?

 

ମୁସଲମାନ ହେଲେ ଗୋସ୍ ଖାଇବେ କଣ ଧର୍ମରେ ଅଛି ?

 

ଧର୍ମ ଶାସ୍ତ୍ର ଆମେ କଣ ଜାଣୁ…. ।

 

ଖିଅରବାର କାମ ସରିଗଲା । ଅଣ୍ଟାରୁ ସୁକିଟିଏ ଗଫୁର ଖାଁକୁ ବଢ଼ାଇଦେଲେ । ମନ ଖୁସିରେ ସଲାମ ଠୁଂକି ସେ ଚାଲିଗଲା ।

 

X X X X X

 

ରମଜାନ୍ ପର୍ବ ।

 

ମସଜିଦ୍‌କୁ ଆଜି ନମାଜ ପଢ଼ି ଯିବାକୁ ହେବ । ବେଳ ଆସି ୬ଟା ବାଜି ଗଲାଣି । ବିବେକ ଆସି ବୁଲେଟିନ ନେଇ ଯାଇନି । କାଗଜ ସରି ଆସିଛି । ବେଶି ହେଲେ ଦିନେ ଦୁଇଦିନ କାମ ଚାଲିବ । ବୁଲେଟିନ ଚାଲୁହେବା ଦ୍ଵାରା ବିପ୍ଳବ ପୁଣି ଚେଇଁଉଠିଛି । ଅମାପ ଆନନ୍ଦ ଦ୍ଵିବେଦୀଙ୍କ ଭଗ୍ନ ପ୍ରାଣରେ ନୂତନ ଆଶାର ସଞ୍ଚାର କରିଛି, କୌଣସିମତେ ବୁଲେଟିନ ଚଳାଇବାକୁ ହେବ । କାଗଜ ! କାଗଜ କିଣିବାକୁ ଟଙ୍କା ଲୋଡ଼ା !

 

ଡାକ ଟିକଟ ବୁଲେଟିନ ପଠାଇବା ନିମନ୍ତେ ଲୋଡ଼ା । ଭୈରବ ଖବର ଦେଇଛି ସରକାରୀ ସର୍ଭିସ ଷ୍ଟାମ୍ପ ପ୍ରଚୁର ପରିମାଣରେ ଯୋଗାଇବେ ।

 

ଗୋଟାଏ ନୂଆ ଉଦ୍ଭାବନ । ସରକାରୀ ସୂତ୍ରରେ ଯେପରି ଚିଠି ଖୋଲାଯାଉଛି । ସେଥିରୁ ଉଦ୍ଧାର ମିଳିଯିବ । କର୍ମୀମାନଙ୍କୁ ପଠାଇ, ପ୍ରଚୁର ଶ୍ରମ ଓ ପଇସା ଖର୍ଚ୍ଚ କରିବା ଅପେକ୍ଷା, ସରକାରଙ୍କ ଡାକ ବିଭାଗ ଜରିଆରେ ବୁଲେଟିନ ପ୍ରଚାର କରିବା ଗୋଟାଏ ମସ୍ତବଡ଼ କୌଶଳ ।

 

ଗୋଟାଏ ତୃପ୍ତିରେ ଦ୍ଵିବେଦୀ ଅସ୍ଥିର ହୋଇଉଠିଲେ ।

 

ପୁଅ ! ସମୟ ହୋଇଗଲା ମସଜିଦ୍‌କୁ ଯିବୁନା ?

 

ହଁ, ମା ! ମୁଁ ତ ପ୍ରସ୍ତୁତ ହେଉଛି ।

 

“ଆଲ୍ଲା ତୋର ମଙ୍ଗଳ କରନ୍ତୁ” ବୁଢ଼ୀ ଚାଲିଗଲା ।

 

କିଛିସମୟ ପରେ ଢାକାଇ ଶିଲ୍‌କର ପାଇଜାମା, ସେରଓ୍ୟାନି, ଚପକନ୍ ମୁସଲମାନୀ ଟୋପି ପିନ୍ଧି ବାହାରି ପଡ଼ିଲେ ମସଜିଦ୍ ଉଦ୍ଦେଶ୍ୟରେ ।

 

ପ୍ରାୟ ଦିନ ଆଠ ବାଜିଯିବ ।

 

ରାଜପଥରେ ବିପ୍ଳବୀ । ଅନେକଦିନ ଅନ୍ଧାର ଭିତରେ ଆବଦ୍ଧ ହୋଇ, ଆଜି ଆଲୋକ ମିଳିଛି । ଖୋଲା ପବନ ଦେହରେ ବାଜିଛି । ନୂଆ ଶିହରଣରେ ଅମାପ ପୁଲକ ପ୍ରାଣେ ପ୍ରାଣେ ସେ ପାଇଛନ୍ତି ।

 

ରେନର ସାହେବଙ୍କ ଗାଡ଼ି ଦ୍ରୁତଗତିରେ ତାଙ୍କୁ ଅତିକ୍ରମ କରିଗଲା ।

 

ଆଗରେ ବିବେକାନନ୍ଦ ଆସୁଛି ପ୍ରାୟ । ସାଙ୍ଗରେ ରସାନନ୍ଦ ଓ ଅନ୍ୟାନ୍ୟ କେତେଜଣ କର୍ମୀ…… ।

 

ଦିନ ଆଠଟା ବେଳେ । ରାସ୍ତା ଉପରେ ତାଙ୍କୁ ଦେଖି ଚିହ୍ନିପାରିଲେ ନାହିଁ ।

 

ସେମାନେ ଅତିକ୍ରମ କରିଗଲେ ଦ୍ଵିବେଦୀଙ୍କୁ ।

 

ସେ ଇଷତ୍ ହସି କଦମ୍‌ରସୁଲ ପ୍ରାଚେରୀ ଭିତରେ ପଶିଲେ ।

 

ନମାଜ୍ ପଢ଼ା ଶେଷ ହେଲା ।

 

ବର୍ତ୍ତମାନ ତେବେ ? କେନ୍ଦ୍ରୀୟ ଲିଥୋ ଅନୁଷ୍ଠାନକୁ ଫେରିଯିବେ ।

 

ତେଲେଙ୍ଗାବଜାର ଛୋଟ ଘର ଖଣ୍ଡିକରେ କାହାର ସ୍ମୃତି ଯେପରି ଟାଣିଧରିଲା । ଯିବେ-? ହଁ, ଯାଇ ଦେଖିଆସିଲେ ଭଲ ହୁଅନ୍ତା । ଖୋଲା ଆଲୁଅ – ଖୋଲା ପବନରେ ବିପ୍ଳବୀ ତାର ନିଜ ରୂପଟା ନିଜେ ଦେଖିନେଲେ । ବେଶ୍ ସାଜିଛି, ଝିଅ ତାଙ୍କର ଚିହ୍ନି ପାରିବନି ? ମାମୁ ?

 

ବଙ୍ଗାଳିସାହି ଅତିକ୍ରମ କରି ତେଲେଙ୍ଗାବଜାର ମୋଡ଼ରେ ଉଠିଲେଣି । କେତେ ଚିହ୍ନା ପରିଚୟ ଲୋକ ଦେଖାହେଲେଣି । କେହି ତ ଚିହ୍ନିପାରି ନାହାନ୍ତି । ଆଉ କେବଳ ମାମୁ….ସେ ଯେବେ ଚିହ୍ନିପାରନ୍ତି ।

 

ଆଗରେ ତାଙ୍କର ଘର । ପୁଲିସ ପହରାବାଲା ତ ନାହାନ୍ତି । ଘରଟି ତାଲାପଡ଼ିଛି । ସରକାର ତେବେ ବାଜ୍ୟାପ୍ତି ଧନର ମାଲିକ ହୋଇଉଠିଛି ।

 

ତେବେ ମିନି ? ମିନି ନିଶ୍ଚୟ ମାମୁଙ୍କ ଘରେ । ମାମୁ ଓ ମାଇଁ ବ୍ୟତୀତ ତାଙ୍କର ଜଗତରେ କିଏ ଅଛି ?

 

ରଘୁନାଥଜୀଉ ଦେଉଳ ଆରପଟେ ମାମୁଙ୍କ ଘର । ପୁଲିସ ସେଠି କଣ ଥିବେ ?

 

କଣ ଭାବୁ ଭାବୁ ବିପ୍ଳବୀ ଚାଲିଲେ ରଘୁନାଥଜୀଉ ଲେନ୍‌ରେ ।

 

ଆଗରେ ମାମୁ ଘର । ଛୋଟ ଚାଳ ଘରଟିଏ । ବହି ଦୋକାନ ତାଙ୍କର ବେଉସା । ବହୁତ ହଇରାଣ ହେଲେ ବୁଢ଼ା ବୟସରେ ମୋ ପାଇଁ ….. ।

 

ପୁଲିସ କନେଷ୍ଟବଳଟିଏ କଣ କଥାବାର୍ତ୍ତା ଦୁଇପଦ ହୋଇ ଚାଲିଗଲା । ମାମୁଙ୍କ ଛାତିରେ ମିନି…. ।

 

ବିପ୍ଳବୀର ଚାରିଆଡ଼କୁ ନଜର ଅଛି । ସରକାରଙ୍କର ତାଙ୍କ ଉପରେ ଯେପରି ନଜର ଅଛି, ତାଠାରୁ ବଳି ତାଙ୍କର ନଜର ସତେଜ…. ।

 

ମାମୁଙ୍କ ଘର ଆଗରେ ଦୁଇ ଚାରିଥର ଅତିକ୍ରମ କରି ଗଲେଣି । ମିନିର ମଳିନ ମୁହଁକୁ ବାର ବାର ଦେଖିଲେଣି । ସେଥିରେ ତୃପ୍ତି ନାହିଁ । ଥରେ ଛାତିରେ ଜାକିନେଇ ମିନି ନିକଟରେ ତାର ଦୁର୍ଦ୍ଦିନରେ କ୍ଷମା ପ୍ରାର୍ଥନା କରିବାକୁ ଚାହେଁ ବିପ୍ଳବୀ !

 

କି ଦୁର୍ବଳତା ? ଯେ ବ୍ରିଟିଶ ଶାସନର ସର୍ବ ଶକ୍ତିମାନ୍ ଶାସନ ଦଣ୍ଡକୁ ଅପମାନ ଦେଇ ଉଲ୍ଲସିତ ହୁଏ, ସେ ସାମାନ୍ୟ ଶିଶୁ ନିକଟରେ କ୍ଷମା ପ୍ରାର୍ଥନା ଚାହେଁ ?

 

ଏମିତି କିଛି ଭାବିଛନ୍ତି, ମାମୁଙ୍କର ତାଙ୍କର ଦୃଷ୍ଟି ଭଲକରି ପଡ଼ିଲା ।

 

ମାମୁ ଓ ଭଣଜାଙ୍କ ଆଖି ପରସ୍ପର ମିଳିଗଲା ।

 

ମାମୁ ଚାରିଆଡ଼କୁ ଅନାଇଁ ଦେଖିଲେ । କହିଲେ-ଭୟ ନାହିଁ ଆସ ।

 

 

ମାମୁ ତେବେ ଠିକ୍ ଚିହ୍ନିଛନ୍ତି । ରକ୍ତ ରକ୍ତ ଚିହ୍ନେ । ଦ୍ଵିବେଦୀ ଆଗପଛ କିଛି ନ ଭାବି ମାମୁଙ୍କ ଫାଟକ ଟପିଯାଇ ଘରକୁ ପଶିଗଲେ ।

 

ମାମୁ ପଛରେ…… ।

 

ମାଇଁ ଚିତ୍କାର କରିଉଠିଲେ “ବ୍ରାହ୍ମଣ ଘର-ଏ ମୁସଲମାନ” ମାମୁ ନିକଟରେ ଆସି ଯାଇଥିଲେ – ବିପ୍ଳବର ଅଗ୍ନି ସ୍ଫୁଲିଙ୍ଗ ତାଙ୍କ ଆଖିରେ ବି ଆଜି ସୃଜି ଉଠିଛି ।

 

ମାଇଁ ତାଙ୍କର ନୀରବ । ବୁଝିଲେ ସର୍ବହରା ଭଣଜା ତାଙ୍କର ଫେରିଆସିଛି । ମିନିକୁ ଦେଖିବାକୁ ଆଜି ଫେରିଆସିଛି । ବୋହୂ-ଅତି ଆଦରର ବୋହୂକୁ…..

 

ମାମୁଙ୍କର ଶାସନ – ଆଖିର ଶାସନ – ବାକ୍ୟହୀନ ଶାସନ – କିଛି କହିଲେ ସର୍ବନାଶ ଘଟିବ । ଆଖିରୁ ଯେତେ ଲୁହ ଗଡ଼ାଇ କାନ୍ଦିପାର । ସେଥିପାଇଁ ଅନୁମତି ଅଛି – କିନ୍ତୁ ପାଟି ….!

 

ମୁସଲମାନକୁ ଦେଖିଲାବେଳୁ ମିନି ଅଜାଙ୍କ କାନ୍ଧରୁ ଆଉ ମୁଣ୍ଡ ଉଠାଉନି….. ।

 

ବିପ୍ଳବୀ ନୀରବ ।

 

ତାକୁ ଟିକେ କୋଳକୁ ନେ…. ।

 

ସେ ଯେ ଅନାଉନି ମୋତେ…. ।

 

ଯା, ମା ! ସେ କିଏ ଦେଖିଲୁ….. ।

 

ନା, ମୁଁ ଯିବିନି ! ସେ ବାଇଆ ।

 

ହଁ ମା, ବାଇଆ ନହେଲେ କିଏ ? ମାମୁଙ୍କର ଆଖିରେ ଛୁଟିଲା ଲୁହ । କିଛି କହିପାରିଲେ ନାହିଁ ।

 

ମୋତେ ଚାଲିଯିବାକୁ ହେବ ବର୍ତ୍ତମାନ ।

 

ଏମିତି ଚାଲିଯାଆନ୍ତି କଣ ? ମାଇଁ କହିଲେ ।

 

ଚାରିଆଡ଼େ ଯେ ବିପଦ ମାଇଁ । ମୋ ସକାଶେ ତମର ଯେ ସବୁ ନଷ୍ଟ ହୋଇଯିବ ।

 

ମିନି ଅଛି ମାଇଁ । ସେ ତମର । ମୋତେ ମଣିଷ କରିଥିଲ-ମୁଁ ଚାଲିଯାଇଛି – ଆଉ ଦେଇଯାଇଛି ତାକୁ….. ।

 

କେବେ ଯେବେ ଫେରେ ଫେରିବି ହସ ହସ ମୁହଁରେ ତମର ସେବାକରିବା ପାଇଁ….. । ବିପଦ ମାଡ଼ିଆସିବ-ବିଳମ୍ବ କଲେ ବିପଦ ମାଡ଼ିଆସିବ– ଆସିବି ନିଶ୍ଚୟ ମାଇଁ – ତମରି ସ୍ନେହ ମୋତେ ଟାଣି ଆଣିବ……ଝଡ଼ ଗତିରେ । ଦ୍ଵିବେଦୀ ବାହାରିଗଲେ ।

 

ଏମିତି କଣ ଆସି ଚାଲି ଯାଆନ୍ତି ? ଦାର୍ଘ ନିଶ୍ଵାସ ପକାଇ ମାଇଁ ବସିପଡ଼ିଲେ ।

 

ଆଗରେ ଯେ ଦଳ ଦଳ ପୁଲିସବାଲା ବୁଲୁଛନ୍ତି…..ଯେବେ ? ମାମୁଙ୍କର ଦୁଶ୍ଚିନ୍ତା ।

***

 

ଦଶ

 

ମିନି କହିଛି – ସେ ବାୟାଟା…. ।

 

ବାସ୍ତବିକ୍ ସେ ଚିହ୍ନିଛି । ବାଇଆ ନ ହେଲେ ଝିଅ, ମାଇପଙ୍କୁ ଯମ ମୁହଁରେ ଠେଲିଦେଇ କିଏ ଅମଙ୍ଗଳ ଧୁମକେତୁ ପରି ବୁଲେ । ବାସ୍ତବିକ ସେ ବାଇଆ-ପାଗଳ । ପାଗଳାମୀରେହିଁ ମାଦକତା ଅଛି । ପାଗଳ ନ ହେଲେ କେଉଁ ଜାତି କେବେ ସ୍ଵାଧୀନ ହୋଇନି ନା ହେବନି । ପାଗଳ ହେବାକୁ ହେବ – ସାରା ଜାତିଟାକୁ ପାଗଳ ବନାଇ ଦେବାକୁ ହେବ । ତେବେ ଯାଇ ସ୍ଵାଧୀନତା – ମୁକ୍ତିର ଝଣ୍ଡା ଫର ଫର ହୋଇ ଉଡ଼ି ଉଠିବ । ଏମିତି କେବେ କଣ ଭାବୁ ଭାବୁ ଚୌଧୁରୀବଜାର ପୁଲିସ ଷ୍ଟାଣ୍ଡ ଟପି ଗଲେଣି ।

 

ମିନି ଭଲ ଅଛି । ମାମୁ ନିଶ୍ଚୟ ତାକୁ ଭଲ ରଖିବେ – ତେବେ ଆଉ ଚିନ୍ତା କଣ ?

 

ଆରେ ବିବେକା ଆସି ଅପେକ୍ଷା କରିଥିବ । ବୁଢ଼ୀ ତ ବ୍ୟସ୍ତ ହୋଇ ଉଠିବଣି ।

 

ପାଦ ତାଙ୍କର ଚଞ୍ଚଳ ହୋଇଉଠିଲା । ବୁଢ଼ୀ ଠିକ୍ ଦାଣ୍ଡ ପିଣ୍ଡାରେ ବସିଛି । ବିବେକା ଓ ରସାନନ୍ଦ ଘର ଆଗରେ ବୁଲାଚଲା କରୁଛନ୍ତି ।

 

ବିବେକାନନ୍ଦ ଆଦୌ ବୁଝିପାରୁନି ।

 

ରସାନନ୍ଦ ଯେ କାହିଁକି ପଛେ ପଛେ ଗୋଡ଼ାଉଛି ? ସେ କାମ କରିବାକୁ ଚାହେଁ । କାମ କରୁ । ଲିଥୋ ଅନୁଷ୍ଠାନର ସନ୍ଧାନ ତାର କଣ ଲୋଡ଼ା ? ଏମିତି କେତେ କଣ ବିରକ୍ତିକର ପ୍ରଶ୍ନବାଚକ ନେଇ ଦ୍ଵିବେଦୀ ବସା ଘରେ ଉଠିଲେ ।

 

ବୁଢ଼ୀ ତୃପ୍ତିର ଗୋଟାଏ ହସ ହସି ଦେଇ ସଙ୍ଗେ ସଙ୍ଗେ ଘର ଭିତରକୁ ପଶିଯାଇ, ଖାଇବା ଜିନିଷ ଯାହା ଯେଉଁଠି ରଖିଥିଲା, ଦେଖାଇ ଦେଲା ।

 

ମା, ମୋର କେତେଜଣ ଚିହ୍ନା ଲୋକ ସେଠି ବୁଲୁଛନ୍ତି । ଏଗୁଡ଼ିକ ମୁଁ ତ ଖାଇ ପାରିବିନି-। ତାଙ୍କୁ ଡାକେ-?

 

ଡାକିପାରୁ । ଏତକ କୁଳେଇବ ନା ଆଉ ଆଣିବି ।

 

ଆଣିବା ଦରକାର ନାହିଁ…..ତୁ ଅଛୁ ବୋଲି ସେମାନେ ଆସିବାକୁ ଲାଜ ଲାଜ ହେଉଛନ୍ତି-

 

ତୋର ସାଙ୍ଗ ସେମାନେ ଲାଜ କାହିଁକି ?

 

ଓଡ଼ିଆ ଲୋକ ନା...... ?

 

ହଉ ହଉ ମୁଁ ଯାଉଛି । ବୁଢ଼ୀ ଚାଲିଗଲା ।

 

ବୁଢ଼ୀ ଯିବା ସଙ୍ଗେ ସଙ୍ଗେ ବିବେକାନନ୍ଦ ଓ ରସାନନ୍ଦ ପ୍ରବେଶ କଲେ ।

 

ଦ୍ଵିବେଦୀ ଗମ୍ଭୀର ହୋଇ ଉଠିଛନ୍ତି । କିଛି କହିବାର ଇଚ୍ଛା ଆଦୌ ଯେପରି ନାହିଁ ।

 

କିଛିସମୟ କଣ ଭାବି ଯାହା ବୁଢ଼ୀ ଖାଇବାକୁ ଦେଇ ଯାଇଥିଲା ଆଣି ସେ ଦୁହିଙ୍କୁ ତାଙ୍କ ସାଙ୍ଗରେ ଖାଇବାକୁ ଇଙ୍ଗିତ ଦେଲେ ।

 

ଦ୍ଵିବେଦୀଙ୍କର ଗାମ୍ଭୀର୍ଯ୍ୟରେ ସେ ଦୁହେଁ ବି ଦବିଗଲେ ।

 

ଖାଇସାରିଲେ ।

 

ଦ୍ଵିବେଦୀ ଆରମ୍ଭ କଲେ – ବିବେକ, କାଲିର ବୁଲେଟିନ ସବୁ ପଠାଯାଇ ପାରିଲା ନାହିଁ-?

 

ମୋ ଦେହ ବ୍ୟସ୍ତ ଥିଲା

 

ସାମାନ୍ୟ ଦେହ ବ୍ୟସ୍ତ ସକାଶେ କାମ ବନ୍ଦ ରହିବ ? ତମପରି କର୍ମୀ ମୁହଁରେ ଏ କଥା ଶୋଭା ପାଏନା ।

 

କାରଣ ? ରସାନନ୍ଦ ପଚାରିଲେ ।

 

ଅନୁଷ୍ଠାନ ଭିତରେ ପଞ୍ଚମ ବାହିନୀ ପ୍ରବେଶ କରିଛନ୍ତି ।

 

ପଞ୍ଚମବାହିନୀ ! ବିବେକ ବିସ୍ମିତ ହେଲେ ।

 

ଏତିକିବେଳକୁ ଶୁଣାଗଲା ଗୋଟାଏ ବ୍ୟାଣ୍ଡି ପାର୍ଟି ଘୋଡ଼ାଗାଡ଼ିରେ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇ ଅତିକ୍ରମ କରିଗଲେ ।

 

ରସାନନ୍ଦ ଚଞ୍ଚଳ ହୋଇଉଠିଛନ୍ତି ।

 

ପୁଣି ବ୍ୟାଣ୍ଡ ପାର୍ଟି ଫେରିଆସୁଛି ସେହି ବାଟେ….. ।

 

ଦ୍ଵିବେଦୀ ରସାନନ୍ଦକୁ ଅଟକେଇ ନେଲେ…ପାଟି ତାଙ୍କର ବନ୍ଦ କରିନେଲେ । ବିବେକ ଆଉ ସମୟ ନାହିଁ-ପୁଲିସ ରସାନନ୍ଦଠାରୁ ଠିକ୍ ଖବର ନେଇଛି…ଧର । ମୋତେ ସାହାଯ୍ୟ କର-

 

ରସାନନ୍ଦକୁ ଶୂନେ ଶୂନେ ଟେକିନେଇ ମୁହଁ, ହାତ, ଗୋଡ଼, ବାନ୍ଧିପକାଇ ଗୋଟିଏ କଣବାଡ଼ିଆ ଘରେ ବନ୍ଦକରି ଆସିଲେ ।

 

ତୁମେ ଦରଜା ବନ୍ଦକରି ଆସ ବିବେକ । ବିବେକ ଶୀଘ୍ର କବାଟ ବନ୍ଦକରି ଆସିଲେ । ବିବେକ ଫେରିଲାବେଳକୁ ଦ୍ଵିବେଦୀ କ’ଣ ବ୍ୟସ୍ତହୋଇ କାଗଜ ପତ୍ର ବଛାବଛି କରି ଚିରି କୂଅକୁ ପକାଇବାରେ ବ୍ୟସ୍ତ ଅଛନ୍ତି ।

 

ଠିଆହୋଇ ରହିଲେ କ’ଣ ।ଏଠାରୁ ଶୀଘ୍ର ଯେପରି ପଳାଇବାର ଚେଷ୍ଟାକର । ନଚେତ୍ ରକ୍ଷା ନାହିଁ… । ଏଇ ଆଗ ସେ ଦଉଡ଼ି ବାନ୍ଧି ଲିଥୋ ମେସିନକୁ…ଆସ୍ତେ – ଖୁବ୍ ଆସ୍ତେ କୂଅ ଭିତରେ ଗଳାଇ ପକାଅ ।

 

ଏତିକିବେଳେ କବାଟରେ ଘନ ଘନ କିଏ ମୁଷ୍ଟି ଆଘାତ କଲା । ଯେପରି କବାଟ ଭାଙ୍ଗିପଡ଼ିବ ।

 

ଦ୍ଵିବେଦୀ ଉତ୍ସାହିତ ହୋଇ କୂଅର ବେଦିକା ଉପରେ ଉଠି ଚାରିଆଡ଼କୁ ଚାହିଁଲେ । ଘରର ଚାରିଆଡ଼ୁ ପୁଲିସ କନେଷ୍ଟବଲ ସରଜେଣ୍ଟ-ଅଗଣନ ପୁଲିସ କର୍ମଚାରୀ…… ।

 

ତାଙ୍କର ସନ୍ଦେହ ଫଳପ୍ରସୂ ହୋଇଛି ।

 

ବିପ୍ଳବର ପଛପଟୁ ତାଙ୍କୁ ଛୁରିମାରି ଦିଆଯାଇଛି ।

 

ଅନୁଷ୍ଠାନ ଭିତରେହିଁ ପଞ୍ଚମ ବାହିନୀ …. । ଜାତିର ଇତିହାସ କମ୍ୟୁନିଷ୍ଟଙ୍କୁ କେବେ କ୍ଷମାଦେବନି ! ରୁଷିଆ, ରୁଷିଆ ହୋଇ ଭାରତର ସ୍ଵାଧୀନତାକୁ ଏମାନେ ବଳିଦେଲେ । ପର ଦେଶର ମୁକ୍ତିରେ ପାଗଳହୋଇ ନିଜ ଦେଶର ମୁକ୍ତିର ଆଲୋକଟି ଲିଭାଇ ଦେଲେ ।

 

ଶିଖି, ମନାଇ, ଜୟଚନ୍ଦ୍ର, ଚରଣ ପଟ୍ଟନାୟକଙ୍କ ସଙ୍ଗରେ ବି ଏମାନେ ବଞ୍ଚି ରହିବେ ।

 

ବିବେକ ତୁମେ ଅଭିନୟ କରିପାରିବ ?

 

ଅଭିନୟ ? କି ଅଭିନୟ ?

 

ଖନାର ଅଭିନୟ – ବୋକାର ଅଭିନୟ ।

 

କାହିଁକି ?

 

ମୁଁ ଧରାହେବି ଚିନ୍ତା ନାହିଁ, କିନ୍ତୁ ତୁମକୁ କଲବଲ କରାଇ ଯେବେ ବିପ୍ଳବର ସମସ୍ତ ସନ୍ଧାନ କରଗତ କରି ଅନୁଷ୍ଠାନର ସମସ୍ତଙ୍କୁ… ।

 

ପାରିବି । ନିଶ୍ଚୟ ପାରିବି ?

 

ତେବେ ତୁମେ ବାହାରିଯାଅ.. ।

 

ଆଗରେ ପଛରେ ଚାରିଆଡ଼େ ପୁଲିସ ।

 

ପୁଲିସକୁ ଧରାଦିଅ । ଢେଙ୍କାନାଳିଆ, ଖନା, ବୁଦୁ ଚାକରର ଅଭିନୟ କରି ଯେବେ…. ।

 

ଦ୍ଵିବେଦୀ ଗୋଟିଏ ଘରେ ନିଜକୁ ଚାରିଆଡ଼ୁ ଆବଦ୍ଧ କରି, ଅବଶିଷ୍ଟ କାଗଜପତ୍ରଗୁଡ଼ିକୁ ପୋଡ଼ିବାକୁ ଲାଗିଲେ ।

 

ବିବେକ ସଦର ଦରଜା ନିକଟରେ ଅପେକ୍ଷାରେ ରହିଲା ।

 

ପୁଲିସର ବାର ବାର ମୁଷ୍ଟି ପଦାଘାତରେ କବାଟ ଦୁଇଖଣ୍ଡ ହୋଇ ଭାଜିଗଲା ।

 

ବିବେକ ଥରୁଛି…ଭୟରେ ଥରୁଛି ଅଭିନୟ କରି ଥରୁଛି…. ।

 

ପୁଲିସସାହେବ ରବଟସନ ଗୋଟିଏ ଥାପଡ଼ ଦେଇ କହିଲେ, ତୁ କିଏ ?

 

ମୁଁ……ମୁଁ……ଖନା ବୋକାର ଅଭିନୟ ।

 

ଆଉ ଏ ଘରେ କିଏ ଅଛି ?

 

ଅ-ଅ-ଛି ବା-ବା-ବୁ… । ବାହାର ଆଡ଼କୁ ଚାଲିଯାଇଛି ବୋଲି ଇଙ୍ଗିତ ଦେଲା-

 

ବୀରଦର୍ପରେ ପୁଲିସ ସାହେବ ଓ କେତେକ ସରଜେଣ୍ଟ ଭିତରକୁ ପ୍ରବେଶ କଲା ବେଳକୁ ଦେଖିଲେ, ଭିତର ଘରକୁ ପ୍ରବେଶ ଦ୍ଵାର ବନ୍ଦ…. ।

 

ଦ୍ଵିବେଦୀ ଯେଉଁ ଘରେ ଥିଲେ – ସେ ଝରକା ପୁଲିସ ଭାଙ୍ଗିଦେଇ ଡାକୁଛି – “ଫିଟାଅ କବାଟ, ଆଉ ଉପାୟ ନାହିଁ ।” ନିଆଁ ହୁତୁ ହୁତୁ ହୋଇ ଜଳୁଛି-ଦ୍ଵିବେଦୀ ଅଗ୍ନିର ବିପ୍ଲବୀ ଶିଖା ଭିତରେ କଣ ଆହୂତି ଦେଉଛନ୍ତି ।

 

ଜଣେ ସରଜେଣ୍ଟ ପିସ୍ତଲକୁ ଟକ୍ ମକ୍ କରି କହିଲା, କବାଟ ଫିଟାଅ……ନଚେତ୍…. ।

 

ଦ୍ଵିବେଦୀଙ୍କର ହାଃ ହାଃ ହାଃ…..ବିକଟାଳ ହସରେ ଘର ଯେପରି ଭାଙ୍ଗିପଡ଼ିବ ।

 

ତାଙ୍କ ମୁହଁରୁ ଛୁଟିଚାଲିଛି ସେହି ବିକଟାଳ ହସ ।

 

ହଠାତ୍ ପୁଲିସଙ୍କ ଧକାରେ ଘର ଖୋଲିଯାଇଛି । ବିପ୍ଳବର ଲେଲୀହାନ ଶେଷ ଶିଖାରେ ବିପ୍ଳବୀ ଦ୍ଵିବେଦୀଙ୍କର ମୁହଁ ଦାଉ ଦାଉ ହୋଇ ଜଳିଉଠିଛି ।

 

ରେନର ସାହେବ ସେ ଘରକୁ ପଶିଆସି ଦ୍ଵିବେଦୀଙ୍କୁ ଅଭିନନ୍ଦନ ସ୍ଵରରେ କହିଲେ,”ସୁ ପ୍ରଭାତ ମି. ଦ୍ଵିବେଦୀ ।”

 

ଗମ୍ଭୀର ସ୍ଵରରେ ଦ୍ଵିବେଦୀ ଉତ୍ତର ଦେଲେ,”ସୁ ପ୍ରଭାତ ମି.ରେନର” କହୁ କହୁ ଦ୍ଵିବେଦୀ ନିଜର କରପ୍ରସାର କରି ରେନରଙ୍କ କରମର୍ଦ୍ଦନ କଲେ ।

 

ରେନରଙ୍କ ଦେହ ଶିହରି ଉଠିଲା । ବିପ୍ଳବୀର ବିପ୍ଳବର ଅଗ୍ନି ସ୍ଫୁଲିଙ୍ଗ ତାଙ୍କ ଶିରା ପ୍ରଶିରାରେ ମାତିଉଠିଲା ।

 

ମି. ଦ୍ଵିବେଦୀ ! ଗାନ୍ଧିଜୀ କଣ ତମକୁ ଲୁଚି ଛପି ଏ କାମ କରିବାକୁ କହିଥିଲେ । ଧୀର ଆଶ୍ଵସ୍ତି ସ୍ଵରରେ ରେନର କହିଲେ ।

 

ଗାନ୍ଧିଜୀ ଆପଣଙ୍କୁ ଯାହା କହିଛନ୍ତି, ଆପଣ କଣ ମାନିଛନ୍ତି ?

 

ମାନେ ? ଜିଜ୍ଞାସୁ ନୟନରେ ରେନର ରହିଲେ ।

 

ଏଇ ଆପଣଙ୍କୁ ଭାରତ ଛାଡ଼ି ଯିବାକୁ ।

 

ଏ ବଡ଼ ଅନ୍ୟାୟ ଦ୍ଵିବେଦୀ Concealment ଲୁକାୟିତ ଭାବରେ…. ।

 

ମୋତେ ହସାଇଲ ରେନର ସାହେବ । କଂଗ୍ରେସ ଅଫିସ ଦଖଲ କରିନେଲା ପରେ, ଆମେ ତ ଏମିତି ଏଠି ସେଠି ମୁଣ୍ଡ ଗୁଞ୍ଜି କାମ କରୁଛୁ…. ଆଉ ତମ…..

 

“ବିଳମ୍ବ ହେଉଛି “ସାହେବ” ସରଜେଣ୍ଟ ମେଜର ବକଷ୍ଟାର ସାହେବ ଚେତାଇ ଦେଲେ-।”

 

ବିଳମ୍ବ ହେଉଛି ମି. ଦ୍ଵିବେଦୀ ।

 

ମୁଁ ତ ପ୍ରସ୍ତୁତ ହୋଇସାରିଛି ଅନେକବେଳୁ ।

 

ରେନର ସାହେବ ଆଗରେ ।

 

ମଝିରେ ଦ୍ଵିବେଦୀ….. ।

 

ପଛରେ ପୁଲିସ ସାହେବ ରବଟସନ ।

 

ଦ୍ଵିବେଦୀଙ୍କର ଡାହାଣପଟେ ସରଜେଣ୍ଟ ମେଜର ବକଷ୍ଟାର ଓ ବାଁ ପାଖରେ ପୁଲିସ ଇନ୍‌ସପେକ୍ଟର ମି. ଗୁପ୍ତ ।

 

ସଶସ୍ତ୍ର ସମସ୍ତେ । ପିସ୍ତଲରେ ଗୁଳି ଭରପୂର ।

 

ବୁଢ଼ୀ ଚାଲି ଆସୁ ଆସୁ ଅଟକି ଗଲା……

 

ଯାଉଛି ମା ! ଫେରିଲେ କେବେ ଦେଖା ହେବ । ବୁଢ଼ୀ ଆଖିରୁ ଲୁହ ଛୁଟିଲା ।

 

ରେନର ସାହେବ ନିଜ ଗାଡ଼ିର ଦ୍ଵାର ଖୋଲିଦେଇ ଦ୍ଵିବେଦୀଙ୍କୁ ବସିବାକୁ କହିଲେ ।

 

ଗାଡ଼ିରେ ସମସ୍ତେ ଉଠିଲେ । ଗାଡ଼ି ଛୁଟି ଚାଲିଲା ସଦରଥାନା ଅଭିମୁଖରେ ।

 

ରେନର ସାହେବ ଆଜି ମୁଗ୍‌ଧ । ଗୁଣରେ ମୁଗ୍‌ଧ । ବିପ୍ଳବୀ ଦ୍ଵିବେଦୀଙ୍କୁ ଧରି ଆଜି ତାଙ୍କର ଗର୍ବ ନାହିଁ – ଅହଙ୍କାର ନାହିଁ । ପରାଜୟ ସ୍ଵୀକାର କରି ଦ୍ଵିବେଦୀଙ୍କୁ ଧରିଛି । ତାଙ୍କର ବିରାଟ ସାଧନା ବଳରେ ତାଙ୍କୁ ଧରିଛି । ସମ୍ମାନିତ କରି ତାଙ୍କୁ ନିଜେ ଗୌରବାନ୍ଵିତ ହୋଇଛି ।

 

ଗାଡ଼ି ଛୁଟିଛି । ଆଗରେ ବିବେକ । ତାର ଅଭିନୟ କରି ଦ୍ଵିବେଦୀଙ୍କ ଆଡ଼େ ଅନାଇଁ ରହିଛି ।

 

ଭାରତର ମୁକ୍ତିକାମୀ ଦ୍ଵିବେଦୀ ! ନରହତ୍ୟା ଅଭିଯୋଗରେ ଅଭିହିତ ହୋଇଥିବା ଦ୍ଵିବେଦୀ ! ଫେରାର ଦ୍ଵିବେଦୀ-ବିପ୍ଳବୀ ଦ୍ଵିବେଦୀ ଆଜି ଗିରଫଦାର ହୋଇଛନ୍ତି ।

 

କିନ୍ତୁ ବିଚାର ?

***